Pratidin TV

Odisha's Digital News Platform

ହଟିଲା ନିଲମ୍ବନ, ଶୀତକାଳୀନ ଅଧିବେଶନରେ ରାଜ୍ୟସଭାକୁ ଫେରିବେ ଆପ ସାଂସଦ ରାଘବ ଚଡ୍ଡା..

୪ମାସର ଅପେକ୍ଷା ପରେ ହଟିଲା ନିଲମ୍ବନ । ପୁଣିଥରେ ରାଜ୍ୟସଭାକୁ ଫେରିବେ ଅଭିନେତ୍ରୀ ପରିଣୀତି ଚୋପ୍ରାଙ୍କ ସ୍ୱାମୀ ତଥା ଆମ ଆଦମୀ ପାର୍ଟି ନେତା ରାଘବ ଚଡ୍ଡା । ଆଜିଠାରୁ ଆରମ୍ଭ ହୋଇଛି ଶୀତକାଳୀନ ଅଧିବେଶନ । ଯେଉଁଥିରେ ରାଜ୍ୟସଭା ସଭାପତି ଜଗଦୀପ ଧନଖଡ ଆପ ସାଂସଦଙ୍କ ଉପରେ ଲାଗିଥିବା ନିଲମ୍ବନକୁ ହଟାଇ ଦେଇଛନ୍ତି । ଏନେଇ ରାଜ୍ୟସଭାରେ ଏକ ପ୍ରସ୍ତାବ ପାରିତ କରାଯାଇଛି । ରାଜ୍ୟସଭାରେ ଏକ ବୈଠକ ମଧ୍ୟ ହୋଇଥିଲା । ବୈଠକ ପରେ ରାଜ୍ୟସଭା ଅଧ୍ୟକ୍ଷ ଚଡ୍ଡାଙ୍କୁ ସଦସ୍ୟତା ଫେରାଇବାକୁ ନିଷ୍ପତ୍ତି ନେଇଥିଲେ । ତେବେ ୧୧୫ଦିନ ପରେ ଆଜି ରାଘବଙ୍କ ନିଲମ୍ବନ ପ୍ରତ୍ୟାହାର କରାଯାଇଛି । ଏକଥା ଜଣା ପଡିବା ପରେ ରାଘବ ଚଡ୍ଡା ନିଜଖୁସି ବ୍ୟକ୍ତ କରିବା ସହ ସୁପ୍ରିମକୋର୍ଟ ଓ ରାଜ୍ୟସଭା ସଭାପତି ଜଗଦୀପ ଧନଖଡେଙ୍କୁ ଧନ୍ୟବାଦ ଜଣାଇଛନ୍ତି । ସେ କହିଛନ୍ତି, ‘୧୧ ଅଗଷ୍ଟରେ ରାଜ୍ୟସଭାରୁ ମୋତେ ନିଲମ୍ବିତ କରି ଦିଆଯାଇଥିଲା । ନିଲମ୍ବନ ରଦ୍ଦ କରିବା ପାଇଁ ସୁପ୍ରିମକୋର୍ଟ ଯାଇଥିଲି । ସୁପ୍ରିମକୋର୍ଟ ଏଥିରେ ହସ୍ତକ୍ଷେପ କଲେ ଏବଂ ୧୧୫ ଦିନ ପରେ ମୋର ନିଲମ୍ବନ ହଟିଛିି । ମୁଁ ଆପଣଙ୍କଠାରୁ ବହୁତ ଭଲପାଇବା ଏବଂ ଆଶୀର୍ବାଦ ପାଇଛି । ଆପଣ ସମସ୍ତେ ମୋତେ ଲଢ଼ିବାକୁ ସାହସ ଦେଇଛନ୍ତି । ନିଲମ୍ବନ ପ୍ରତ୍ୟାହାର କରିଥିବାରୁ ମୁଁ ସୁପ୍ରିମକୋର୍ଟ ଓ ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖଡଙ୍କୁ ଧନ୍ୟବାଦ ଜଣାଉଛି ।”


ସୂଚନା ମୁତାବକ, ଚଳିତ ବର୍ଷ ଅଗଷ୍ଟ ୧୧ରେ ଆପ ସାଂସଦ ରାଘବ ଚଡ୍ଡାଙ୍କୁ ଅନୁଶାସନହୀନତା ଅଭିଯୋଗରେ ରାଜ୍ୟସଭାରୁ ନିଲମ୍ବିତ କରାଯାଇଥିଲା । ଅଗଷ୍ଟ ମାସରେ ଦିଲ୍ଲୀ ସେବା ବିଧେୟକ ସମ୍ବନ୍ଧୀୟ ଏକ ପ୍ରସ୍ତାବ ଉପରେ ଚର୍ଚ୍ଚା ଚାଲିଥିଲା । ଏହି ସମୟରେ ୫ଜଣ ସାଂସଦଙ୍କ ନକଲି ହସ୍ତାକ୍ଷର କରିଥିବା ନେଇ ଚଢ଼ାଙ୍କ ବିରୋଧରେ ଅଭିଯୋଗ ହୋଇଥିଲା । ଏହାପରେ ରାଜ୍ୟସଭାରେ ଶାସକ ଦଳର ନେତା ପୀୟୁଷ ଗୋୟଲ ଅଗଷ୍ଟ ୧୧ରେ ଆପ୍ ନେତା ରାଘବ ଚଢ଼ାଙ୍କୁ ନିଲମ୍ବନ କରିବା ପାଇଁ ଏକ ପ୍ରସ୍ତାବ ଆଣିଥିଲେ ଯାହା ଗୃହରେ ଗୃହୀତ ହୋଇଥିଲା । ସାଂସଦଙ୍କ ବିନା ସହମତିରେ ତାଙ୍କୁ ନିଲମ୍ବନ କରାଯାଇଥିଲା ।

Leave a Reply

Your email address will not be published. Required fields are marked *