ପୁଣି ଯୌତୁକ ଜୁଇରେ ଜଳିଲା ନବବଧୂ ।
1 min readବାଲେଶ୍ୱର ; ମୋ ଝିଅକୁ ମାରିଦେଇ ଚିକିତ୍ସାଳୟ ଆଣିଛନ୍ତି। ଆମକୁ କିଛି ଖବର ଦେଇ ନାହାନ୍ତି। ଆମେ ଚିକିତ୍ସାଳୟ ଆସି ଶୁଣୁଛୁ ଆମ ଝିଅ ଆଉ ନାହିଁ। ମୋ ଝିଅକୁ ଟିକେ ଦେଖିବାକୁ ଚାହୁଁଛି। ତାଙ୍କୁ ମାରିଥିବା ଲୋକଙ୍କୁ କଠୋର ଦଣ୍ଡ ଦିଆଯାଉ। ଏମତି କିଛି କାନ୍ଦି କାନ୍ଦି କହୁଛନ୍ତି ଜଣେ ମା। ଲୁହ ଭରା ଆଖି ଓ ମନରେ ଦୁଃଖର ବେଦନା। ଏ ଦୃଶ୍ୟକୁ ଯିଏ କେହି ଦେଖିବ ଆଖି ଛଳ ଛଳ ହୋଇଯିବ। ବାଲେଶ୍ଵର ମୁଖ୍ୟ ଚିକିତ୍ସାଳୟ ପରିସର ମଧ୍ୟରେ ଗୁରୁବାର ଦେଖିବାକୁ ମିଳିଛି ଏଭଳି ଘଟଣା। ଖନ୍ତାପଡା ଥାନା ଶ୍ରୀଜଙ୍ଗ ଗାଁର ସୁଦର୍ଶନ ଦାସଙ୍କ ଝିଅ ସବିତା ଦାସଙ୍କ ସହ ହର୍ଷପୁରା ଗ୍ରାମର ସୁଦାମ ମ଼ହାଳିକଙ୍କ ସହ ବିବାହ ସମ୍ପନ୍ନ ହୋଇଥିଲା। ମାତ୍ର ଦୁଇ ବର୍ଷ ବିବାହ ହୋଇଥିଲା। ସେମାନଙ୍କର ଗୋଟିଏ ଆଠ ମାସର କନ୍ୟା ସନ୍ତାନ ମଧ୍ୟ ରହିଛି। ବିବାହ ପରଠାରୁ ଅଧିକ ଯୌତୁକ ଦାବି କରି ସ୍ତ୍ରୀକୁ ନିର୍ଯାତନା ଦେଉଥିଲେ ସୁଦାମ।
ଗତକାଲି ପୂର୍ବାହ୍ନ ସମୟରେ ସୁଦାମଙ୍କ ସମ୍ପର୍କୀୟ ସବିତାଙ୍କ ବାପ ଘର ଲୋକଙ୍କୁ ଝିଅର ଅସୁସ୍ଥତା ତଥା ବାଲେଶ୍ଵର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ଖବର ଦେଇଥିଲେ। ବାପ ଘର ଲୋକ ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚିବା ପରେ ଝିଅର ମୃତ୍ୟୁ ସମ୍ପର୍କରେ ଶୁଣିଥିଲେ। ଶବ ବ୍ୟବଚ୍ଛେଦ ଗୃହରେ ଝିଅର ମୃତଦେହ ରଖାଯାଇଥିବା ବେଳେ ବାପ ଘର ଲୋକଙ୍କୁ ଦେଖିବାକୁ ଦିଆଯାଇ ନଥିଲା। ଏନେଇ ହସପିଟାଲ ଫାଣ୍ଡି ସମ୍ମୁଖରେ ଉତ୍ତେଜନା ଦେଖାଯାଇଥିଲା। ଝିଅର ମୃତ୍ୟୁକୁ ସହଜରେ ଗ୍ରହଣ କରି ପାରି ନଥିଲେ ମୃତ ସବିତାର ମା। ଝିଅକୁ ଦେଖିବାକୁ ଚାହିଁଥିଲେ । ନ ଦେଖିବା ପର୍ଯ୍ୟନ୍ତ ଯିବେ ନାହିଁ ବୋଲି କାନ୍ଦି କାନ୍ଦି ଲୁହ ଭିଜା ଆଖିରେ ଅତି ଦୁଃଖରେ କହିଥିଲେ। ସସସ୍ତଙ୍କୁ ନେହୁରା ହୋଇଥିଲେ। ହେଲେ ତାଙ୍କ କଥା କେହି ଶୁଣି ନଥିଲେ।
ଝିଅକୁ ତାଙ୍କ ସ୍ବାମୀ ଓ ପରିବାର ଲୋକେ ମାରି ଦେଇଥିବା ସଂନ୍ଦେହ କରି ସଦର ଥାନାରେ ଅଭିଯୋଗ କରିଥିଲେ। ଘଟଣାରେ ଦୃଢ କାର୍ଯ୍ୟନୁଷ୍ଠାନ ଦାବି କରୁଥିଲେ। ଅନ୍ୟପଟେ ସୁଦାମ କିମ୍ବା ତାଙ୍କ ପରିବାର ଲୋକଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ। ଥାନାରେ ଅଭିଯୋଗ ପରେ ପୁଲିସ୍ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି।