Pratidin TV

Odisha's Digital News Platform

ହୃଦଘାତରେ ଆଖିବୁଜିଲେ ଅନୁପମା ଫେମ୍ ଅଭିନେତା ଋତୁରାଜ ସିଂହ…

1 min read

ରୋଲ୍ କ୍ୟାମରା ଆକ୍ସନ ଶୁଣିବା ମାତ୍ରେ ତାଙ୍କ ମୁହଁରୁ ବାହାରୁ ଥିଲା ଡାଇଲଗ୍ ଆଉ ତା ସାଙ୍ଗଙ୍କୁ ଚମତ୍କାର ଅଭିନୟ । କେତେବେଳେ ଦର୍ଶକଙ୍କ ପାଇଁ କାନ୍ଦୁଥିଲେ ତ ପୁଣି କେବେ ଦର୍ଶକଙ୍କୁ କନ୍ଦାଉଥିଲେ । କେତେବେଳେ ପଜେଟିଭ ତ କେତେବେଳେ ନେଗଟିଭ୍ ସବୁ ଚରିତ୍ରକୁ ନିଖୁଣ ଭାବରେ ନିଭାଉଥିଲେ ଋତୁରାଜ । ଟେଲିଭିଜନରୁ ଓଟିଟି ପର୍ଯ୍ୟନ୍ତ ନିଜର ଅଭିନୟର ଯାଦୁରେ ଦର୍ଶକଙ୍କ ହୃଦୟ ରେ ରାଜ କରୁଥିଲେ ଅଭିନେତା ଋତୁରାଜ । ହେଲେ ଏବେ ସମସ୍ତଙ୍କୁ ପର କରି ଦୁନିଆକୁ ଅଲବିଦା କହିଛନ୍ତି ଅଭିନେତା । ଦମଦାର ଡାଇଲଗ୍ ଡେଲିଭେରି ସାଙ୍ଗକୁ ଚମତ୍କାର ଅଭିନୟ । ସଫଳ ଉପସ୍ଥାପକ ସହିତ ନିଜର ଅଭିନୟ ମାଧ୍ୟମରେ ଦର୍ଶକଙ୍କୁ ବାନ୍ଧି ରଖୁଥିଲେ ଋତୁରାଜ । ହେଲେ ଆଜି ସମସ୍ତଙ୍କୁ ଛାଡି ଚିରନିଦ୍ରାରେ ଶୋଇ ଯାଇଛନ୍ତି । ଆଜି ସେ ଅଫେରା ରାଇଜର ଅତିଥି ସାଜିଛନ୍ତି । ୫୯ ବର୍ଷ ବୟସରେ ହୃଦଘାତରେ ଅଭିନେତା ଆଖି ବୁଜିଛନ୍ତି ।

ଅଭିନେତାଙ୍କ ମୃତ୍ୟୁ ନେଇ ତାଙ୍କ ସାଙ୍ଗ ଅମିତ ବାହଲ ସୂଚନା ଦେଇଛନ୍ତି । ତେବେ ଋତୁରାଜଙ୍କ ଏପରି ହଠାତ୍ ମୃତ୍ୟୁ ଖବର ସେଲିବ୍ରିଟି ସମେତ ଫ୍ୟାନ୍ସଙ୍କୁ ଆଶ୍ଚର୍ଯ୍ୟ କରିଛି । ତାଙ୍କର ଦେହାନ୍ତରେ ପରିବାର ଏବଂ ଟେଲିଭିଜନ ଜଗତରେ ଶୋକର ଛାୟା ଖେଳିଯାଇଛି । ସୋସିଆଲ ମିଡିଆରେ ସେଲିବ୍ରିଟି ସମେତ ଫ୍ୟାନ୍ସ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ସହ ପରିବାରକୁ ସମବେଦନା ଜଣାଇଛନ୍ତି । ରିପୋର୍ଟ ଅନୁସାରେ, ଅଭିନେତା ଗତ କିଛି ଦିନ ଧରି ଅଗ୍ନାଶୟ ରୋଗରେ ପୀଡିତ ଥିଲେ ଏବଂ ଚିକିତ୍ସିତ ମଧ୍ୟ ହେଉଥିଲେ । ତାଙ୍କ ବନ୍ଧୁ ଅମିତ ବହଲ ଅଭିନେତାଙ୍କ ମୃତ୍ୟୁ ନେଇ ଦୁଃଖ ପ୍ରକାଶ କରିଛନ୍ତି । ସେ କହିଛନ୍ତି, ଋତୁରାଜ ହୃଦ୍‌ଘାତରେ ଶେଷନିଃଶ୍ୱାସ ତ୍ୟାଗ କରିଛନ୍ତି । ଅଗ୍ନାଶୟ ଚିକିତ୍ସା ପାଇଁ ତାଙ୍କୁ କିଛି ସମୟ ପୂର୍ବରୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ତାଙ୍କୁ ଡାକ୍ତରଖାନାରୁ ଡିସଚାର୍ଜ କରାଯାଇ ଘରକୁ ଫେରିଥିଲେ ।

