Pratidin TV

Odisha's Digital News Platform

ଅକ୍ଷୟ ମହାନ୍ତିଙ୍କ ଜୀବନୀ ନୁହେଁ, ତାଙ୍କ ଗୀତକୁ ନେଇ ଆସୁଛି ଫିଲ୍ମ ‘ଖୋକା ଭାଇ ତମ ପାଇଁ’…

1 min read

ଅକ୍ଷୟ ମହାନ୍ତି କେବଳ ଜଣେ ବ୍ୟକ୍ତିର ନାଁ ନୁହେଁ, ଏକ ଇତିହାସ । ଓଡ଼ିଆ ଗୀତ ଓ ସଙ୍ଗୀତର ଏକ ଜୀବନ୍ତ ଇତିହାସ । ‘ଯା’ରେ ଭାସି ଭାସି ଯା’’ଠାରୁ ‘କଳଙ୍କିତ ଏକ ନାୟକ’ ପର୍ଯ୍ୟନ୍ତ ଏକ ଲମ୍ବା ଇତିହାସର ନାଁ ଅକ୍ଷୟ ମହାନ୍ତି । ସେହି ଇତିହାସ ଆଜି ମଧ୍ୟ ଜୀବିତ ଆମମାନଙ୍କ ଭିତରେ ତାଙ୍କ ସଙ୍ଗୀତ ମାଧ୍ୟମରେ ଆଉ ତା’ର ପ୍ରମାଣ ନେଇକି ଆସୁଛି କୁହୁ ସିନେ ଫ୍ଲିକ୍ସ ଭଦ୍ର ମୋସନ ଷ୍ଟୂଡିଓ ମିଳିତ ଉଦ୍ୟମରେ ଏକ ନିଆରା ଫିଲ୍ମ ‘ଖୋକା ଭାଇ ତମ ପାଇଁ’ ଯାହାର ଟାଇଟଲ ଘୋଷଣା ହୋଇଛି ରାଜଧାନୀର ଏକ ଘରୋଇ ହୋଟେଲରେ । ଏହି ଫିଲ୍ମର ନିର୍ଦ୍ଦେଶନା ଦାୟୀତ୍ୱରେ ଗିରିଶ ମହାନ୍ତି ଓ ତାଙ୍କ ଟିମ୍ ଥିଲା ବେଳେ କାହାଣୀ ଲେଖିଛନ୍ତି ଭରଦ୍ୱାଜ ପଣ୍ଡା ଓ ଅକ୍ଷୟ ମହାନ୍ତିଙ୍କ ସୁପୁତ୍ର ମିତ୍ରଭାନୁ ମହାନ୍ତି ।


ତେବେ ଆକାଶବାଣୀର ସୁଗମ ସଙ୍ଗୀତଠାରୁ ଓଡ଼ିଆ ସିନେମା ସଙ୍ଗୀତ ଏବଂ ଆଧୁନିକ ଓଡ଼ିଆ ସଙ୍ଗୀତ ଯାଏଁ ସବୁଠି ଖୋକା ଭାଇ ରାଜ୍ କରିଥିଲେ । ତାଙ୍କ ଶବ୍ଦରେ ଓ ସୁରରେ ଥିଲା ଖାଣ୍ଟି ଓଡ଼ିଆମୀ । ସମାଜର ସାଧାରଣ ଲୋକର କଥା କହୁଥିଲା ତାଙ୍କ ଗୀତ ଅର୍ଥାତ ତାଙ୍କର ସମସ୍ତ ଗୀତରେ ରହିଥିଲା ଏକ କାହାଣୀ କେତେବେଳେ ପ୍ରେମ, କେତେବେଳେ ବିରହ ତ କେତେବେଳେ ଖୁସି । ସଙ୍ଗୀତରେ ଏମିତି ଯାଦୁ ଥିଲା ଓ ନିଆରାପଣ ଥିଲା ଯେ, ସେଥିପାଇଁ ଓଡ଼ିଶାର ବଦ୍‌ମାସ୍ ଟୋକାଙ୍କଠାରୁ ଘର କୋଣର ନୂଆବୋହୂ ପର୍ଯ୍ୟନ୍ତ ସମସ୍ତେ ଗୁଣୁଗୁଣଉ ଥିଲେ ତାଙ୍କ ଗୀତ । ଖୋକା ଭାଇ ଥିଲା ବେଳେ ଯେତିକି, ସେ ଗଲା ପରେ ତା’ଠୁ ବେଶି ଆଉ ଆଜି ଆମ କର୍ମମୟ ଜୀବନରେ ତାଙ୍କର ସେହି ଗୀତ ଗୁଡିକ ଖାପ ଖାଉଛି ଓ ସେହି ସମ୍ପର୍କକୁ ନେଇ ଫିଲ୍ମ ତିଆରି ହେବ ବୋଲି କହିଛି ପ୍ରଯୋଜନା ସଂସ୍ଥା । ଫିଲ୍ମଟି ଅକ୍ଷୟ ମହାନ୍ତିଙ୍କ ଜୀବନୀ ନୁହେଁ ବରଂ ତାଙ୍କ ସଙ୍ଗୀତରୁ ତିଆରି ଏକ ଆଧୁନିକ କାହାଣୀ ଯାହା ବର୍ତ୍ତମାନର ଯୁବପିଢିକୁ ଅକ୍ଷୟ ସଙ୍ଗୀତର ଏକ ଅପ୍ରତ୍ୟାଶିତ ଛୁଆଁ ଦେବା ସହ ପୁରୁଣା ପିଢୀର ମନରେ ଥିବା ଅକ୍ଷୟ ସଙ୍ଗୀତକୁ ଉଜାଗର କରିବ ନିଶ୍ଚୟ । ଏହି ଫିଲ୍ମଟିକୁ ଏକା ସାଙ୍ଗରେ ତିନିପୀଢି ଦେଖି ଉତ୍ସାହିତ ହେବେ ବୋଲି ସେ ଆଶା କରିଛନ୍ତି ।

Advertisement

Leave a Reply

Your email address will not be published. Required fields are marked *