ପ୍ରଥମ କ୍ୟାବିନେଟରେ ନିଆଗଲା ବଡ଼ ନିଷ୍ପତ୍ତି: ଆବାସ ଯୋଜନାରେ ମିଳିବ ଆଉ ୩ କୋଟି ଘର
1 min readପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଆଜି କ୍ୟାବିନେଟ ବୈଠକ ବସିଥିଲା। ରବିବାର ଶପଥ ନେଇଥିବା ୩୦ ଜଣ କ୍ୟାବିନେଟ ମନ୍ତ୍ରୀ ଆଜିର ବୈଠକରେ ଉପସ୍ଥିତ ରହିଥିଲେ । ତେବେ ଆଜି ଦେଶର ପ୍ରଥମ କ୍ୟାବିନେଟର ବଡ ନିଷ୍ପତ୍ତିରେ ମୋହର ବାଜିଛି । ସର୍ବସମ୍ମତିକ୍ରମେ ଦେଶର ଗ୍ରାମାଞ୍ଚଳର ଓ ସହରାଞ୍ଚଳରେ ଆଉ ୩ କୋଟି ଘର ନିର୍ମାଣ କରିବା କାମରେ କେନ୍ଦ୍ର ସରକାର ସହାୟତା କରିବେ ବୋଲି ନିଷ୍ପତ୍ତି ନେଇଛନ୍ତି।
ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅଧୀରେ ଦେଶରେ ଆଉ ୩ କୋଟି ଘର ନିର୍ମାଣ ପ୍ରସ୍ତାବକୁ କ୍ୟାବିନେଟ ମୋହର ମାରିଛି। ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ଯୋଗ୍ୟ ହିତାଧିକାରୀଙ୍କୁ ଏହି ଘର ବଣ୍ଟନ କରାଯିବ। ଏଥିପାଇଁ କେନ୍ଦ୍ର ସରକାର ଆର୍ଥିକ ସହାୟତା କରିବେ। ଭାରତ ସରକାର ୨୦୧୫-୧୬ ବର୍ଷରୁ ପ୍ରଧାନମନ୍ତ୍ରୀ ଆୱାସ ଯୋଜନା କାର୍ୟ୍ୟକାରୀ କରୁଛନ୍ତି, ଯାହାର ଉଦ୍ଦେଶ୍ୟ ହେଉଛି ଯୋଗ୍ୟ ଗ୍ରାମୀଣ ତଥା ସହରାଞ୍ଚଳ ପରିବାରକୁ ମୌଳିକ ସୁବିଧା ସହ ଘର ନିର୍ମାଣରେ ସହାୟତା ଯୋଗାଇବା।
ସେହିଭଳି ପ୍ରଧାନମନ୍ତ୍ରୀ ଆୱାସ ଯୋଜନା ଅଧୀନରେ ଗତ ୧୦ ବର୍ଷ ମଧ୍ୟରେ ଯୋଗ୍ୟ ଗରିବ ପରିବାର ପାଇଁ ମୋଟ ୪.୨୧ କୋଟି ଘର ନିର୍ମାଣ କାର୍ଯ୍ୟ ଶେଷ ହୋଇଛି। ତଥାପି ଅନେକ ହିତାଧିକାରୀ ବାଦ ପଡ଼ିଥିବାରୁ ସେମାନଙ୍କୁ ସହଯୋଗ କରିବା ପାଇଁ ଆଉ ୩ କୋଟି ଗୃହ ନିର୍ମାଣ ହେବ। ଏହି ଯୋଜନାରେ ନିର୍ମାଣ ହେଉଥିବା ପ୍ରତଟି ଘରେ ଟଏଲେଟ, ଏଲପିଜି ସଂଯୋଗ, ବିଜୁଳି ସଂଯୋଗ ଓ ପାଣି ବାହାରୁଥିବା ଟ୍ୟାପ୍ ଲଗାଯିବ । ବିଭିନ୍ନ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଯୋଜନା ସହ ମିଳିତ ଭାବେ ଏପରି ଘର ନିର୍ମାଣ କରାଯାଇ ହିତାଧିକାରୀଙ୍କୁ ହସ୍ତାନ୍ତର କରାଯିବ ।