ଫଟୋରେ ତିଳକ ଲଗାଇ ଟ୍ରମ୍ପଙ୍କ ପାଇଁ ହେଉଛି ହୋମ ଯଜ୍ଞ, ଭାଇରାଲ ହେଲା ଭିଡ଼ିଓ
1 min readଯୁକ୍ତରାଷ୍ଟ୍ର ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ପାଇଁ ମତଦାନ ଶେଷ ହୋଇଛି। ଏବେ ନିର୍ବାଚନ ଫଳାଫଳ ସାମ୍ନାକୁ ଆସୁଛି। ଏପର୍ଯ୍ୟନ୍ତ ପ୍ରକାଶିତ ଫଳାଫଳରେ ରିପବ୍ଲିକାନ ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପଙ୍କୁ ୨୩୦ ଇଲେକ୍ଟୋରାଲ୍ ଭୋଟ ଏବଂ କମଲା ହାରିସଙ୍କୁ ୧୯୨ଭୋଟ ମିଳିଛି। କୌଣସି ପ୍ରାର୍ଥୀ ଜିତିବା ପାଇଁ ୨୭୦ ଭୋଟ ଆବଶ୍ୟକ କରନ୍ତି।
ଡୋନାଲ୍ଡ ଟ୍ରମ୍ପ ଓ କମଲା ହାରିସ୍ଙ୍କ ମଧ୍ୟରେ ଚାଲିଛି କଡ଼ା ଟକ୍କର। ଆଶା କରାଯାଉଛି ଯେ, ଭାରତୀୟ ବଂଶୋଦ୍ଭବ କମଲା ହାରିସ ଜିତିବେ। ଏହାରି ଭିତରେ ଦିଲ୍ଲୀର ସାଧୁ ଏବଂ ପୁରୋହିତମାନେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପାଇଁ କରିଛନ୍ତି ହୋମ ଯଜ୍ଞ। ତାଙ୍କ ବିଜୟ ପାଇଁ କରିଛନ୍ତି ପ୍ରାର୍ଥନା। ଏହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି।
ଭିଡିଓରେ ସାଧୁମାନେ ‘ଡୋନାଲ୍ଡ ଟ୍ରମ୍ପଙ୍କୁ ଭୋଟ୍ ଦେବାକୁ ଓ ଦୁନିଆକୁ ପୁଣି ମହାନ କର’ ଭଳି ସ୍ଲୋଗାନ ଦିଆଯାଉଥିବା ଦେଖିବାକୁ ମିଳିଛି। ଆମେରିକାର ନିର୍ବାଚନରେ ଟ୍ରମ୍ପଙ୍କ ବିଜୟ ପାଇଁ ଆଧ୍ୟାତ୍ମିକ ଗୁରୁ ଏବଂ ମହାମଣ୍ଡଳେଶ୍ୱର ସ୍ୱାମୀ ବେଦାମୁତି ନନ୍ଦ ସରସ୍ୱତୀ ହୋମ ଯଜ୍ଞ କରୁଥିବା ଭିଡିଓରେ ଦେଖିବାକୁ ମିଳିଛି।
ଆମେରିକାର ପୂର୍ବତନ ରାଷ୍ଟ୍ରପତିଙ୍କ ଫଟୋରେ ତିଲକ ମଧ୍ୟ ଲଗାଇଛନ୍ତି। ସେ ଡୋନାଲ୍ଡ ଟ୍ରମ୍ପ, ଟେସଲା ସିଇଓ ଏଲୋନ୍ ମସ୍କ, ରବର୍ଟ ଏଫ୍ କେନେଡି ଜୁନିଅର ଏବଂ ବିବେକ ରାମା ସ୍ୱାମୀଙ୍କ ପୋଷ୍ଟର ସମ୍ମୁଖରେ ସ୍ଲୋଗାନ ମଧ୍ୟ ଦେଇଛନ୍ତି। ଭିଡିଓରେ ଏକ ପୋଷ୍ଟର ଦୃଶ୍ୟମାନ ହୋଇଛି ଯେଉଁଥିରେ ଲେଖା ଅଛି, ‘ହିନ୍ଦୁମାନଙ୍କୁ ବଞ୍ଚାଇବା ପାଇଁ ଡୋନାଲ୍ଡ ଟ୍ରମ୍ପଙ୍କୁ ଭୋଟ୍ ଦିଅ।’
ହୋମ୍ ଯଜ୍ଞ ଆରମ୍ଭ ହେବା ମାତ୍ରେ ସ୍ୱାମୀ ସରସ୍ୱତୀ ଟ୍ରମ୍ପଙ୍କ ନାଁରେ ଦେବତାମାନଙ୍କୁ ଆହୁତି ଦେଉଥିବା ଦେଖିବାକୁ ମିଳିଛି। ଏହି ଭାଇରାଲ୍ ଭିଡିଓକୁ ନେଇ ୟୁଜର୍ସମାନେ ବିଭିନ୍ନ ପ୍ରକାରର ପ୍ରତିକ୍ରିୟା ଦେଉଛନ୍ତି।
ସୂଚନା ଅନୁଯାୟୀ, ଆମେରିକାର ୪୭ତମ ରାଷ୍ଟ୍ରପତି ନିର୍ବାଚନ ପାଇଁ ମଙ୍ଗଳବାର ମତଦାନ ଅନୁଷ୍ଠିତ ହୋଇଥିଲା। ବୁଥ୍ଗୁଡ଼ିକରେ ଭୋଟରମାନଙ୍କ ଧାଡ଼ି ଦେଖିବାକୁ ମିଳିଥିଲା। ପୂର୍ବରୁ ୮୨ ନିୟୁତରୁ ଊର୍ଦ୍ଧ୍ୱ ଭୋଟର ସେମାନଙ୍କ ମତଦାନ ସାବ୍ୟସ୍ତ କରିସାରିଥିବାବେଳେ ମଙ୍ଗଳବାର ୨୪୪ ନିୟୁତ ଆମେରିକୀୟ ମତଦାନ କରିଛନ୍ତି। ଆଜି ଭୋଟଗଣତି ପରେ ଫଳାଫଳ ପ୍ରକାଶ ପାଇବ। ରିପବ୍ଲିକାନ୍ ପ୍ରାର୍ଥୀ ତଥା ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଏବଂ ଡେମୋକ୍ରାଟିକ୍ ପ୍ରାର୍ଥୀ ତଥା ବର୍ତ୍ତମାନର ଉପରାଷ୍ଟ୍ରପତି କମଲା ହାରିସ୍ଙ୍କ ମଧ୍ୟରେ କଡ଼ା ଟକ୍କର ହୋଇଥିବାରୁ ଫଳାଫଳ ଉପରେ ସାରା ବିଶ୍ୱର ନଜର ରହିଛି।