ଆଳୁ ପ୍ରେମରେ ବାୟା ଓଡିଆ ; ବର୍ଷକୁ ମୁଣ୍ଡ ପିଛା ଖାଉଛନ୍ତି ୨୫ କେଜି ଆଳୁ , ସର୍ଭେରେ ଏପରି ବଡ ଖୁଲସା ..
1 min readଆଳୁ ବିନା ଓଡିଆଙ୍କୁ ଭାତ ରୁଚେନା । ସେ ଯେକୌଣସି ଖାଦ୍ୟ ହେଉ ଆଳୁ ବିନା ଓଡିଆଙ୍କୁ କିଛି ରୋଷେଇ ସୁଜେନା ।ଆଳୁ ଭଜା, ଆଳୁ ଭର୍ତ୍ତା ,ଆଳୁ ପୋଡା ଏମିତି ମାଛ ଠୁ ମାଉଁସ ରେ ବି ଆଳୁ ସେଥିରେ ବି ମନ ଶାନ୍ତି ହୁଏନି ଓଡିଆଙ୍କର ସେମାନେ ମ୍ୟାଦିରେ ବି ଆଳୁ ପକାଇ ବନାନ୍ତି । ତେବେ ସେ ଯାହା ହେଉନା କାହିଁକି ଓଡିଆଙ୍କୁ ଆଳୁ ଖାଇବାରେ କେହି ଟକ୍କର ଦେଇପାରିବେନି ।
ଓଡିଆଙ୍କ ଆଳୁ ଶରଧା ଭିତରେ ସାମ୍ନାକୁ ଆସିଛି ଏକ ଚମକାଇ ଦେବା ଭଳି ରିପୋର୍ଟ । ‘ବ୍ଲୁ ପ୍ରିଣ୍ଟ୍ ଅଫ୍ ପଟାଟୋ କଲଟିଭେସନ୍ ଅଫ୍ ଓଡିଶା’ ନାମକ ଏକ ସର୍ଭେ ରିପୋର୍ଟରେ ଓଡିଆଙ୍କ ଆଳୁ ପ୍ରେମକୁ ନେଇ ଏକ ଚାଞ୍ଚଲ୍ୟକର ରିପୋର୍ଟ ସାମ୍ନାକୁ ଆସିଛି । ଓଡିଶାର ଜଣେ ବ୍ୟକ୍ତି ବର୍ଷକୁ ପ୍ରାୟ ୨୫ କେଜି ଆଳୁ ଖାଇଯାଉଛନ୍ତି ।
ସୂଚନା ଅନୁଯାୟୀ ଓୟୁଏଟି, ଉଦ୍ୟାନ କୃଷି ବିଭାଗର ଅବସରପ୍ରାପ୍ତ ପ୍ରଫେସର ଡ. ପ୍ରଭୁଚରଣ ଲେଙ୍କାଙ୍କ ନେତୃତ୍ୱରେ କୃଷି ବିଭାଗର ଅବସରପ୍ରାପ୍ତ ଯୁଗ୍ମ ନିର୍ଦ୍ଦେଶକ ଅମରେଶ୍ୱର ମିଶ୍ର, କୃଷି ବିଶେଷଜ୍ଞ ଅବିନାଶ ମହାନ୍ତି ଏବଂ ଅଭିଜିତ ଭଟ୍ଟାଚାର୍ଜି ମିଳିତ ଉଦ୍ୟମରେ ଏହି ସର୍ଭେ ହୋଇଛି । ଯାହାର ଫଳାଫଳ ଆଜି ଆମ ସଭିଙ୍କ ସାମ୍ନାରେ । ଓଡିଶାରେ ମୁଣ୍ଡପିଛା ୨୫.୪ କେଜି ଆଳୁ ଖାଦ୍ୟ ଭାବେ ବ୍ୟବହାର ହେଉଛି । ତଦାନୁସାରେ ଓଡିଶାର ୪.୨ କୋଟି ଲୋକଙ୍କୁ ବାର୍ଷିକ ୧୦.୬୬ ଲକ୍ଷ ମେଟ୍ରିକ୍ ଟନ୍ ଆଳୁ ଆବଶ୍ୟକ । ତେବେ ଓଡିଶା ନିଜର ବାର୍ଷିକ ଆଳୁ ଆବଶ୍ୟକତାର ପ୍ରାୟ ୨୦ ପ୍ରତିଶତ ଆଳୁ ଉତ୍ପାଦନ କରିଥାଏ । ଆଉ ନିଅଣ୍ଟ ଆଳୁ ପଶ୍ଚିମବଙ୍ଗ ଭଳି ପଡୋଶୀ ରାଜ୍ୟରୁ ଆମଦାନୀ କରିଥାଏ ।