ବିଦାୟୀ ବାର୍ତ୍ତା ବେଳେ ଓଦା ହୋଇଗଲା ପ୍ରଧାନ ବିଚାରପତିଙ୍କ ଆଖି ,କହିଲେ ମୋତେ କ୍ଷମା କରିଦେବେ..
1 min readଆସନ୍ତା କାଲିଠୁ ସୁପ୍ରିମ କୋର୍ଟ ମୁଖ୍ୟ ଵିଚାର ପତି ଆସନରେ ଦେଖିବାକୁ ମିଳିବନି ସିଜେଆଇ ଡିୱାଇ ଚନ୍ଦ୍ରଚୂଡ଼ଙ୍କୁ।କାରଣ ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼ଙ୍କ ୨୦୨୪ ନଭେମ୍ବର ୧୦ରେ କାର୍ଯ୍ୟକାଳ ଶେଷ ହେଉଥିବା ବେଳେ ଆଜି ଥିଲା ତାଙ୍କର ଶେଷ କାର୍ଯ୍ୟ ଦିବସ । ସୁପ୍ରିମ କୋର୍ଟ ରେ ଡିୱାଇ ଚନ୍ଦ୍ରଚୂଡ଼ ତାଙ୍କ କାର୍ଯ୍ୟକାଳ ମଧ୍ୟରେ ଅଯୋଧ୍ୟା ମନ୍ଦିର ରାୟ ଠାରୁ ଆରମ୍ଭ କରି ଧାରା ୩୭୦ ଉଚ୍ଛେଦ ଭଳି କେତେକ ଐତିହାସିକ ରାୟ ଦେଇଛନ୍ତି ଯାହା ତାଙ୍କୁ ଦେଶବାସୀଙ୍କ ନିକଟରେ ଲୋକପ୍ରିୟ କରାଇପାରିଛି। ଆଜି ତାଙ୍କର ଶେଷ କାର୍ଯ୍ୟଦିବସରେ ଅବସରକାଳୀନ ବାର୍ତ୍ତା ବେଳେ ଭାବବିହ୍ୱଳ ହୋଇଛନ୍ତି ପ୍ରଧାନ ବିଚାରପତି। ଯେଉଁ ସ୍ୱର ଅପରାଧୀ କୁ କଠୋର ରୁ କଠୋର ଦଣ୍ଡ ଦେବାରେ ଅଟକି ଯାଇନାହିଁ ଆଜି ସେହି ସ୍ୱର କଣ୍ଠରୁଦ୍ଧ ହୋଇପଡ଼ିଥିଲା ।
ତାଙ୍କର ଶେଷ ବିଦାୟୀ ଭାଷଣରେ ସେ କହିଛନ୍ତି, କାଲିଠାରୁ ମୁଁ ଆଉ ନ୍ୟାୟ ପ୍ରଦାନ କରିପାରିବି ନାହିଁ। କିନ୍ତୁ ଏତିକିରେ ମୁଁ ସନ୍ତୁଷ୍ଟ ବୋଲି କହିଛନ୍ତି ବିଦାୟୀ ପ୍ରଧାନ ବିଚାରପତି।ବିଦାୟୀ ବାର୍ତ୍ତା ବେଳେ ସିଜେଆଇ ଚନ୍ଦ୍ରଚୂଡ଼ କୋର୍ଟରେ କେବେ କାହା ମନରେ ଦୁଃଖ ଦେଇଥିଲେ ସେଥିପାଇଁ କ୍ଷମା ପ୍ରାର୍ଥନା ମଧ୍ୟ କରିଥିଲେ। ସେ କହିଥିଲେ, ଯଦି ମୁଁ କେବେ କୋର୍ଟରେ କାହା ମନକୁ ଆଘାତ ଦେଇଛି, ଦୟାକରି ମୋତେ କ୍ଷମା କରନ୍ତୁ। କାରଣ ମୋର ଭାବନା କେବେ କାହାକୁ ଦୁଃଖ ଦେବା ନଥିଲା। ୨୦୨୨ ନଭେମ୍ବର ୯ରେ ଦାୟିତ୍ୱ ଗ୍ରହଣ କରିଥିବା