Pratidin TV

Odisha's Digital News Platform

ବାଲେଶ୍ୱର ଟ୍ରେନ୍ ଦୁର୍ଘଟଣା ; ଶବ ଛାଡିବାକୁ ଆମ୍ବୁଲାନ୍ସ ଡ୍ରାଇଭର ନେଉଛନ୍ତି ଟଙ୍କା ..

1 min read

ଜଳେଶ୍ୱର : ବାଟବଣା ସରକାରଙ୍କ ମାଗଣା ଆମ୍ଭୁଲାନ୍ସ ସେବା । ସରକାରଙ୍କ ଘୋଷଣା ଥିଲା ବାହାନଗା ରେଳ ଦୁର୍ଘଟଣାରେ ମୃତ୍ୟୁ ବରଣ କରିଥିବା ଯାତ୍ରୀଙ୍କ ଶବକୁ ସେମାନଙ୍କ ଘରେ ପହଞ୍ଚାଇବା ପାଇଁ ଖର୍ଚ୍ଚ ବହନ କରିବ ଓଡିଶା ସରକାର।ନିଜ ଏସଆରସି ମଧ୍ୟ ସାମ୍ବାଦିକଙ୍କ ସମ୍ମୁଖରେ ଏକଥା ଦୋହରାଇଛନ୍ତି।ହେଲେ ବାହାନଗା ଟ୍ରେନ ଦୁର୍ଘଟଣାରେ ମୃତ୍ୟୁ ବରଣ କରିଥିବା ଜଳେଶ୍ଵର ବ୍ଲକ ଅଧିନସ୍ଥ ଖୁଆଡ ଗାଁର ରୁହିଆ ଟୁଡୁ ଙ୍କ ପରିବାର ନିକଟରୁ ଶବ ଆଣିବା ବାବଦରେ ଆମ୍ବୁଲାନ୍ସ ଚାଳକ ୪୫୦୦ ଟଙ୍କା ଜୋର କରି ନେଇଛନ୍ତି।ଏହି ଘଟଣାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି ହୋଇଛି।

ସୂଚନାଯୋଗ୍ୟ ଯେ ଖୁଆଡ ଗ୍ରାମର ରୁହିଆ ଟୁଡୁଙ୍କ ସହ ଅନ୍ୟ ୪ ଜଣ ଦାଦନ ଶ୍ରମିକ କରମଣ୍ଡଳ ଏକ୍ସପ୍ରେସରେ ବିଶାଖାପାଟଣା ଯାଉଥିବା ବେଳେ ଟ୍ରେନଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା।ଏହି ଦୁର୍ଘଟଣାରେ ରୁହିଆ ଟୁଡୁ ଓ ହରେନ୍ଦ୍ର ପାତ୍ରଙ୍କ ମୃତ୍ୟୁ ହୋଇଥିଲା।ତେବେ ହରେନ୍ଦ୍ର ପାତ୍ରଙ୍କ ଶବ ଗତକାଲି ଘରେ ବିନା ଖର୍ଚ୍ଚରେ ପହଞ୍ଚିଥିଲା।ରୁହିଆଙ୍କ ପରିବାର ଲୋକେ ଓ ସମ୍ପର୍କୀୟ ମାନେ ଗତକାଲି ବାହାନଗା ଯାଇଥିବାବେଳେ ଶବ ପାଇନଥିଲେ। ଏହାପରେ ସେମାନେ ପୁଣି ନୋସି ନିକଟରେ ଶବ ରହୁଥିବା ସ୍ଥାନକୁ ଯିବା ସହ ସନ୍ଧ୍ୟା ୬ ଟା ୧୦ ମିନିଟ ସମୟରେ ସେଠାରେ ରୁହିଆଙ୍କ ଶବକୁ ଚିହ୍ନଟ କରିଥିଲେ। ଆଉ ସମସ୍ତ ପ୍ରକାରର ଔପଚାରିକତା ସରିବା ପରେ ଶବ ଆଣିବା ପାଇଁ ଗାଡି ଖୋଜିଥିଲେ।ତେବେ ସେହି ସ୍ଥାନରେ ବହୁ ସଖ୍ୟାରେ ଆମ୍ବୁଲାନ୍ସ ଥିଲେ ମଧ୍ୟ ବିନା ଅର୍ଥରେ କେହି ଶବ ନେବେନି ବୋଲି ମନା କରି ଦେଇଥିଲେ।ଶେଷରେ ରୁ଼ହିଆଙ୍କ ପରିବାର ଉପାୟଶୂନ୍ୟ ହୋଇ ଅର୍ଥ ଦେବେ କହି ରାତି ପ୍ରାୟ ୧୦ ଟା ସମୟରେ ଓଡି୦୧୭୫୬୦ ନମ୍ବରର ଏକ ଆମ୍ବୁଲାନ୍ସରେ ଶବକୁ ଘରକୁ ଆଣିଥିଲେ।

