Pratidin TV

Odisha's Digital News Platform

ଭୁବନେଶ୍ୱରରେ ଅନୁଷ୍ଠିତ ହୋଇଯାଇଛି ଖଣିଜ ଓ ନିର୍ମାଣ ଯନ୍ତ୍ରାଂଶ ସମ୍ମିଳନୀ…

ଭୁବନେଶ୍ୱର: ଆଜି ଭୁବନେଶ୍ୱର ଠାରେ ଅନୁଷ୍ଠିତ ହୋଇଯାଇଅଛି, ଅନ୍ତଃରାଷ୍ଟ୍ରୀୟ ଖଣିଜ ଓ ନିର୍ମାଣ ଯନ୍ତ୍ରାଂଶ ସମ୍ମିଳନୀ । ଓଡ଼ିଶା ସରକାର ଏବଂ ସି ଆଇ ଆଇର ମିଳିତ ସହଯୋଗରେ ଆୟୋଜିତ ଏ ସମ୍ମିଳନୀରେ ଭାରତ ତଥା ବିଶ୍ୱର ଅନେକ ବଡ କମ୍ପାନୀ ଯୋଗଦେବା ସହ ଆଲୋଚନା ଚକ୍ରରେ ଭାଗନେଇଥିଲେ । ଏ କାର୍ଯ୍ୟକ୍ରମର ବିଶେଷତ୍ୱ ହେଉଛି ରାଜ୍ୟରେ ଥିବା ଖଣିଜ ଉତ୍ସ ଗୁଡିକରେ ଉତ୍ପାଦନ ପାଇଁ ବ୍ୟବହୃତ ହେଉଥିବା ଯନ୍ତ୍ରାଂଶ, ଏହାର ଉତ୍ପାଦକ, କ୍ରେତା, ନିବେଶକ, ତଥା ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀମାନଙ୍କୁ ନେଇ ରାଜ୍ୟର ଖଣିଜ ଉତ୍ପାଦକୁ ନୂତନ ଯନ୍ତ୍ରାଂଶ ମାଧ୍ୟମରେ ବହୁ ଗୁଣିତ କରିବା । ଯାହା ଦ୍ୱାରା ରାଜ୍ୟର ଅର୍ଥନୈତିକ ଅଭିବୃଦ୍ଧି ହେବା ସହ ଅନେକ ନୂତନ ରୋଜଗାର ପାଇଁ ସୁଯୋଗ ମଧ୍ୟ ସୃଷ୍ଟି କରାଯାଇପାରିବ ।

ଏହି ଉତ୍ସବରେ ଅତିଥି ଭାବରେ ଯୋଗଦେଇଥିଲେ ଶ୍ରୀ ବିବେକ ଭାଟିଆ, ଚେୟାରମେନ ସି ଆଇ ଆଇ । ନୂଆ ସମୟର ଯନ୍ତ୍ରାଂଶ ଓ ଖଣିଜ କ୍ଷେତ୍ରରେ ଏହାର ପ୍ରୟୋଗର ଆବଶ୍ୟକତା ଉପରେ ଆଲୋକପାତ କରାଯାଇଥିଲା । ରାଜ୍ୟସରକାରଙ୍କ ଶିଳ୍ପ ବିଭାଗରେ ପ୍ରମୁଖ ଶାସନ ସଚିବ ଶ୍ରୀ ହେମନ୍ତ ଶର୍ମା, ରାଜ୍ୟର ବିକାଶରେ ଖଣିଜ ପଦାର୍ଥର ଆବଶ୍ୟକତା ଅନୁସାରେ ଆବଶ୍ୟକ ପରିମାଣର ଅତ୍ୟାଧୁନିକ ଯନ୍ତ୍ରପାତି ଓ ତାର ପରିଚାଳନା ପାଇଁ ମାନବ ସମ୍ବଳର ଦକ୍ଷତା ବିକାଶ ଉପରେ ଆଲୋକପାତ କରିଥିଲେ । ରାଜ୍ୟ ଖଣିଜ ସଂପଦର ପରିଚାଳନାରେ ଏହାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିବା ସହ ରାଜ୍ୟସରକାରଙ୍କ ଏ ଦିଗରେ ବିଶେଷ ଗୁରୁତ୍ୱ କୁ ପ୍ରଶଂସା କରିଥିଲେ । ରାଜ୍ୟର ବିକାଶରେ ଭାଗିଦାରୀ ହୋଇଥିବା ଖଣିଜ ପଦାର୍ଥ ଓ ତାର ପରିଚାଳନା, ଉତ୍ପାଦନ ବୃଦ୍ଧିରେ ନୂତନ ଯନ୍ତ୍ରାଂଶର ଆବଶ୍ୟକତା ଉପରେ ଗୁରୁତ୍ୱ ଦେଇଥିଲେ । ଶେଷରେ ସି ଆଇ ଆଇ ଓଡିଶା କାଉନସିଲର ଚେୟାରମେନ ଶ୍ରୀ ଶଶି ଶେଖର ମହାନ୍ତି ଧନ୍ୟବାଦ ଅର୍ପଣ କରିବା ସହ ରାଜ୍ୟ ସରକାରଙ୍କ ଏଭଳି ଯୁଗାନ୍ତକାରୀ ପଦକ୍ଷେପ ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ ।

Leave a Reply

Your email address will not be published. Required fields are marked *