Pratidin TV

Odisha's Digital News Platform

ଆରପାରିରେ ମାଲିକ ; ୪ ମାସ ହେବ ଡାକ୍ତରଖାନା ଶବାଗାର ଆଗରେ ଚାହିଁ ବସିଛି ପୋଷା କୁକୁର ରାମୁ …

ନୂଆଦିଲ୍ଲୀ ; ଦୀର୍ଘ ୪ ମାସ ହେବ ଶବାଗାର ଆଗରେ ଟହଳ ମାରୁଛି କୁକୁରଟିଏ । କେହି ସେଠାରୁ ଆସିଲେ କି ଗଲେ ନିଜ ମାଲିକ ଭାବି ଶୁଙ୍ଘି ପକାଉଛି ଆଉ ପୁଣି ଆସି ମୁହଁ ମାଡି ସେଇ ଶବାଗାର ବାହାରେ ବସିରହୁଛି । ନା ଅନ୍ୟ କୁକୁର ମାନଙ୍କ ସହ ମିସୁଛି ନା କିଏ ଖାଇବାକୁ ଦେଲେ ଖାଉଛି । ସତେ ଯେମିତି ସେ ତାର ଅତି ପ୍ରିୟ ଲୋକର ଫେରିବା ବାଟକୁ ଚାହିଁ ବସିଛି । ପଶୁଟିଏ ବୋଲି ଜନ୍ମ ମୃତ୍ୟୁକୁ ସିନା ଜାଣିପାରିନାହିଁ କିନ୍ତୁ ନିଜ ପ୍ରିୟ ଜନ ବା ମାଲିକ ପ୍ରତି ଥିବା ତାର ଅତୁଟ ଭଲପାଇବା ଦୀର୍ଘ ୪ ମାସ ହେବ ଲକ୍ଷ କରିଛନ୍ତି ହସ୍ପିଟାଲର ଡାକ୍ତର ଏବ ଅନ୍ୟ କର୍ମଚାରୀ । ଏଭଳି ଏକ ଘଟଣା କେରଳ ରାଜ୍ୟର କନ୍ନୁର୍ ଜିଲ୍ଲା ହସ୍ପିଟାଲ୍ ରୁ ସାମ୍ନାକୁ ଆସିଛି ।

ଜଣେ କର୍ମଚାରୀଙ୍କ କହିବା ଅନୁଯାୟୀ କୁକୁରଟି ଦୀର୍ଘ ୪ ମାସ ହେବ ଶବାଗାରକୁ ପଡ଼ିଥିବା ‘ରାମ୍ପ୍’ ( ପାହାଚ ପରି ଗଡ଼ାଣିଆ ରାସ୍ତା) ଉପରେ ଶୁଆବସା କରୁଛି। ମନେହେଉଛି, କୁକୁରର ଚିହ୍ନାଜଣା କୌଣସି ବ୍ୟକ୍ତିଙ୍କୁ ସମ୍ଭବତଃ ଏଠାକୁ ଅଣାଯାଇଥିଲା। ଅନୁସନ୍ଧାନ କରିବାରୁ ଲୋକେ କହିଲେ, ଡାକ୍ତରଖାନାକୁ ଅଣାଯାଇଥିବା ଜଣେ ରୋଗୀଙ୍କ ସହିତ ସେ କୁକୁର ଆସିଥିଲା। ଡାକ୍ତରଖାନାରେ ସେ ରୋଗୀ ମରିଯାଇଥିଲେ କିନ୍ତୁ ଶବଦ୍ୱାରର ଅନ୍ୟପଟେ ମୃତବ୍ୟକ୍ତିକୁ ନେଇଯାଇଥିବା ବେଳେ କୁକୁରଟି ଶବାଗାର ଆଗରେ ସେବେଠୁ ବସିରହିଛି । ସେ ଭାବୁଛି ତା ମାଲିକ ଏବେବି ସେଠାରେ ଚିକିତ୍ସିତ ଆଉ ସୁସ୍ଥ ହୋଇ ତା ମାଲିକ ନିଶ୍ଚୟ ଫେରିବ ଆଉ ତାକୁ ସାଙ୍ଗରେ ନେଇ ଯିବ । କିନ୍ତୁ ତା ମାଲିକ ଯେ ଆଉ ଫେରିବନାହିଁ ସେ ଅବା କିଭଳି ଜାଣିବ ।

ପୋଷା କୁକୁରଟିକୁ ଦୀର୍ଘ ୪ ମାସ ସେଠାରେ ଦେଖି ହସ୍ପିଟାଲ କତ୍ତୃପକ୍ଷ ତାକୁ ଶ୍ରଦ୍ଧାରେ ରାମୁ ଡାକୁଛନ୍ତି । ଏବଂ ସେହି ହସ୍ପିଟାଲର ଡାକ୍ତର ମାୟା ଗୋପାଳକୃଷ୍ଣନ୍ ତାକୁ ଘରେ ରନ୍ଧା ଯାଇଥିବା ଖାଦ୍ୟ ଦେଉଛନ୍ତି। ରାମୁ ଅଣ୍ଡା ଓ ମାଛ ଖାଉଛି, କିନ୍ତୁ ଭାତ ଖାଉନାହିଁ। କେବଳ ଶବାଗାର ନିକଟରେ ଶେଷ ହୋଇଥିବା ବାରଣ୍ଡାରେ ସେ ଚଲାବୁଲା କରୁଛି। ଅନ୍ୟ ବୁଲା କୁକୁରଙ୍କ ସହିତ ମିଳାମିଶା କରୁନାହିଁ। କ୍ଳାନ୍ତ ହୋଇ ଶୋଇ ପଡ଼ିଲେ ବି ମଝିରେ ମଝିରେ ମୁଣ୍ଡ ଟେକି ଶବାଗାର ଆଡ଼କୁ ଚାହୁଁଛି।ସତରେ କେତେ ନିସ୍କପଟ ଏହି ପଶୁ ଜାତି । ଆଜିର ସ୍ୱାର୍ଥପର ଦୁନିଆରେ ଯେଉଁଠି ଭାଇ,ସ୍ତ୍ରୀ ,ପିଲା ଛୁଆ ମଣିଷର ନିଜର ହେଉନାହାନ୍ତି ସେଠାରେ ଏହି କୁକୁରଟି ସମାଜ ପାଇଁ ଏକ ବଡ ଉଦାହରଣ ସାଜିଛି ।

Leave a Reply

Your email address will not be published. Required fields are marked *