ନ୍ୟୁୟର୍କରେ ପୁରୀର ପଟ୍ଟଚିତ୍ର; ଶ୍ରୀ ହରିଶଙ୍କୁ ଧନ୍ୟବାଦ ଜଣାଇଲେ ପୁରୀ ସାଂସଦ ସମ୍ବିତ ପାତ୍ର
1 min readପୁରୀ ସାଂସଦ ସମ୍ବିତ ପାତ୍ର ଭାରତୀୟ ସଂସଦର ପ୍ରତିନିଧି ମଣ୍ଡଳର ସଦସ୍ୟ ଭାବେ ନ୍ୟୁୟର୍କ ପ୍ରବାସ ସମୟରେ ହରିଶଙ୍କ ବାସଭବନରେ ଆୟୋଜିତ ରାତ୍ରି ଭୋଜନ ସମାରୋହରେ ଯୋଗ ଦେଇଥିଲେ । ଏହି ସମୟରେ ସେ ତାଙ୍କୁ ଜଗନ୍ନାଥ ସଂସ୍କୃତିର ପ୍ରଚାର ପାଇଁ ଧନ୍ୟବାଦ ଜ୍ଞାପନ କରିଥିଲେ।
ଏହି ସମୟରେ ସମ୍ବିତ ପାତ୍ର ପ୍ରତିକ୍ରିୟା ଦେଇ କହିଥିଲେ ଯେ, ଆମର ପଟ୍ଟଚିତ୍ର ଶିଳ୍ପ ଶତାବ୍ଦୀ ଶତାବ୍ଦୀ ଧରି ଓଡ଼ିଶାର ଗୌରବମୟ ପରମ୍ପରାକୁ ବହନ କରି ଆସିଛି। ଆଜି ଏହା ଆନ୍ତର୍ଜାତୀୟ ସ୍ତରରେ ସ୍ୱୀକୃତି ପାଇବା ଆମ ପାଇଁ ଗର୍ବ ଓ ସମ୍ମାନର ବିଷୟ। ଏହି ଅବସରରେ ମୁଁ ଶ୍ରୀ ହରିଶଙ୍କୁ ଓଡ଼ିଶାର କଳା ଓ ସଂସ୍କୃତିର ପ୍ରଚାର ପାଇଁ ହାର୍ଦ୍ଦିକ ଧନ୍ୟବାଦ ଜଣାଉଛି। ଓଡ଼ିଶାର କଳା, ସଂସ୍କୃତି ଓ ପରମ୍ପରା ସର୍ବଦା ଭାରତକୁ ଗୌରବାନ୍ୱିତ କରି ଆସିଛି। ଆମେ ଆଶା କରୁଛୁ ଯେ ଏହି ପ୍ରୟାସ ଆମର ସାଂସ୍କୃତିକ ସମ୍ପଦର ବ୍ୟାପକ ପ୍ରଚାର ପ୍ରସାରରେ ସହାୟକ ହେବ ବୋଲି ସେ କହିଥିଲେ ।
ସୂଚନା ଅନୁଯାୟୀ, ମିଳିତ ଜାତିସଂଘରେ ଭାରତର ସ୍ଥାୟୀ ପ୍ରତିନିଧି ଶ୍ରୀ ପାର୍ଥନେନି ହରିଶଙ୍କ ନ୍ୟୁୟର୍କ ସ୍ଥିତ ବାସଭବନରେ ପୁରୀର ବିଶ୍ୱ ପ୍ରସିଦ୍ଧ ପଟ୍ଟଚିତ୍ରକୁ ସମ୍ମାନଜନକ ସ୍ଥାନ ଦିଆଯାଇଛି । ଏହି ପଟ୍ଟଚିତ୍ର ଗୁଡ଼ିକ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଲୀଳା ଓ ଓଡ଼ିଶାର ସମୃଦ୍ଧ ସାଂସ୍କୃତିକ ପରମ୍ପରାକୁ ପ୍ରତିଫଳିତ କରୁଛି।