Pratidin TV

Odisha's Digital News Platform

ପୁଣି ଏକ୍ସପାରି ବଟିକା ଖାଇ ୧୬ ଛାତ୍ରଛାତ୍ରୀ ଅସୁସ୍ଥ ।

1 min read

ପାରାଦ୍ୱୀପ ; ମଧ୍ୟାହ୍ନ ଭୋଜନ ପରେ ଏକ୍ସପାରୀ ଫୋଲିକ ଏସିଡ ବଟିକା ଖାଇ ଛାତ୍ର ଛାତ୍ରୀ ଅସୁସ୍ଥ ହୋଇ ପଡିବା ଭଳି ଘଟଣା ଜଗତସିଂହପୁର ପରେ ଏବେ ପାରାଦ୍ୱୀପରେ ଦେଖିବାକୁ ମିଳିଛି । ଅଠରବାଙ୍କି ଲକ୍ ପଡା ପ୍ରାଥମିକ ବିଦ୍ୟାଳୟରେ ଘଟିଛି ଏଭଳି ଘଟଣା। ବଟିକା ଖାଇବା ପରେ ୧୬ ଜଣ ଛାତ୍ର ଛାତ୍ରୀ ଅସୁସ୍ଥ ହୋଇ ଅଠରବାଙ୍କି ଡାକ୍ତରଖାନାରେ ଭର୍ତ୍ତି ହୋଇ ଚିକିତ୍ସିତ ହୋଇଛନ୍ତି। ଏହି ଘଟଣାକୁ ନେଇ ସ୍କୁଲର ପ୍ରଧାନ ଶିକ୍ଷୟତ୍ରୀ ଦାୟୀତ୍ବରେ ଥିବା ଶିକ୍ଷୟତ୍ରୀଙ୍କୁ କଲୋନୀବାସୀ ଅଟକ ରଖିଥିଲେ। ବଟିକା ଖାଇବା ପରେ ପେଟ କାମୁଡା, ବାନ୍ତି ଓ ଦେହରେ ଫଳିଯିବା ଭଳି ଲକ୍ଷଣ ଦେଖାଯାଇଥିଲା। ତେବେ ସ୍କୁଲର ମାତ୍ର ୧୮ ଜଣ ଛାତ୍ର ଛାତ୍ରୀ ବଟିକା ଖାଇଥିବା ସ୍କୁଲର ଶିକ୍ଷୟତ୍ରୀ ସୂଚନା ଦେଇଛନ୍ତି।

ତେବେ ମେଡିକାଲରେ ୧୬ ଜଣ ଛାତ୍ର ଛାତ୍ରୀଙ୍କ ନିକଟରେ ଏହାର ପାର୍ଶ୍ବ ପ୍ରତିକ୍ରିୟା ଦେଖିବାକୁ ମିଳିଥିଲା। ସେମାନଙ୍କୁ ଅଠରବାଙ୍କି ଡାକ୍ତରଖାନାରେ ଚିକିତ୍ସିତ ହେବା ପରେ ଘରକୁ ଫେରିଛନ୍ତି । ଫୋଲିକ ଏସିଡ ଆଇରନ ବଟିକା ର ଉପର ଖୋଳ ରେ ପ୍ୟାକିଂ ୨୦୨୩ ଓ ଏକ୍ସପାରୀ ଡେଟ୍ ୨୦୨୫ ଥିବା ବେଳେ ଭିତରେ ଥିବା ବଟିକା ଉପରେ ୨୦୧୯ ରେ ପ୍ୟାକିଂ ୨୦୨୧ ରେ ଏକ୍ସପାରୀ ରହିଛି। ଘଟଣାକୁ ନେଇ ଲକ୍ ପଡା କଲୋନିରେ ଉତ୍ତେଜନାପୂର୍ଣ୍ଣ ପରିସ୍ଥିତି ସୃଷ୍ଟି ହୋଇଛି। ଏହି ବଟିକା ଗୁଡିକ ମେଡିକାଲ ରୁ ସ୍କୁଲ କୁ ଯୋଗାଇ ଦିଆଯାଇଥାଏ , ଏହାକୁ ସ୍କୁଲର ପ୍ରଧାନ ଶିକ୍ଷକ/ଶିକ୍ଷୟତ୍ରୀ ରିସିଭ କରିଥାନ୍ତି। ଏବଂ ପ୍ରତ୍ୟେକ ସପ୍ତାହ ରେ ଗୋଟିଏ ଦିନ ଛାତ୍ର ଛାତ୍ରୀମାନେ ଓ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ମଧ୍ୟାହ୍ନ ଭୋଜନ ଖାଇବା ପରେ ଖାଇଥାନ୍ତି। କିନ୍ତୁ ସୋମବାର ବଟିକା ଖାଇବାର ଘଣ୍ଟାଏ ମଧ୍ୟରେ ଛାତ୍ର ଛାତ୍ରୀମାନେ ଅସୁସ୍ଥ ହୋଇପଡିଥିଲେ। ସେମାନେ ହେଲେ ସାଇ ମଲ୍ଲିକ, ପ୍ରଭାତ ବଡାଇ, ଅଭିଶେଖ୍ ସରକାର, ଚନ୍ଦନ ମାଲି, ଗୋରଖନାଥ ପରମାଣିକ, ଭବନ ରାଓ, ବୈଶାଖି ପଟ୍ଟନାୟକ, ଶୁବର୍ଣ୍ଣା ପଟେଲ, ଶୁଭଲକ୍ଷ୍ମୀ ପ୍ରଧାନ, ସୋନାଲି ପ୍ରଧାନ, ଶୁଭଶ୍ରୀ ପ୍ରଧାନ, ଆକାଶ ମଣ୍ଡଳ, ବୀଣା ମଣ୍ଡଳ ବୋଲି ଜଣାପଡିଛି। ତେବେ ଏଭଳି ଏକ ସ୍ପର୍ଶକାତର ଘଟଣା ରେ ଶିକ୍ଷୟତ୍ରୀଙ୍କୁ ଅଟକ ରଖାଯାଇଥିବା ଖବର ପାଇଥିଲେ ମଧ୍ୟ କୌଣସି ଅଧିକାରୀ ସ୍କୁଲରେ ପହଞ୍ଚି ନଥିଲେ। ଦିର୍ଘ ୪ ଘଣ୍ଟା ପରେ କଲୋନୀ ଲୋକେ ଶିକ୍ଷୟତ୍ରୀଙ୍କୁ ଛାଡି ଦେଇଥିଲେ।

