ପୁଲିସକୁ ଚକମା ଦେଇ ଅଭିଯୁକ୍ତ ଫେରାର : ନାବାଳିକା ଅପହରଣ ମାମଲାରେ ବନ୍ଧା ହୋଇଥିଲା ଆସାମୀ…
1 min readଦେବଗଡ଼ ; ପୁଲିସ କର୍ମଚାରୀଙ୍କ ଅବହେଳା ଯୋଗୁଁ ଗତକାଲି ଜଣେ ନାବାଳିକା ଅପହରଣରେ ଗିରଫ ହୋଇଥିବା ଅଭିଯୁକ୍ତ ଦେବଗଡ଼ ସ୍ଵତନ୍ତ୍ର ଉପକାରାଗାର ସମ୍ମୁଖରୁ ଫେରାର ହୋଇଯାଇଥିବା ଜଣାପଡ଼ିଛି । ବର୍ତମାନ ସୁଦ୍ଧା ଅଭିଯୁକ୍ତକୁ ପୁଲିସ ଗିରଫ କରିବାରେ ଅସଫଳ ।
ସୂଚନା ଅନୁଯାୟୀ, କୁଣ୍ଢେଇଗୋଳା ଥାନା ଅନ୍ତର୍ଗତ ଆଉଁଳି ଗ୍ରାମର ଜଣେ ନାବାଳିକାକୁ ସେହି ଗ୍ରାମର ସୁମନ ବେହେରା(୨୨) ନାମକ ଜଣେ ଯୁବକ ଅପହରଣ କରିନେଇଥିବା ନେଇ ଗତ ୯ତାରିଖ ଦିନ କୁଣ୍ଡେଇଗୋଳା ଥାନାରେ ନାବାଳିକାର ପରିବାର ଅଭିଯୋଗ କରିଥିଲେ । ଅଭିଯୋଗ ଆଧାରରେ ଏକ ମାମଲା ରୁଜୁ କରି ଅଭିଯୁକ୍ତକୁ ଗିରଫ କରି ରବିବାର କୋର୍ଟ ଚାଲାଣ କରାଯାଇଥିଲା । ଅଦାଲତରେ ତା’ର ଜାମିନ ଆବେଦନ ଖାରଜ ହୋଇଯିବାରୁ ତାକୁ ଦେବଗଡ଼ ସ୍ଥିତ ସ୍ଵତନ୍ତ୍ର ଉପକାରାଗାରକୁ ପଠାଇ ଦିଆଯାଇଥିଲା । ମାତ୍ର ସ୍ଵତନ୍ତ୍ର ଉପକାରାଗାର ସମ୍ମୁଖରେ ପହଞ୍ଚିବା ପରେ ଦାୟିତ୍ୱରେ ଥିବା ପୁଲିସ କର୍ମଚାରୀଙ୍କ ଅବହେଳା ଓ ଦାୟିତ୍ବହୀନତାର ସୁଯୋଗ ନେଇ ଗିରଫ ଅଭିଯୁକ୍ତ ସୁମନ ସେଠାରୁ କାଳ କୌଶଳ କ୍ରମେ ପୁଲିସକୁ ଚଖମା ଦେଇ ଫେରାର ହୋଇଯାଇଛି ।
ଏନେଇ ଦାୟିତ୍ୱରେ ଥିବା କନଷ୍ଟେବଳ ଦେବଗଡ଼ ଥାନାରେ ଲିଖତ ଅଭିଯୋଗ କଲା ପରେ ପୁଲିସ ଅଭିଯୁକ୍ତ ବିରୋଧରେ ଏକ ମାମଲା ରୁଜୁ କରିବା ସହ ଫେରାର ଅଭିଯୁକ୍ତକୁ ଧରିବା ପାଇଁ ପୁଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରହିଥିବା ପୁଲିସ ସୁତ୍ରରୁ ଜଣାପଡିଛି ।