Pratidin TV

Odisha's Digital News Platform

(ଭିଡିଓ)ବାମ୍ବୁ ବିଜନେସ୍ ଦେଲା ନୂଆ ପରିଚୟ : ୧୦ ଖଣ୍ଡ ବାଉଁଶରୁ ମାଁ ପୁଅ ଆରମ୍ଭ କରିଥିଲେ ବ୍ୟବସାୟ ..

ବିହାର : ରାସ୍ତା କଡର ଛୋଟ ବ୍ୟବସାୟ ଏବେ ସାରା ଦେଶରେ ମା ପୁଅଙ୍କୁ ଆଣିଦେଇଛି ଭିନ୍ନ ଲୋକପ୍ରିୟତା । ବିହାରର ପୂର୍ଣ୍ଣିଆରେ ରହନ୍ତି ଏମିତି ଜଣେ ମା ଯିଏକି ନିଜ ପୁଅ ସହିତ ସଡ଼କ କଡରେ ବାଉଁଶ ଉତ୍ପାଦର ବ୍ୟବସାୟ କରି ସାରା ଦେଶରୁ ପାଇଛନ୍ତି ପ୍ରଶଂସା । ଏହି ମାଙ୍କ ନାଁ ହେଉଛି ଆଶା ଅନୁରାଗିଣୀ ଓ ପୁଅଙ୍କ ନାଁ ହେଉଛି ସତ୍ୟମ ସୁନ୍ଦରମ । ଅନୁରାଗିଣୀ ଓ ସତ୍ୟମ ଦୁହେଁ ମିଶି ବାଉଁଶ ନିର୍ମିତ ଉତ୍ପାଦକୁ ଦେଶର ବିଭିନ୍ନ ଅଂଚଳରେ ପହଞ୍ଚାଇବାରେ ସକ୍ଷମ ହୋଇଛନ୍ତି ।

ମଣିପୁରୀ ବାଁମ୍ବୁ ଆର୍କିଟେକଚର ନାଁରେ ତାଙ୍କର ବ୍ୟବସାୟ ନିଜସ୍ୱ ଏକ ପରିଚୟ ତିଆରି କରିବାରେ ସକ୍ଷମ ହୋଇଛି । ୨୬ବର୍ଷ ବୟସ୍କ ସତ୍ୟମ ପଶୁପକ୍ଷୀ ଓ ପ୍ରକୃତିକୁ ବେଶ ଭଲ ପାଉଥିଲେ । ଦିନକୁ ଦିନ ପ୍ଲାଷ୍ଟିକର ବ୍ୟବହାର ଓ ଏଥିରେ ହେଉଥିବା ପରିବେଶୀୟ ବିପଦ ପ୍ରତି ଶଙ୍କିତ ଥିଲେ ସତ୍ୟମ । ଘରକରଣା ଗୁଡିକ କିଭଳି ପ୍ଲାଷ୍ଟିକ ମୁକ୍ତ ହୋଇପାରିବ ସେ ଦିଗରେ ସେ ନିଜସ୍ୱ ଅନୁସନ୍ଧାନ ଓ ଗବେଷଣା ଜାରି ରଖିଥିଲେ ।

ନିଜର ଏମବିଏ ଶିକ୍ଷା ଶେଷରେ ସତ୍ୟମ ବାଉଁଶ ତିଆରି ସାମଗ୍ରୀର ବ୍ୟବସାୟ କରିବାକୁ ସିଦ୍ଧାନ୍ତ ନେଲେ । ନିଜ ମାଙ୍କ ପରାମର୍ଶ କ୍ରମେ ସେ ନିଜ ସହରର ରାସ୍ତାକଡ଼ରେ ଏକ ଛୋଟ ଦୋକାନ ଖୋଲି ନିଜର ବ୍ୟବସାୟ ଆରମ୍ଭ କଲେ । ମା ଅନୁରାଗିଣୀଙ୍କ ନିକଟରେ ଥିଲା ବାଉଁଶରେ ବିଭିନ୍ନ ଉତ୍ପାଦ ତିଆରି କରିବାର ଅନୁଭବ । କିନ୍ତୁ ପ୍ରଥମେ ସେମାନେ ୧୦ଟି ବଡ଼ ବାଉଁଶ କିଣିଆଣି ବାଉଁଶ ବୋତଲ ତିଆରି କଲେ । ଏହା ନୂଆ ଥିଲା ଓ ସ୍ୱାସ୍ଥ୍ୟ ତଥା ପରିବେଶ ପାଇଁ ହିତକର ଥିବାରୁ ସୋସିଆଲ ମିଡିଆରେ ଭାଇରାଲ ହୋଇ ଜିଲ୍ଲାପାଳଙ୍କ ଦୃଷ୍ଟିକୁ ଆସିଲା । ଜିଲ୍ଲାପାଳ ମା ପୁଅ ଯୋଡ଼ିଙ୍କ ନିକଟରେ ଉତ୍ସାହ ଓ ନବସୃଜନ ଦେଖିବା ପରେ ବିଭିନ୍ନ ଉତ୍ପାଦ ପାଇଁ ପ୍ରୋତ୍ସହିତ କଲେ । ଧୀରେ ଧୀରେ ଉତ୍ପାଦ ସଂଖ୍ୟା ବଢ଼ିଲା ଓ ରାଜ୍ୟ ଓ ଆନ୍ତଃ ରାଜ୍ୟସ୍ତରୀୟ ବାଣିଜ୍ୟ ମେଳାରେ ଯୋଗଦେବାର ସୁଯୋଗ ମିଳିଲା । ଗୁଜୁରାଟ ,କେରଳ,କର୍ଣ୍ଣାଟକ ଓ ତେଲେଙ୍ଗାନାରେ ସତ୍ୟମ ଓ ଅନୁରାଗିଣୀଙ୍କ ଉତ୍ପାଦର ଲୋକପ୍ରିୟତା ବଢିବା ସହ ମାଁ ପୁଅ ଦୁହିଁଙ୍କୁ ଅନେକ ଜାଗାରୁ ପୁରସ୍କୃତ କରାଯାଇଛି ।

Leave a Reply

Your email address will not be published. Required fields are marked *