ପ୍ରଧାନ ବିଚାରପତି ଚନ୍ଦ୍ରଚୂଡ଼ ତାଙ୍କର ଦୁଇ ବର୍ଷର କାର୍ଯ୍ୟକାଳ ଶେଷ ହେବା ପରେ ଆଜି ତାଙ୍କ ପଦରୁ ବିଦାୟ ନେଇଛନ୍ତି। ପୂର୍ବ ସନ୍ଧ୍ୟାରେ ତାଙ୍କ ରେଜିଷ୍ଟ୍ରାର ଜୁଡିସିଆଲଙ୍କ ସହ ଏକ ମୁହୂର୍ତ୍ତକୁ ମନେ ପକାଇ ସେ କହିଛନ୍ତି, “ଯେତେବେଳେ ମୋର ରେଜିଷ୍ଟ୍ରାର ଜୁଡିସିଆଲ ମୋତେ ପଚାରିଲେ ଯେ ସମାରୋହ କେବେ ଆରମ୍ଭ ହେବା ଉଚିତ, ମୁଁ ଅପରାହ୍ନ ୨ଟାରେ କହିଲି, ଭାବିଥିଲି ଯେ ଏହା ଆମକୁ ଅନେକ ଅଟକି ରହିଥିବା ଜିନିଷକୁ ଶେଷ କରିବାକୁ ଅନୁମତି ଦେବ। କିନ୍ତୁ ମୁଁ ମନରେ ଭାବୁଥିଲି – ଶୁକ୍ରବାର ଅପରାହ୍ନ ୨ଟାରେ ପ୍ରକୃତରେ କେହି ଏଠାକୁ ଆସିବେ କି? ନା ମୁଁ କେବଳ ନିଜକୁ ଚାହିଁ ରହିଯିବି?”
ନିଜ କ୍ୟାରିୟର ବିଷୟରେ ଉଲ୍ଲେଖ କରି ସେ ବିଚାରପତିଙ୍କ ଭୂମିକାକୁ ତୀର୍ଥଯାତ୍ରୀଙ୍କ ଭଳି ବର୍ଣ୍ଣନା କରିଥିଲେ ଓ କହିଥିଲେ, ସେବା କରିବାର ପ୍ରତିଶ୍ରୁତି ନେଇ ସେ ପ୍ରତିଦିନ ଅଦାଲତକୁ ଆସନ୍ତି। ଏହି ଅଦାଲତକୁ ସଜେଇ ଦାୟିତ୍ୱ ତୁଲାଇଥିବା ମହାନ ବିଚାରପତିମାନଙ୍କୁ ସେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରି କହିଛନ୍ତି ଯେ ଖଣ୍ଡପୀଠର ବିଚାରପତି ସଞ୍ଜୀବ ଖାନ୍ନାଙ୍କ ଦକ୍ଷ ହାତରେ ଯିବାକୁ ନେଇ ସେ ଆଶ୍ୱସ୍ତ ଅନୁଭବ କରିଛନ୍ତି, ଯାହାଙ୍କୁ ସେ ଜଣେ ଦକ୍ଷ ନେତୃତ୍ୱ ଭାବରେ ପ୍ରଶଂସା କରିଥିଲେ।ବିଦାୟୀ ପ୍ରଧାନ ବିଚାରପତିଙ୍କୁ ସମ୍ମାନ ଜଣାଇ ଆଇନଜୀବୀ ଓ ବାର୍ ସଦସ୍ୟମାନେ ଏକତ୍ରିତ ହୋଇ ତାଙ୍କୁ ନ୍ୟାୟପାଳିକାର ‘ରକ୍ ଷ୍ଟାର’ ବୋଲି ବର୍ଣ୍ଣନା କରିଥିଲେ। ତାଙ୍କର ସେହି ବିଦାୟୀ ଭାଷଣରେ ବିଚାରପତିଙ୍କ ଆଖିରେ ଲୁହ ଆସିଯାଇଥିଲା। ଟିସୁ ପେପରରେ ସେ ନିଜ ଆଖି ପୋଛୁଥିବା ମଧ୍ୟ ଦେଖିବାକୁ ମିଳିଥିଲା।