Pratidin TV

Odisha's Digital News Platform

ହିଟ୍ ଷ୍ଟ୍ରୋକ୍ ରୋଗୀଙ୍କ ଚିକିତ୍ସା ପାଇଁ ଏମ୍ସ ଭୁବନେଶ୍ୱରରେ କାର୍ଯ୍ୟକରୁଛି ସ୍ୱତନ୍ତ୍ର ୟୁନିଟ୍ ।

1 min read

ଭୁବନେଶ୍ୱର : ରାଜ୍ୟରେ ପ୍ରଚଣ୍ଡ ରୌଦ୍ରତାପ କାରଣରୁ ଦିନକୁ ଦିନ ବୃଦ୍ଧି ଘଟୁଥିବା ହିଟ୍ ଷ୍ଟ୍ରୋକ୍ ରୋଗୀଙ୍କ ଚିକିତ୍ସା ନିମନ୍ତେ ଏମ୍ସ ଭୁବନେଶ୍ୱରରେ ଏକ ସ୍ବତନ୍ତ୍ର ହିଟ୍ ଷ୍ଟ୍ରୋକ୍ ୟୁନିଟ୍ କାର୍ଯ୍ୟକାରୀ ହୋଇଛି। ଅସହ୍ୟ ଗ୍ରୀଷ୍ମ କାରଣରୁ ଦେଖାଯାଉଥିବା ସନ୍ ଷ୍ଟ୍ରୋକ୍ ତଥା ଅନ୍ୟାନ୍ୟ ପରିସ୍ଥିତିର ସଫଳ ମୁକାବିଲା ନିମନ୍ତେ ଏମ୍ସରେ ଏହି ଉତ୍ସର୍ଗୀକୃତ ୟୁନିଟ୍ କାର୍ଯ୍ୟକରିବ।

ପ୍ରବଳ ଗ୍ରୀଷ୍ମ ପ୍ରବାହ ତଥା ଏନେଇ ସୃଷ୍ଟି ହେଉଥିବା ସମ୍ଭାବ୍ୟ ଆପତକାଳୀନ ପରିସ୍ଥିତିର ମୁକାବିଲା ନିମନ୍ତେ ଏମ୍ସ ଭୁବନେଶ୍ୱର ସ୍ବତନ୍ତ୍ର ହିଟ୍ ଷ୍ଟ୍ରୋକ୍ ୟୁନିଟ୍ ବିଶେଷ ସହାୟକ ହେବାନେଇ ଆଶାବ୍ୟକ୍ତ କରିଛନ୍ତି କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ଆଶୁତୋଷ ବିଶ୍ବାସ। ଆବଶ୍ୟକୀୟ ଚିକିତ୍ସା ସୁବିଧା ସହିତ ବିଭିନ୍ନ ବିଭାଗର ଡାକ୍ତରଙ୍କ ପକ୍ଷରୁ ଏହି ୟୁନିଟ୍ରେ ସେବା ପ୍ରଦାନ କରାଯିବ ବୋଲି ଡ. ବିଶ୍ବାସ ପ୍ରକାଶ କରିଛନ୍ତି। ସେହିପରି ପ୍ରଖର ଖରାରେ ନିହାତି ଆବଶ୍ୟକ ନଥିଲେ ବାହାରକୁ ନବାହାରିବାକୁ ସେ ପରାମର୍ଶ ଦେଇଛନ୍ତି। ଜରୁରୀ ପରିସ୍ଥିତିରେ ଦିନବେଳା ବାହାରକୁ ଯିବା ସମୟରେ ସମସ୍ତ ସତର୍କତାମୂଳକ ପଦକ୍ଷେପ ଯେପରିକି ସାଙ୍ଗରେ ଛତା, ଓଦା ଗାମୁଛା କିମ୍ବା ଟାୱେଲ୍ ଏବଂ ପାଣି ବୋତଲ ଭଳି ସାମଗ୍ରୀ ନେବାକୁ ଡ. ବିଶ୍ବାସ ଜନସାଧାରଣଙ୍କୁ ପରାମର୍ଶ ଦେଇଛନ୍ତି।

