୨୫ ନଭେମ୍ବରରୁ ସଂସଦର ଶୀତକାଳୀନ ଅଧିବେଶନ; ଡିସେମ୍ବର ୨୦ ଯାଏଁ ଚାଲିବ
1 min readସଂସଦର ଶୀତ ଅଧିବେଶନ ନଭେମ୍ବର ୨୫ରୁ ଆରମ୍ଭ ହେବ। ଏନେଇ ମଙ୍ଗଳବାର ସୂଚନା ଦେଇଛନ୍ତି କେନ୍ଦ୍ର ମନ୍ତ୍ରୀ କିରନ ରିଜିଜୁ। ନଭେମ୍ବର ୨୫ରୁ ଆରମ୍ଭ ହେବାକୁ ଥିବା ଏହି ଅଧିବେଶନ ଡିସେମ୍ବର ୨୦ରେ ଶେଷ ହେବ। ଅଧିବେଶନର ଦ୍ବିତୀୟ ଦିନ ଅର୍ଥାତ୍ ନଭେମ୍ବର ୨୬ ତାରିଖରେ ସମ୍ବିଧାନ ଦିବସ ତଥା ସମ୍ବିଧାନ ଗ୍ରହଣର ୭୫ ବର୍ଷ ପୂର୍ତ୍ତି ଅବସରରେ ସେଣ୍ଟ୍ରାଲ ହଲ୍ରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଶୀତ ଅଧିବେଶନରେ ଯେଉଁ ପ୍ରସ୍ତାବିତ ବଡ଼ ବିଲ୍ ଉପରେ ଆଲୋଚନା ହେବାର ସମ୍ଭାବନା ରହିଛି ସେଗୁଡ଼ିକ ମଧ୍ୟରେ ଵକଫ୍ ସଂଶୋଧନ ବିଲ୍-୨୦୨୪ ଏବଂ ସରକାରଙ୍କ ମହତ୍ୱାକାଂକ୍ଷୀ ‘ଏକ ଦେଶ, ଏକ ନିର୍ବାଚନ’ ବିଲ୍ ରହିଛି।
୪ ରାଜ୍ୟର ବିଧାନସଭା ନିର୍ବାଚନ ପରେ ପ୍ରଥମଥର ପାଇଁ ସଂସଦର ଅଧିବେଶନ ଆରମ୍ଭ ହେବାକୁ ଯାଉଛି। ଜମ୍ମୁ-କଶ୍ମୀରରେ ଦୀର୍ଘ ୧୦ ବର୍ଷ ପରେ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଏଥିରେ ନ୍ୟାଶନାଲ କନଫରେନ୍ସ ଓ କଂଗ୍ରେସ ମେଣ୍ଟ ବାଜି ମାରିଛନ୍ତି।
ତେବେ ହରିୟାଣାରେ ବିଜେପି ଐତିହାସିକ ହ୍ୟାଟ୍ରିକ ବିଜୟ ହାସଲ କରିଛି। ମହାରାଷ୍ଟ୍ର ଓ ଝାରଖଣ୍ଡ ନିର୍ବାଚନର ରେଜଲ୍ଟ ନଭେମ୍ବର ୨୩ରେ ପ୍ରକାଶ ପାଇବ। ଶୀତ ଅଧିବେଶନରେ ୱାକଫ ସଂଶୋଧନ ବିଲ୍ ଉପରେ ଆଲୋଚନା ହେବ। ବର୍ତ୍ତମାନ ୱାକଫ ବିଲକୁ ଯୁଗ୍ମ ସଂସଦୀୟ କମିଟି ଯାଞ୍ଚ କରୁଛି। କମିଟି ନଭେମ୍ବର ୨୯ରେ ସଂସଦରେ ଏହାର ରିପୋର୍ଟ ଦାଖଲ କରିବ।
ସଂସଦର ଶୀତକାଳୀନ ଅଧିବେଶନରେ ‘ଗୋଟିଏ ଦେଶ ଗୋଟିଏ ନିର୍ବାଚନ’ ଏବଂ ୱାକଫ ଆକ୍ଟରେ ସଂଶୋଧନ ପାଇଁ ଉପସ୍ଥାପିତ ହୋଇଥିବା ବିଲ ଉପରେ ଆଲୋଚନା ହେବାର ସମ୍ଭାବନା ରହିଛି। ବିରୋଧୀଙ୍କ ଆକ୍ରମଣାତ୍ମକ ମନୋଭାବକୁ ବିଚାରକୁ ନେଇ ଆଗାମୀ ଶୀତ ଅଧିବେଶନ ଅଶାନ୍ତ ହେବାର ସମ୍ଭାବନା ରହିଛି। ସୂଚନା ଅନୁସାରେ, ‘ଗୋଟିଏ ଦେଶ ଗୋଟିଏ ନିର୍ବାଚନ’ର ପ୍ରସ୍ତାବକୁ କ୍ୟାବିନେଟ ଅନୁମୋଦନ କରିଛି। ବର୍ତ୍ତମାନ ଶୀତ ଅଧିବେଶନରେ ବିଲ ପାସ କରିବା ଉପରେ ଗୁରୁତ୍ୱ ଦିଆଯିବ।