Advertisement

କିନ୍ତୁ ହୃଦ୍‌ରୋଗ ଜନିତ ଜଟିଳତା ଯୋଗୁଁ ଗତକାଲି (ସୋମବାର) ରାତିରେ ତାଙ୍କର ମୃତ୍ୟୁ ହୋଇଛି । ୯୦ ଦଶକରେ ଜି ଟିଭି ରିଆଲିଟି ଗେମ୍ ସୋ ‘ତୋଲ୍ ମୋଲ୍ କେ ବୋଲ୍‌’ରେ ହୋଷ୍ଟ କରି ସେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ । ସେହିପରି ତାଙ୍କୁ ଟେଲିଭିଜନର ଅନେକ ସିରିଏଲ, ବଲିଉଡର ଅନେକ ଚଳଚ୍ଚିତ୍ର ଏବଂ OTT ସିରିଜ’ରେ ମଧ୍ୟ ତାଙ୍କର ଦମଦାର ଅଭିନୟ ଦେଖିବା ପାଇଁ ମିଳିଛି । ୧୯୯୩ରେ ଜି ଟିଭିରେ ପ୍ରସାରିତ ହେଉଥିବା ଟିଭି ଶୋ ‘ବନେଗି ଅପନି ବାତ୍‌’ଜରିଆରେ ସେ ଖୁବ୍ ଲୋକପ୍ରିୟତା ହାସଲ କରିଥିଲେ । ସେହିପରି ‘ହିଟଲର ଦିଦି’, ‘ଜ୍ୟୋତି’, ‘ଅଦାଲତ’, ‘ଆହାତ’, ‘ଦିୟା ଅର ବାତି’, ଭଳି ଅନେକ ଟିଭି ସିରିଏଲରେ ତାଙ୍କ ଅଭିନୟ ଦର୍ଶକଙ୍କ ମନ ଜିଣିବାରେ ସଫଳ ହୋଇଥିଲା । ନିକଟରେ ତାଙ୍କୁ ରୂପାଲି ଗାଙ୍ଗୁଲି ଫେମ ଷ୍ଟାରପ୍ଲସର ଲୋକପ୍ରିୟ ଶୋ’ ‘ଅନୁପମା’ରେ ଦେଖିବାକୁ ମିଳିଥିଲା । ସେ ଗତ ତିନି ଦଶନ୍ଧି ଧରି ଅଭିନୟ ଜଗତରେ ସକ୍ରିୟ ଥିବାବେଳେ ତାଙ୍କ ବିୟୋଗ ଟିଭି ଇଣ୍ଡଷ୍ଟ୍ରି ପାଇଁ ଏକ ଅପୂରଣୀୟ କ୍ଷତି ।

Leave a Reply

Your email address will not be published. Required fields are marked *