Advertisement

ଆଇସିୟୁ ବିଭାଗରେ କାର୍ଯ୍ୟକ୍ଷମ ଛଅ ଶଯ୍ୟା ବିଶିଷ୍ଟ ଏହି ସ୍ବତନ୍ତ୍ର ହିଟ୍ ଷ୍ଟ୍ରୋକ ୟୁନିଟ୍ ଗତ ସପ୍ତାହରୁ କାର୍ଯ୍ୟକ୍ଷମ ହୋଇଥିବା ଏମ୍ସ ମେଡିକାଲ ଅଧୀକ୍ଷକ ଡ. ଦିଲ୍ଲୀପ କୁମାର ପରିଡ଼ା ସୂଚନା ଦେଇଛନ୍ତି। ଏଯାବତ ଏମ୍ସ ଭୁବନେଶ୍ବର ପକ୍ଷରୁ ପ୍ରାୟ ୧୫ରୁ ଊର୍ଧ୍ବ ସନ୍ ଷ୍ଟ୍ରୋକ୍ ପିଡ଼ୀତ ରୋଗୀଙ୍କୁ ଚିକିତ୍ସା ପ୍ରଦାନ କରାଗଲାଣି। ଜେନେରାଲ୍ ମେଡିସିନ୍, ଟ୍ରମା ଏବଂ ଜରୁରୀକାଳୀନ ପରିସ୍ଥିତି ଏବଂ ଆୟୁଷ ବିଭାଗର ବିଭାଗୀୟ ମୁଖ୍ୟଙ୍କୁ ନେଇ ଏକ ଜରୁରୀକାଳୀନ ବୈଠକରେ ଏହି ୟୁନିଟ୍ର ସଫଳ ପରିଚାଳନା କାର୍ଯ୍ୟଶୈଳୀ ପ୍ରସ୍ତୁତି ସୁନିଶ୍ଚିତ କରାଯାଇଥିଲା।

ମେଡିସିନ୍ ବିଭାଗ ସହକାରୀ ପ୍ରଫେସର ଡ. ଶ୍ରୀକାନ୍ତ ବେହେରାଙ୍କୁ ହିଟ୍ ଷ୍ଟ୍ରୋକ ୟୁନିଟ୍ ର ନୋଡାଲ୍ ଅଧିକାରୀ ଭାବରେ ନିଯୁକ୍ତ କରାଯାଇଛି। ଏହି ୟୁନିଟ୍ରେ ଆବଶ୍ୟକୀୟ ପର୍ଯ୍ୟପ୍ତ ପରିମାଣର ଔଷଧ, ଓଆର୍ଏସ ଆଦି ଗଚ୍ଛିତ ରଖାଯାଇଛି। ସେହିପରି ଯେକୌଣସି ଜରୁରୀକାଳୀନ ପରିସ୍ଥିତିର ମୁକାବିଲା ପାଇଁ ଡାକ୍ତରୀ କର୍ମଚାରୀମାନେ ସଜାଗ ଅଛନ୍ତି। ଜନସାଧାରଣଙ୍କୁ ଗୁଣବତ୍ତାପୂର୍ଣ୍ଣ ସ୍ୱାସ୍ଥ୍ୟସେବା ପ୍ରଦାନ ନିମନ୍ତେ ଏମ୍ସ ଭୁବନେଶ୍ୱର ସର୍ବଦା ନିଜର ପ୍ରତିବଦ୍ଧତାକୁ ପ୍ରମାଣିତ କରିଛି। ଏଥିସହିତ ଏହି ଗ୍ରୀଷ୍ମ ପ୍ରବାହ ଏବଂ ପ୍ରଚଣ୍ଡ ତାତିର ଅବଧି ମଧ୍ୟରେ ଲୋକମାନେ ସେମାନଙ୍କ ସୁସ୍ଥତାକୁ ପ୍ରାଥମିକତା ଦେବା ଆବଶ୍ୟକ।

Leave a Reply

Your email address will not be published. Required fields are marked *