ବର୍ଜ୍ୟବସ୍ତୁ ପରିଚାଳନା ଅଣାୟତ୍ତ: ସଫଳ ହେଉନି ଏମ୍ସିସି, ଭୋଗିବେ ରାଜଧାନୀବାସୀ
1 min readଭୁବନେଶ୍ବର: ରାଜଧାନୀରେ ବର୍ଜ୍ୟବସ୍ତୁ ପରିଚାଳନା ସମସ୍ୟା ଅଣାୟତ୍ତ ହେବାକୁ ଲାଗିଲାଣି। ଭୁଆସୁଣିରେ ଆବର୍ଜନା ଗଦା ହେବ ନାହିଁ ବୋଲି ନିଷ୍ପତ୍ତି ହେବା ପରେ କଠିନ ବର୍ଜ୍ୟବସ୍ତୁ ପରିଚାଳନା ପାଇଁ ଏମ୍ସିସି (ମାଇକ୍ରୋ କମ୍ପୋଷ୍ଟିଂ ସେଣ୍ଟର) ପ୍ରତିଷ୍ଠା ହୋଇଛି। ହେଲେ ତାହା ଆବର୍ଜନା ପରିଚାଳନା କରିବା ପାଇଁ ଯଥେଷ୍ଟ ହେଉନାହିଁ। ଦିନକୁ ଦିନ ସହରରେ ଲୋକ ସଂଖ୍ୟା ବଢ଼ିବା ସହ ଆବର୍ଜନା ବଢ଼ିବାରେ ଲାଗିଛି। ସେହି ଅନୁସାରେ ଏ ସବୁର ଦକ୍ଷତା ବଢ଼ାଇବା ଆବଶ୍ୟକତା ଥିବା ବେଳେ ଏଠାରେ ପରିସ୍ଥିତି ଓଲଟା ହୋଇଛି। ଯେତିକି ଅଛି ତାହା ଠିକ୍ଠାକ୍ ଚାଲୁ ନାହିଁ।
ରିଷ୍ଠ ଅଧିକାରୀମାନେ ବିଭିନ୍ନ ରାଜ୍ୟ ବୁଲି କଠିନ ବର୍ଜ୍ୟବସ୍ତୁ ପରିଚାଳନା ବ୍ୟବସ୍ଥା ଦେଖିବା ପରେ ଶୀତତାପ ନିୟନ୍ତ୍ରିତ କୋଠରୀରେ ବସି ଯେଉଁ ଏମ୍ସିସିର ପରିକଳ୍ପନା କରିଥିଲେ ତାହା ବାସ୍ତବ କ୍ଷେତ୍ରରେ ସଫଳ ହୋଇପାରିନାହିଁ। ବଡ଼କଥା ହେଉଛି ବର୍ଜ୍ୟବସ୍ତୁ ପରିଚାଳନାର ଗୁରୁତ୍ବକୁ ଆଖି ଆଗରେ ରଖି ବିଏମ୍ସିରେ ଚିଫ୍ ଇଞ୍ଜିନିୟର(ପରିମଳ) ପଦ ସୃଷ୍ଟି କରାଯାଇଥିଲା ତାହା ମଧ୍ୟ ଏହି ସମସ୍ୟାରେ ଆଖିଦୃଶିଆ ପରିବର୍ତ୍ତନ ଆଣିପାରିନାହିଁ। ଯାହା ଫଳରେ ଆବର୍ଜନାକୁ ନେଇ ଭୁବନେଶ୍ବର ଆଗକୁ ଏକ ଉତ୍କଟ ପରିସ୍ଥିତିର ସାମ୍ନା କରିବା ଥୟ ହୋଇଛି।
ସହରରୁ ଦୈନିକ ୫୦୦ ଟନ୍ରୁ ଅଧିକ ଆବର୍ଜନା ବାହାରୁଛି। ଏହାକୁ ପରିଚାଳନା କରିବା ପାଇଁ ବିଏମ୍ସି ୪୩ଟି ଏମ୍ସିସି ପ୍ରତିଷ୍ଠା କରିବାକୁ ଯୋଜନା କରିଛି। ଗୋଟିଏ ସେଣ୍ଟରର ଆବର୍ଜନା ପରିଚାଳନା ଦକ୍ଷତା ହେଉଛି ଦୈନିକ ୫ ଟନ୍। ଯଦି ୪୩ଟି ଯାକ ଏମ୍ସିସି ପ୍ରତିଷ୍ଠା ହୁଏ ଓ ଦକ୍ଷତା ଅନୁସାରେ କାମ କରନ୍ତି ତେବେ ଦିନକୁ ୨୧୫ ଟନ୍ ଆବର୍ଜନା ପରିଚାଳନା ହୋଇ ପାରିବ। ଆକଳନ ଅନୁସାରେ ଦିନକୁ ବାହାରୁଥିବା ୧୫୦ ଟନ୍ ପ୍ଲାଷ୍ଟିକ୍ ଓ ଅନ୍ୟାନ୍ୟ ଆବର୍ଜନାକୁ ବିଏମ୍ସି ପୃଥକ୍ କରିବା ପରେ ବିକ୍ରି କରିପାରିବ। ଏହା ବାଦ୍ ଆହୁରି ୧୩୫ ଟନ୍ ଆବର୍ଜନା ବଳୁଛି। ଏହାକୁ ପରିଚାଳନା କରିବା ପାଇଁ ଯୋଜନା ହୋଇଥିବା ୪୩ ଏମ୍ସିସି ବାଦ୍ ଅତି କମ୍ରେ ଆଉ ୨୭ଟି ଏମ୍ସିସିର ଆବଶ୍ୟକତା ଅଛି।
କିନ୍ତୁ ଆଜି ସୁଦ୍ଧା ୩୦ଟି କାର୍ଯ୍ୟକ୍ଷମ ରହିଛି। ଦୈନିକ ୫ଟନ୍ ଆବର୍ଜନା ପ୍ରକ୍ରିୟାକରଣ କରି ଖତ ବାହାର କରିବାର ବ୍ୟବସ୍ଥା ଥିଲେ ହେଁ ଏବେ ଦିନକୁ ୩ଟନ୍ ଆବର୍ଜନା ପ୍ରକ୍ରିୟାକରଣ ହେଉଛି। ଭୁଆସୁଣିରେ ଆବର୍ଜନା ଗଦା ହେଉଥିବାରୁ ଏମ୍ସିସିଗୁଡ଼ିକ ଉପରେ ଚାପ ପଡ଼ିନଥିଲା। ଏବେ ଭୁଆସୁଣିକୁ ଆବର୍ଜନା ଯିବା ବନ୍ଦ ହେବା ନିଷ୍ପତ୍ତି ହେବା ପରେ ଏମ୍ସିସି ଉପରେ ବିଏମ୍ସିର ନଜର ପଡ଼ିଛି।
ଏଠାରେ ଏଭଳି ଅବସ୍ଥା ଦେଖିବା ପରେ ଅକଲ ଗୁଡ଼ୁମ୍ ହୋଇଛି। ବଡ଼ କଥା ହେଉଛି ଏମ୍ସିସିଗୁଡ଼ିକରେ ଆବର୍ଜନାକୁ କାଟି ଛୋଟ କରିବା ପାଇଁ ଯେଉଁ ମେସିନ୍ ବ୍ୟବହୃତ ହେଉଛି ସେଥିରେ ପଇଡ଼ କିମ୍ବା ଅନ୍ୟ କୌଣସି ସାମାନ୍ୟ କଠିନ ପଦାର୍ଥ ପଡ଼ି ଯାଉଛି ତାହା ଖରାପ ହୋଇଯାଉଛି। ଏହାକୁ ମରାମତି କରିବାକୁ ଫାଇଲ୍ ଏପଟ ସେପଟ ହେଉ ହେଉ ସମୟ ଗଡ଼ି ଯାଉଛି। ଏଣୁ ଥରେ ଖରାପ ହେଲେ ମରାମତି ପାଇଁ ଅତି କମ୍ରେ ୭ ଦିନ ଯାଉଛି। ପ୍ରଥମେ କ୍ଷମତାରୁ କମ୍ ଆବର୍ଜନା ପରିଚାଳନା କରିବା ଓ ମରାମତି ପାଇଁ ୭ ଦିନ ଅପେକ୍ଷା କରିବା ଯୋଗୁଁ ଏମ୍ସିସିର ଉଦ୍ଦେଶ୍ୟ ପୂରଣ ହୋଇପାରୁନାହିଁ।
ଏହି ଏମ୍ସିସିକୁ ନେଇ ଆଉ ଗୋଟିଏ ବଡ଼ ଅଭିଯୋଗ ହେଉଛି କି ଯେଉଁଠି ଏହି କେନ୍ଦ୍ର ପ୍ରତିଷ୍ଠା ହୋଇଛି ସେହି ଅଞ୍ଚଳର ୩ କିଲୋମିଟର ଦୂରରୁ ସମଗ୍ର ଅଞ୍ଚଳ ଦୁର୍ଗନ୍ଧରେ ଫାଟି ପଡ଼ୁଛି। ଏଥିପାଇଁ ପ୍ରତ୍ୟେକ ଦିନ ସ୍ଥାନୀୟ ବାସିନ୍ଦାଙ୍କ ଠାରୁ ବିଏମ୍ସିରେ ଗଦା ଗଦା ଅଭିଯୋଗ ପହଞ୍ଚୁଛି। ଏଥିରେ ନିର୍ଦ୍ଧାରିତ ପରିମାଣର ଗୁଡ଼ ଓ ଦହି ପକାଯାଇ ଦୁର୍ଗନ୍ଧ ରୋକିବା ବ୍ୟବସ୍ଥା ଅଛି। ଏମ୍ସିସି ପରିଚାଳନା କରୁଥିବା ଗୋଷ୍ଠୀମାନଙ୍କୁ ଏ ବାବଦରେ ମାସକୁ ୪ହଜାର ୫ଶହ ଟଙ୍କା ଦିଆଯାଉଛି। ଅର୍ଥାତ୍ ଗନ୍ଧ ନ ହେବାକୁ ମାସକୁ ୩୦ଟି ଏମ୍ସିସି ପିଛା ବିଏମ୍ସି ୧ ଲକ୍ଷ ୩୫ ହଜାର ଟଙ୍କା ଖର୍ଚ୍ଚ କରୁଛି।
ଏହି ଅର୍ଥ ସିଧା ସଳଖ ଏମ୍ସିସି ପରିଚାଳନା କରୁଥିବା ଏସ୍ଏଚ୍ଜି ଗୋଷ୍ଠୀଙ୍କ ଖାତାକୁ ଯାଉଛି। ହେଲେ ତାହା ପକାଯାଉଛି କି ନାହିଁ ତାହା କେହି ଦେଖୁନାହାନ୍ତି। ଯଦି ପକାଯାଉଛି ତେବେ ଦୁର୍ଗନ୍ଧ କାହିଁକି ହେଉଛି? ଯଦି ଅଧିକ ଆବଶ୍ୟକତା ଅଛି ତେବେ କାହିଁକି ଦିଆଯାଉନାହିଁ? ଏଭଳି ଅନେକ ପ୍ରଶ୍ନ ଏବେ ଏହାର ପରିଚାଳନା ପ୍ରକ୍ରିୟାକୁ ବିବାଦକୁ ଟାଣିଛି।
ଉଲ୍ଲେଖଯୋଗ୍ୟ, ସହରର ଆବର୍ଜନା ପରିଚାଳନା ପାଇଁ ହାଇକୋର୍ଟ ପ୍ରଦୂଷଣ ନିୟନ୍ତ୍ରଣ ପରିଷଦର ତାଗିଦ୍ ପରେ ତତ୍ପରତା ପ୍ରକାଶ ପାଇଥିଲା। ସରକାରଙ୍କ ଗୃହ ଓ ନଗର ଉନ୍ନୟନ ବିଭାଗରୁ ବରିଷ୍ଠ ଅଧିକାରୀମାନେ ବିଭିନ୍ନ ରାଜ୍ୟକୁ ଯାଇ କଠିନ ବର୍ଜ୍ୟବସ୍ତୁ ପରିଚାଳନା ଉପରେ ବିଭିନ୍ନ ପ୍ରକଳ୍ପ ବୁଲି ଦେଖିଥିଲେ। ସେଥିରୁ ଏହି ଏମ୍ସିସିକୁ ପସନ୍ଦ କରିବା ସହ ଜ୍ଞାନ ଆହରଣ କରିଥିଲେ। ଆବର୍ଜନା ସଂଗ୍ରହ ହେବ ଓ ଆବର୍ଜନାରୁ ଖତ ହେବ ବୋଲି ଯୋଜନା କଲେ। କିନ୍ତୁ ଏହାକୁ କାର୍ଯ୍ୟକ୍ଷମ କଲା ବେଳେ ଭୁବନେଶ୍ବରର ପାରିପାର୍ଶ୍ବିକ ସ୍ଥିତି ଓ ଏହାର କାର୍ଯ୍ୟକାରିତାକୁ ବିଚାରକୁ ନେଲେନାହିଁ। ଫଳରେ ଏହା ବିଫଳ ହେବା ଆଶଙ୍କା ସୃଷ୍ଟି ହୋଇଛି। ଗୋଟିଏ କେନ୍ଦ୍ରରେ ପ୍ରାୟ କୋଟିଏ ଟଙ୍କା ଖର୍ଚ୍ଚ ହେଉଛି। ୩୦କେନ୍ଦ୍ରରେ ୩୦ କୋଟି ଖର୍ଚ୍ଚ ସରିଲାଣି। ହେଲେ ଏହାର ବିଫଳ ପରିଚାଳନାର ପରିଣାମ ଏବେ କେବଳ ବିଏମ୍ସି ନୁହେଁ, ବରଂ ସମଗ୍ର ରାଜଧାନୀବାସୀ ଭୋଗିବାକୁ ଯାଉଛନ୍ତି।