ନିର୍ବାଚନ ପୂର୍ବରୁ ୩ ଜିଲ୍ଲାରେ ନୂଆ SP ଓ DSP ଙ୍କୁ ନିଯୁକ୍ତି ।
1 min readନିର୍ବାଚନକୁ ଆଉ ମାତ୍ର ହାତ ଗଣତି ଦିନ । ନିକଟରେ ରାଜ୍ୟର ୨ ଜିଲ୍ଲାପାଳ, ୫ ଏସପିଙ୍କ ସମେତ କେନ୍ଦ୍ରାଞ୍ଚଳ ଆଇଜିଙ୍କୁ ନିର୍ବାଚନ କାମରୁ ହଟାଇଥିଲେ ନିର୍ବାଚନ କମିସନ । ଯେଉଁଥିରେ ରାଉରକେଲା, ଅନୁଗୁଳରେ ଏସପି ଏବଂ କଟକର ଏସପି ଥିଲେ ।
ତେବେ ଆଜି ଏହି ଖାଲି ପଦବୀକୁ ପୂରଣ କରିଛି ନିର୍ବାଚନ କମିଶନ । ଆଜି ପ୍ରକାଶ ଆର୍ଙ୍କୁ କଟକ ଡିସିପି ଭାବେ ନିଯୁକ୍ତି ମିଳିଥିବା ବେଳେ ବ୍ରିଜେଶ କୁମାର ରାୟ ହେଲେ ରାଉରକେଲାର ଏସପି। ଏଥିସହ ଉମାଶଙ୍କର ଦାଶଙ୍କୁ ମିଳିଛି ଅନୁଗୁଳ ଏସପି ଦାୟିତ୍ୱ । ଆଉ ଅବଶିଷ୍ଟ ୨ ଜିଲ୍ଲାପାଳ, ୩ ଏସ୍ପି ଓ କେନ୍ଦ୍ରାଞ୍ଚଳ ରେଞ୍ଜ ପୁଲିସ୍ ଆଇଜି ପଦବୀ ଫାଙ୍କା ଥିବା ବେଳେ ଉକ୍ତ ପଦବୀରେ ଖୁବ୍ ଶୀଘ୍ର ନିଯୁକ୍ତି ହେବ ବୋଲି ଜଣାଯାଇଛି।
ରାଜ୍ୟରେ ସାଧାରଣ ନିର୍ବାଚନକୁ ଅବାଧ ଓ ନିରପେକ୍ଷ କରିବା ପାଇଁ ୮ ପ୍ରଶାସନିକ ଅଧିକାରୀଙ୍କୁ ନିର୍ବାଚନ ସଂକ୍ରାନ୍ତ କାର୍ୟ୍ୟରୁ ଦୂରେଇ ରଖିବାକୁ କିଛି ଦିନ ପୂର୍ବେ ନିର୍ବାଚନ କମିଶନ ରାଜ୍ୟ ମୁଖ୍ୟ ସଚିବଙ୍କୁ ନିର୍ଦ୍ଦେଶ ଦେଇଥିଲେ। ସେମାନଙ୍କ ମଧ୍ୟରେ କେନ୍ଦ୍ରାଞ୍ଚଳ ରେଞ୍ଜ ପୁଲିସ୍ ଆଇଜି ଆଶୀଷ ସିଂଙ୍କ ସମେତ ଜଗତସିଂହପୁର ଓ କଟକ ଜିଲ୍ଲାପାଳ ଏବଂ ୫ ପୁଲିସ ଏସପି ଥିଲେ । ସେମାନଙ୍କ ବିଶ୍ୱସନୀୟତା ଉପରେ ସନ୍ଦେହ ବ୍ୟକ୍ତ କରି ନିର୍ବାଚନ କମିଶନ ସେମାନଙ୍କୁ ତତ୍କାଳ ନିର୍ବାଚନ ସଂକ୍ରାନ୍ତ କାର୍ଯ୍ୟରୁ ବିରତ ରଖିବାକୁ ନିର୍ଦ୍ଦେଶନାମା ଜାରି କରିଥିଲେ। ଏବେ ସେହି ସବୁ ପଦବୀରେ ଅନ୍ୟ ଅଧିକାରୀଙ୍କୁ ନିଯୁକ୍ତି ଦିଆଯାଉଛି।