ହସ୍ପିଟାଲରେ ୧୦ ନବଜାତ ଶିଶୁ ଜୀବନ୍ତ ଦଗ୍ଧ ଘଟଣା; କ୍ଷତିପୂରଣ ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ ଯୋଗୀ
1 min readଉତ୍ତରପ୍ରଦେଶର ଝାନ୍ସୀସ୍ଥିତ ମହାରାଣୀ ଲକ୍ଷ୍ମୀବାଈ ମେଡିକାଲ କଲେଜରେ ଗତକାଲି ବିଳମ୍ବିତ ରାତିରେ ହସ୍ପିଟାଲର ଏନଆଇସିୟୁରେ ଲାଗିଥିଲା ନିଆଁ | ନବଜାତ ୱାର୍ଡ (ଏସଏନସିୟୁ)ରେ ନିଆଁ ଲାଗି ଚିକିତ୍ସାଧୀନ ୧୦ ଶିଶୁଙ୍କର ମୃତ୍ୟୁ ହୋଇଛି। ବିଳମ୍ବିତ ରାତିରେ ଡାକ୍ତରଖାନାରେ ନିଆଁ ଲାଗିଥିଲା। ଚିକିତ୍ସାଧୀନ ଥିବା ନବଜାତକଙ୍କ ମଧ୍ୟରୁ କେତେକ ଶ୍ବାସରୁଦ୍ଧ ଓ ଆଉ କେତେକ ପୋଡି ହୋଇ ପ୍ରାଣ ହରାଇଥିଲେ। ସର୍ଟ ସର୍କିଟ ଯୋଗୁଁ ଏପରି ହୋଇଥିବା ଜଣାପଡିଛି | ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏହାକୁ ଅତ୍ୟନ୍ତ ଦୁର୍ଭାଗ୍ୟଜନକ କହିଛନ୍ତି। ଏଥିସହ ମୃତକଙ୍କ ପରିବାର ପ୍ରତି ଗଭୀର ସମବେଦନା ଜଣାଇବା ସହ କ୍ଷତିପୂରଣ ରାଶି ଘୋଷଣା କରିଛନ୍ତି।
ମୁଖ୍ୟମନ୍ତ୍ରୀ କହିଛନ୍ତି, ଝାନସୀ ମେଡିକାଲରେ ଘଟିଥିବା ଅଗ୍ନିକାଣ୍ଡ ଯୋଗୁ ମୃତ ଶିଶୁଙ୍କ ପରିବାର ପାଇଁ ୫ ଲକ୍ଷ ଲେଖାଏ ଅନୁକମ୍ପାମୂଳକ ରାଶି ଦିଆଯିବ | ଏହାସହ ଗୁରୁତର ପରିବାରଙ୍କ ନିମନ୍ତେ ୫0ହଜାର ଟଙ୍କା ଲେଖାଏଁ ପ୍ରଦାନ କରାଯିବ |
ଗତକାଲିର ଏହି ଛାତିଥରା ଅଘଟଣ ଖବର ପାଇବାପରେ ତୁରନ୍ତ ମୁଖ୍ୟମନ୍ତ୍ରୀ ଯୋଗୀ ଉପମୁଖ୍ୟମନ୍ତ୍ରୀ ଏବଂ ସ୍ୱାସ୍ଥ୍ୟ ବିଭାଗର ପ୍ରମୁଖ ସଚିବଙ୍କୁ ସେଠାରେ ଯାଞ୍ଚ ପାଇଁ ପଠାଇଥିଲେ | ଏହି ଘଟଣାର ତ୍ରିସ୍ତରୀୟ ଯାଞ୍ଚ କରାଯିବ । ପ୍ରଥମ ଯାଞ୍ଚ ସ୍ୱାସ୍ଥ୍ୟ ବିଭାଗ କରିବ। ଦ୍ୱିତୀୟ ଯାଞ୍ଚ ପୁଲିସ୍ ପ୍ରଶାସନ ଓ ଅଗ୍ନିଶମ ବିଭାଗ କରିବେ। ଏହାପରେ ମାଜିଷ୍ଟ୍ରେଟ ଶେଷ ଯାଞ୍ଚ କରିବେ।
ଏହି ଦୁର୍ଘଟଣା ନେଇ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗଭୀର ଶୋକ ପ୍ରକାଶ କରିଛନ୍ତି |