ବାପାଙ୍କ ଅଭିଯୋଗ ପରେ ଶାଶୁଘର ମାଟିତଳୁ ଝିଅର ଶବ ଜବତ କଲା ପୋଲିସ
1 min readମୋହନା : ଗଜପତି ଜିଲ୍ଲା ଅଡବା ଥାନା ଅନ୍ତର୍ଗତ ରାଇଯୁକା ଗାଁରେ ଘଟିଛି ଏକ ଅଭାବନୀୟ ଘଟଣା । ୮ ଦିନ ପରେ ମାଟି ଖୋଳି ଶବ ଜବତ କରିଛି ଅଡବା ପୋଲିସ । ମୃତ ଦେହ ଜବତ ହୋଇଥିବା ମହିଳା ଜଣକ ହେଲେ ଅରୁଣା ବସ୍ତରାୟଙ୍କ ପତ୍ନୀ ସୁପ୍ରିୟା ବସ୍ତରାୟ । ଗତ ଜୁନ ୧୧ ରେ ଇଟା ଭାଟିରେ ନିଆଁ ଲଗାଇବା ସମୟରେ ସାମାନ୍ୟ ଅସାବଧାନତା ହେତୁ, ସୁପ୍ରିୟାଙ୍କ ଦେହରେ ନିଆଁ ଲାଗିଯାଇଥିଲା । ପରିବାର ଲୋକେ ତାଙ୍କୁ ସେଠାରୁ ଉଦ୍ଧାର କରି ମୋହନା ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ପରେ ଡାକ୍ତର ତାଙ୍କୁ ବ୍ରହ୍ମପୁର ରେଫର୍ କରିଥିଲେ ।
ଦେହର ୮୦ ଭାଗ ପୋଡି ଯାଇଥିବା ବେଳେ, ପରବର୍ତ୍ତୀ ସମୟରେ ତାଙ୍କୁ କଟକ ପଠାଯାଇଥିଲା । ସେଠାରୁ ଚିକିତ୍ସା ହୋଇ ଘରକୁ ଫେରିଥିଲେ ସୁପ୍ରିୟା । ହେଲେ, ଗତ ଜୁଲାଇ ୨୭ ତାରିଖରେ ସୁପ୍ରିୟାଙ୍କ ଶଶୁର ଘରେ ମୃତ୍ୟୁ ହୋଇଥିଲା । ତେବେ,ଘଟଣାକୁ ଦୀର୍ଘ ୮ ଦିନ ବିତିଯାଇଥିବା ବେଳେ, ଗତକାଲି ଝିଅକୁ ତାର ସ୍ୱାମୀ ଓ ଶାଶୁ ଘର ଲୋକେ ହତ୍ୟା କରିଥିବା ନେଇ ଅଡବା ଥାନାରେ ଲିଖିତ ଅଭିଯୋଗ କରିଥିଲେ ସୁପ୍ରିୟାଙ୍କ ବାପା ସଦାନନ୍ଦ ନାୟକ ।
ଅଭିଯୋଗକୁ ଆଧାର କରି ଅଡବା ଥାନାରେ ଏକ ମାମଲା ରୁଜ୍ଜୁ କରାଯିବା ସହ, ଥାନା ଅଧିକାରୀ ସୁବ୍ରତ କୁମାର ପଣ୍ଡା ଏବଂ ତାଙ୍କ ଟିମ୍ ରାଇଜୁକା ଗାଁକୁ ଯାଇ ମୋହନା ତହସିଲଦାର ହିମାଂଶୁ ଭୂଷଣ ପଳାଇଙ୍କ ଉପସ୍ଥିତିରେ ମୃତଦେହକୁ ପୋତା ଯାଇଥିବା ସ୍ଥାନରୁ ମାଟି ଖୋଳି ଶବକୁ ବାହାର କରି ଜବତ କରିବା ସହ ବ୍ୟବଛେଦ ଲାଗି ବ୍ରହ୍ମପୁର ବଡ ମେଡିକାଲକୁ ପଠାଇଛନ୍ତି । ସମସ୍ତ ତଥ୍ୟକୁ ଆଧାର କରି ତଦନ୍ତ ହେବା ପରେ ସତ୍ୟାସତ୍ୟ ଜଣାପଡିବ ବୋଲି ସୂଚନା ଦେଇଛନ୍ତି ଆର୍,ଉଦୟଗିରି ଏସଡିପିଓ କୈଳାସ ଚନ୍ଦ୍ର ବରଦା ।