Advertisement

ରୁହିଆଙ୍କ ଶବ ଘରେ ପହଞ୍ଚିବା ପରେ ପରିବାର ଠାରୁ ଆମ୍ବୁଲାନ୍ସ ଚାଳକ ଜଣକ ୫୦୦୦ ଟଙ୍କା ଦାବି କରିଥିଲେ।ରୁହିଆ ବିଶାଖାପାଟଣା ରେ ଦାଦନ ଖଟୁଥିବା ବେଳେ ଘରର ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତି ଥିଲେ। ତାଙ୍କ ମୃତ୍ୟୁରେ ପରିବାର ଲୋକ ଅତ୍ୟନ୍ତ ଭାଙ୍ଗି ପଡିଥିବା ବେଳେ ଶବ ବୋହି ଆଣିବା ବାବଦରେ ଖର୍ଚ୍ଚ କରିବାକୁ ପରିବାର ନିକଟରେ ଏତେ ଟଙ୍କା ନଥିଲା।ଏନେଇ ପରିବାର ଲୋକେ ଆମ୍ବୁଲାନ୍ସ ଚାଳକ ନିକଟରେ ଅକ୍ଷମତା ପ୍ରକାଶ କରିଥିବା ବେଳେ ଏଥିରେ ପ୍ରତିକ୍ରିୟାଶୀଳ ହୋଇ ଆମ୍ବୁଲାନ୍ସ ଚାଳକ ଜଣକ ରୁହିଆ ଙ୍କ ପରିବାରକୁ ଅଶୋଭନୀୟ ଆଚରଣ ପ୍ରଦର୍ଶନ କରିଥିଲେ। ଶେଷରେ ଯୁବନେତା ଶିବଶଙ୍କର ସାହୁ ନିଜ ଫୋନ ପେ ଜରିଆରେ ଆମ୍ବୁଲାନ୍ସ ଚାଳକକୁ ସାଢ଼େ ଚାରି ହଜାର ଟଙ୍କା ପ୍ରଦାନ କରିଥିଲେ। ଆମ୍ବୁଲାନ୍ସ ଚାଳକଙ୍କୁ ଯେଉଁ ଫୋନ ପେ ନମ୍ବରରେ ଟଙ୍କା ଦିଆଯାଇଛି ସେହି ଆକାଉଣ୍ଟ ବିଭୁତି ମୁଖୀ ନାମରେ ରହିଥିବାର ଜଣାପଡିଛି।ସେହିପରି ଉକ୍ତ ଫୋନପେ ନମ୍ବର ହେଉଛି ୮୯୦୮୦୩୦୭୬୭। ସରକାର ଟ୍ରେନ ଦୁର୍ଘଟଣାର ମୃତକ ମାନଙ୍କୁ ନିଜ ଖର୍ଚ୍ଚରେ ପହଞ୍ଚାଇବାକୁ ଡିଣ୍ଡିମ ପିଟୁଥିବା ବେଳେ ଏନେଇ ଅର୍ଥ ଆଦାୟ କରିବା ସାଧାରଣରେ ବିସ୍ମୟ ସୃଷ୍ଟି କରିଛି।

Leave a Reply

Your email address will not be published. Required fields are marked *