Advertisement

ପିଲାମାନେ ମେଡିକାଲରୁ ଘରକୁ ଫେରିବା ପରେ ସିଆରସି ସୁଶାନ୍ତ କୁମାର ସ୍ବାଇଁ ମେଡିକାଲ ରେ ପହଞ୍ଚି ତଦନ୍ତ କରାଯିବ ବୋଲି ପ୍ରକାଶ କରିଛନ୍ତି। ପିଲାମାନଙ୍କୁ ଚିକିତ୍ସା କରାଯାଇଛି ଏବଂ ସେମାନେ ସୁସ୍ଥ ଅଛନ୍ତି ବୋଲି ମେଡିକାଲ ଅଫିସର ଡାକ୍ତର ନିର୍ମାଲ୍ୟ ବିଶ୍ବାଳ ପ୍ରକାଶ କରିଛନ୍ତି। ତେବେ ଏହି ଘଟଣାରେ ନିଜ ଦୋଷ କୁ ଘୋଡାଇ ସ୍କୁଲ ଉପରେ ଦୋଷ ଲଦିବାକୁ ଚେଷ୍ଟା କରିଛି ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ। ବିଳମ୍ବରେ ଆସି ଅଠରବାଙ୍କି ସ୍ବାସ୍ଥ୍ୟକେନ୍ଦ୍ର ରେ ପହଞ୍ଚି ଆଲୋଚନା ପରେ ଏହି ଏକ୍ସପାରୀ ବଟିକା କେଉଁଠୁ ଆସିଲା ତାହା ଜାଣିବାକୁ ଚେଷ୍ଟା କରାଯାଉଥିବା ପ୍ରକାଶ କରିଛି ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ। ଆମେ ୨୦୨୫ ପର୍ଯ୍ୟନ୍ତ ଏକ୍ସପାରୀ ଥିବା ମେଡିସିନ ପଠାଇଛୁ, ଖୋଳ ଉପରେ ୨୦୨୫ ମଧ୍ୟ ଲେଖା ହୋଇଛି କିନ୍ତୁ ଭିତରେ ଏକ୍ସପାରୀ ବଟିକା କେମିତି ବାହାରିଲା ? ଏହା ସ୍ଥାନୀୟ ଲୋକ ଓ ଶିକ୍ଷୟତ୍ରୀ ଜାଣିଥିବେ ବୋଲି ଗଣମାଧ୍ୟମ କୁ ସୂଚନା ଦେବା ସହିତ ନିଜେ ଖସିଯିବାକୁ ଚେଷ୍ଟା କରିଛନ୍ତି ଜିଲ୍ଲା ସ୍ବାସ୍ଥ୍ୟ ଅଧିକାରୀ।

Leave a Reply

Your email address will not be published. Required fields are marked *