Pratidin TV

Odisha's Digital News Platform

ହଟିଲା ବ୍ରିଟିଶ ଅମଳର ଆଇନ; ଆଜିଠୁ ଲାଗୁ ହେଲା ନୂଆ ଫୌଜଦାରୀ ଆଇନ

ବ୍ରିଟିଶ ଆଇନର ଅନ୍ତ ଘଟାଇବା ପୂର୍ବକ ସୋମବାର (ଜୁଲାଇ ୧) ଠାରୁ ଦେଶରେ ନୂଆ ଫୌଜଦାରୀ ଆଇନ କାର୍ଯ୍ୟକାରୀ ହେବାକୁ ଯାଉଛି। ବ୍ରିଟିଶ ଆଇନ ଭାରତୀୟ ପିଙ୍ଗଳ କୋଡ୍‌ (ଆଇପିସି), ଫୌଜଦାରୀ ଦଣ୍ଡବିଧି ଆଇନ (ସିଆରପିସି) ଓ ଭାରତୀୟ ସାକ୍ଷ୍ୟ ଆଇନ (ଆଇଇଏ) ସ୍ଥାନରେ ନୂଆ ଆଇନ ଭାବେ ଯଥାକ୍ରମେ ଭାରତୀୟ ନ୍ୟାୟ ସଂହିତା, ଭାରତୀୟ ନାଗରିକ ସୁରକ୍ଷା ସଂହିତା ଓ ଭାରତୀୟ ସାକ୍ଷ୍ୟ ଅଧିନିୟମ କାର୍ଯ୍ୟକାରୀ ହେବ।

ଦେଶର ନ୍ୟାୟିକ ଓ ଦଣ୍ଡବିଧାନ କ୍ଷେତ୍ରରେ ନୂଆ ଅଧ୍ଯାୟ । ହଟିଲା ବ୍ରିଟିଶ ଅମଳର ଆଇନ । ଆଜିଠୁ ଦେଶରେ ଲାଗୁ ହେଉଛି ତିନୋଟି ନୂତନ ଆଇନ । ଆଇପିସି, ସିଆରପିସି ଏବଂ ଏଭିଡେନ୍ସ ଆକ୍ଟ ପରିବର୍ତ୍ତେ ଆଜିଠୁ ଲାଗୁ ହେଉଛି ଭାରତୀୟ ନ୍ୟାୟ ସଂହିତା, ନାଗରିକ ସୁରକ୍ଷା ସଂହିତା ଓ ସାକ୍ଷ୍ୟ ଅଧିନିୟମ । କେବଳ ନାଁ ପରିବର୍ତ୍ତନ ନୁହେଁ ଭାରତୀୟ ଦଣ୍ଡ ବିଧି ଆଇନରେ ଆସିବ ବ୍ୟାପକ ସଂସ୍କାର | ପ୍ରାୟ ଦେଢ଼ ଶହ ବର୍ଷ ଧରି ସମଗ୍ର ଦେଶରେ ଲାଗୁ ହୋଇ ଆସୁଥିବା ଇଂରେଜ ଅମଳର ଏହି ପୁଲିସ ଆଇନ ଆଜି ଇତିହାସ ପାଲଟି ଯାଇଛି ।

ନୂଆ ଆଇନରେ ଏକ ଆଧୁନିକ ନ୍ୟାୟ ବ୍ୟବସ୍ଥା ଅଣାଯିବ, ଏଣିକି ପୋଲିସ ସମସ୍ତଙ୍କୁ ହାତକଡ଼ି ଲଗାଇପାରିବ ନାହିଁ। ଅଭ୍ୟାସଗତ ଅପରାଧୀ, ପୂର୍ବରୁ ଫେରାର୍ ହୋଇଥିବା ଅଭିଯୁକ୍ତ, କିମ୍ବା ଆତଙ୍କବାଦୀ କାର୍ଯ୍ୟକଳାପରେ ସଂପୃକ୍ତଙ୍କୁ ହାତକଡ଼ି ଲଗାଇପାରିବ। ଜିରୋ ଏଫ୍‌ଆଇଆର୍‌, ପୁଲିସ ଅଭିଯୋଗର ଅନଲାଇନ ପଞ୍ଜୀକରଣ, ଏସ୍‌ଏମ୍‌ଏସ୍‌ ଭଳି ବୈଦ୍ୟୁତିକ ମାଧ୍ୟମରେ ସମନ ଏବଂ ସମସ୍ତ ଜଘନ୍ୟ ଅପରାଧ ପାଇଁ ଆପରାଧିକ ଦୃଶ୍ୟର ବାଧ୍ୟତାମୂଳକ ଭିଡିଓଗ୍ରାଫି ଭଳି ବ୍ୟବସ୍ଥା ଅନ୍ତର୍ଭୁକ୍ତ ହେବ। ୩ଟି ନୂଆ ଆଇନ ପୀଡ଼ିତଙ୍କୁ ତ୍ବରିତ୍ ନ୍ୟାୟ ଦେବା ଉଦ୍ଦେଶ୍ୟରେ ପ୍ରସ୍ତୁତ କରାଯାଇଛି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଚଳିତ ବର୍ଷ ଜାନୁଆରିରେ ତିନୋଟି ଆପରାଧିକ ଆଇନ ପ୍ରଣୟନ ଆପରାଧିକ ନ୍ୟାୟ ବ୍ୟବସ୍ଥାରେ ଏକ ବଡ଼ ପରିବର୍ତ୍ତନ ଆସିବ ବୋଲି କହିଥିଲେ | ନୂଆ ଆପରାଧିକ ଆଇନ ‘ପ୍ରଥମେ ନାଗରିକ, ପ୍ରଥମେ ସମ୍ମାନ ଓ ପ୍ରଥମେ ନ୍ୟାୟ’ ଭାବନାରେ ପ୍ରସ୍ତୁତ କରାଯାଇଛି ଏବଂ ପୁଲିସକୁ ଏବେ ‘ଲାଠି’ ପରିବର୍ତ୍ତେ ‘ଡାଟା’ ସହିତ କାମ କରିବାକୁ ପଡ଼ିବ ବୋଲି ସେ କହିଥିଲେ। ଗତ ବର୍ଷ ସେପ୍ଟେମ୍ବର ୨୧ରେ ଏହା ସଂସଦରେ ଅନୁମୋଦନ କରିଥିଲା । ଏହାପରେ ଡିସେମ୍ବର ୨୫ରେ ରାଷ୍ଟ୍ରପତି ମଧ୍ୟ ଏହାକୁ ଅନୁମୋଦନ କରିଥିଲେ |

Leave a Reply

Your email address will not be published. Required fields are marked *