ହସ୍ପିଟାଲରେ ହୋଇଥିଲା ବନ୍ଧୁତା,ବର୍ଷକ ଭିତରେ ଆକାଉଣ୍ଟ ଖାଲି କରିଦେଲା ବନ୍ଧୁ…
1 min readହସ୍ପିଟାଲରେ ଦେଖା ହୋଇଥିଲା । କିଛି ସମୟର ମିଳାମିଶା ଆଉ ତାପରେ ବନ୍ଧୁତା । ହେଲେ ଏଇ କିଛି କ୍ଷଣରେ ବନ୍ଧୁତା ସାଜିଥିବା ବନ୍ଧୁ ଏତେ ବଡ କ୍ଷତି କରିବ ତାହା ବିଶ୍ୱାସ ନଥିଲା । କାରଣ ଜଣଙ୍କୁ ଗୋଟେ ନୁଆ ସାଙ୍ଗ ମିଳି ଯାଇଥିବା ବେଳେ ଆଉ ଜଣକୁ ଯେମିତି ଠକିବା ପାଇଁ ନୁଆ ଶିକାର ମିଳିଯାଇଥିଲା । ହଁ ଆଜ୍ଞା ବନ୍ଧୁତାର ସମ୍ପର୍କରେ ଜଣେ ବିଶ୍ୱାସ କରିଥିବା ବେଳେ ଆଉ ଜଣେ ଟଙ୍କା ଲୋଭରେ ବନ୍ଧୁ ସାଜିଥିଲା । ବର୍ଷେ ଭିତରେ ଖାଲି କରିଦେଲା ଆକାଉଣ୍ଟ । ତେବେ ଏମ୍ସ ହସ୍ପିଟାଲରେ ବନ୍ଧୁତା ସ୍ଥାପନ କରିଥିବା ପୂର୍ବତନ ବାୟୁସେନା ଗ୍ରୁପ କ୍ୟାପଟେନ ସାଇବର ଲୁଟ ର ଶିକାର ହୋଇଛନ୍ତି । ୫୯ ବର୍ଷର ବୟସ୍କ କିଶୋର ଚନ୍ଦ୍ର ଗନ୍ତୟତ ଜଣେ ଅବସରପ୍ରାପ୍ତ ବାୟୁସେନା ଅଧିକାରୀ । ତାଙ୍କ ସହ ବନ୍ଧୁତା ବଢାଇ ୩୫ ଲକ୍ଷ ଟଙ୍କା ଲୁଟ କରିଥିଲେ ୨୫ ବର୍ଷୀୟ କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇ ଅଂଚଳର ସନ୍ତୋଷ ସାହୁ । ବିଶ୍ୱାସ ଜନ୍ମାଇ ଜୀବନ ତମାମ ରୋଜଗାର କରିଥିବା ସମସ୍ତ ଟଙ୍କା ପୋଛି ନେଇଗଲା ସାଇବର ଲୁଟେରା ସାଙ୍ଗ ।
ତାଙ୍କ କହିବା ଅନୁସାରେ ଅନଲାଇନ୍ ଗେମିଂ ଆପରେ ଟଙ୍କା ହରାଇଥିବା ଲୋକଙ୍କୁ ସାହାଯ୍ୟ କରିବାକୁ କହି ୩୫ ଲକ୍ଷ ଟଙ୍କା ଲୁଟି ନେଲେ ଲୁଟେରା ସାଙ୍ଗ । ପୀଡିତ ଜଣଙ୍କ ଅନଲାଇନ Game app ଲକ୍ଷାଧିକ ଟଙ୍କା ବ୍ୟୟ କରିବା ପରେ, ଅଭିଯୁକ୍ତ ନିଜକୁ Data Scientist ବୋଲି ପରିଚୟ ଦେଇ ସରଳ ବିଶ୍ୱାସର ସୁଯୋଗ ନେଇ Screen Share ଜରିଆରେ ଅଭିଯୋଗକାରୀଙ୍କ ମୋବାଇଲ ବ୍ୟବହାର କରି IMPS/ UPI / INB ଜରିଆରେ ବାଙ୍ଗାଲୋର ଓ ଆସାନସୋଲ ସ୍ଥିତ ଆକାଉଣ୍ଟ କୁ ଟଙ୍କା ପଠାଏ । ପରେ ଚତୁରତାର ସହ ପରେ ନିଜ ଆକାଉଣ୍ଟ କୁ ଟଙ୍କା ଫେରାଇ ଆଣେ । ଅକ୍ଟୋବର ୧୯ ତାରିଖରେ ଏ ନେଇ ଅଭିଯୋଗ ହେବା ପରେ ସାଇବର ଲୁଟେରା ସନ୍ତୋଷ ଙ୍କୁ ଗିରଫ କଲା ଭୁବନେଶ୍ୱର ସାଇବର ଥାନା ପୋଲିସ । ଅଭିଯୁକ୍ତ ଠାରୁ ୬ ଲକ୍ଷ ଟଙ୍କା ନଗଦ ସହ ବ୍ୟାଙ୍କ୍ ଚେକ୍ ବୁକ୍ ସହ ବ୍ୟାଙ୍କ୍ ପାସ ବୁକ୍ ଜବତ କରାଯାଇଛି । ଅଭିଯୁକ୍ତ ଜଣଙ୍କ ଉଚ୍ଚ ଶିକ୍ଷିତ । ଡାଟା ସାଇନ୍ସରେ ସେ ଡିପ୍ଲୋମା କରିଛନ୍ତି । ପୋଲିସ ଅଭିଯୁକ୍ତକୁ ଗିରଫ କରି ତାଙ୍କ ବିରୋଦ୍ଧରେ ବିଭିନ୍ନ ଦଫା ଲଗାଇ ତାକୁ କୋର୍ଟଚାଲାଣ କରିଛି ।