କୃଷି ଆଇନ୍ ପରି ପ୍ରତ୍ୟାହୃତ ହେବ ଅଗ୍ନିବୀର: କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍ କଲେ ରାହୁଲ ଗାନ୍ଧୀ
1 min readନୂଆଦିଲ୍ଲୀ: ଅଗ୍ନିବୀରଙ୍କ ନିଯୁକ୍ତିକୁ ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଥିବା ବେଳେ ନିଆଁରେ ଘିଅ ଢାଳିଛନ୍ତି ରାହୁଲ ଗାନ୍ଧୀ । ପୂର୍ବତନ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ ସରକାରଙ୍କୁ ଚେତାବନୀ ଦେବା ସହିତ ଏହାକୁ ପ୍ରତ୍ୟାହାର କରିବାକୁ ଚେତାବନୀ ଦେଇଛନ୍ତି । ଯଦି ସରକାର ଏହି ଦାବିକୁ ନ ମାନନ୍ତି ତାହେଲେ ଆନ୍ଦୋଳନ ତୀବ୍ର କରାଯିବ । କଂଗ୍ରେସର ଆନ୍ଦୋଳନ କାରଣରୁ କେନ୍ଦ୍ର ସରକାର କୃଷି ଆଇନକୁ ପ୍ରତ୍ୟାହାର କରି ନେଇଥିଲେ ।
ବିହାରରେ ଅଗ୍ନିପଥ ଯୋଜନାକୁ ନେଇ ହିଂସା ଥମିବାର ନାଁ ନେଉନାହିଁ । ଶୁକ୍ରବାର ବିକ୍ଷୋଭକାରୀମାନେ ୩ରୁ ଅଧିକ ଟ୍ରେନରେ ନିଆଁ ଲଗାଇବା ସହ ଷ୍ଟେସନରେ ଭଙ୍ଗାରୁଜା କରିଥିଲେ । ଶନିବାର ମଧ୍ୟ ଯୁବକମାନେ ଜହାନାବାଦରେ ବ୍ୟାପକ ଭଙ୍ଗାରୁଜା କରିଛନ୍ତି ।ଜହାନାବାଦ ଜିଲ୍ଲାର ଟେହଟାରେ ବିକ୍ଷୋଭକାରୀ ଏକ ଟ୍ରକ୍ ଓ ବସରେ ନିଆଁ ଲଗାଇ ଦେଇଛନ୍ତି । ଏହି ଘଟଣା ଟେହଟା ଆଉଟ୍ ପୋଷ୍ଟ ନିକଟରେ ଘଟିଛି । ବିକ୍ଷୋଭକାରୀମାନେ ବିଭିନ୍ନ ସ୍ଥାନରେ ପଥର ମାଡ ମଧ୍ୟ କରିଛନ୍ତି । ଖବର ପାଇ ପୋଲିସ ଫୋର୍ସ ଘଟଣାସ୍ଥଳରେ ପହଁଚିଛନ୍ତି । ବିହାରର ୧୨ ଜିଲ୍ଲାରେ ୪୮ ଘଣ୍ଟା ପାଇଁ ଇଣ୍ଟରନେଟ୍ ବନ୍ଦ କରି ଦିଆଯାଇଛି ।
ହରିୟାଣାର ଏକ ଜିଲ୍ଲାରେ ଇଣ୍ଟରନେଟ୍ ସହ ଏସଏମଏସ ସେବା ବି ବନ୍ଦ କରାଯାଇଛି । ଏହାମଧ୍ୟରେ ବିହାରର ବିଭିନ୍ନ ଛାତ୍ର ସଙ୍ଗଠନ ଶନିବାର ରାଜ୍ୟରେ ବନ୍ଦ ଡାକରା ଦେଇଛନ୍ତି । ବନ୍ଦକୁ ଆରଜେଡି, ଏଚଏଏମ୍ ଓ ଭିଆଇପି ଦଳ ସମର୍ଥନ କରିଛନ୍ତି ।
ଏସବୁ ମଧ୍ୟରେ ଆଜି କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଡାକିଛନ୍ତି ।