Pratidin TV

Odisha's Digital News Platform

‘ଧାରା ୩୭୦ ଏବେ ଇତିହାସ, ଜାମ୍ମୁ-କାଶ୍ମୀରକୁ କେବେ ଫେରିବାର ପ୍ରଶ୍ନ ନାହିଁ’; ଅମିତ ଶାହ

1 min read

ଜମ୍ମୁ-କାଶ୍ମୀରକୁ ଆଉ କେବେ ବି ଫେରିବ ନାହିଁ ଧାରା ୩୭୦ କିମ୍ବା ୩୫-A । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଜମ୍ମୁ-କଶ୍ମୀର ବିଧାନସଭା ନିର୍ବାଚନ ପାଇଁ ବିଜେପିର ଇସ୍ତାହାର ଜାରି କରିଛନ୍ତି। ଏଥିରେ ଜମ୍ମୁ ଓ କଶ୍ମୀର ଲୋକମାନଙ୍କ ପାଇଁ ଅନେକ ପ୍ରକାରର ପ୍ରତଶ୍ରୁତି ପ୍ରଦାନ କରାଯାଇଛି ।

ପ୍ରତି ପରିବାରର ବରିଷ୍ଠ ମହିଳାଙ୍କୁ ବର୍ଷକୁ ୧୮ ହଜାର ଟଙ୍କା ଦିଆଯିବ । ଏହା ସହିତ ମହିଳା ଏସଏଚଜି ମାନଙ୍କୁ ସହଜ ଋଣ ପ୍ରଦାନ କରାଯିବ । ୫ ଲକ୍ଷ ରୋଜଗାର ସୁଯୋଗ ସୃଷ୍ଟି କରାଯିବ । ଜମ୍ମୁ ଓ କଶ୍ମୀରରେ ଶିଳ୍ପାୟନକୁ ତ୍ବରାନ୍ବିତ କରାଯିବ । ଏହି ସମୟରେ ସେ ନ୍ୟାସନାଲ କନଫରେନ୍ସର ଇସ୍ତାହାର ବିଷୟରେ ମଧ୍ୟ ଉଲ୍ଲେଖ କରିଥିଲେ । ସେ କହିଛନ୍ତି, ” ଧାରା ୩୭୦ ଲାଗୁ ନେଇ ନ୍ୟାସନାଲ କନଫରେନ୍ସ ନିଜ ଇସ୍ତାହାରରେ ଘୋଷଣା କରିଛି ।

Advertisement

ପ୍ରାୟ ଏକ ଦଶନ୍ଧି ପରେ ଜମ୍ମୁ-କଶ୍ମୀର ବିଧାନସଭା ନିର୍ବାଚନ ହେଉଛି। କଂଗ୍ରେସ ଓ ଏନ୍‌ସି ମଧ୍ୟରେ ମେଣ୍ଟ ହୋଇଥିବା ବେଳେ ସେମାନେ ବିଜୟୀ ହେଲେ ଧାରା ୩୭୦ ଫେରାଇ ଅଣାଯିବ ବୋଲି ଉଭୟ ଦଳର ନେତା ବୟାନ ଦେଉଛନ୍ତି। ଆଜି ଏହାର ଦୃଢ଼ ଜବାବ ଦେଇ କେନ୍ଦ୍ରମନ୍ତ୍ରୀ ଶାହ କହିଛନ୍ତି, ସେ ସମଗ୍ର ଦେଶକୁ ସ୍ପଷ୍ଟ କରାଇଦେବାକୁ ଚାହାନ୍ତି ଯେ ଧାରା ୩୭୦ ସଂପ୍ରତି ଇତିହାସ ପାଲଟିଯାଇଛି। ଏହା ଆଉ ଫେରିପାରିବ ନାହିଁ। ଜମ୍ମୁ-କଶ୍ମୀରରେ ଗତ ୧୦ ବର୍ଷ ମଧ୍ୟରେ ସରକାରଙ୍କ ବିଭିନ୍ନ କାର୍ଯ୍ୟକ୍ରମକୁ ପ୍ରଶଂସା କରି ଶାହ କହିଛନ୍ତି, ଯେତେବେଳେ ମଧ୍ୟ ଭାରତ ଓ ଜମ୍ମୁ-କଶ୍ମୀରର ଇତିହାସ ଲେଖାଯିବ ସେ‌ତେବେଳେ ୨୦୧୪ରୁ ୨୦୨୪ ପର୍ଯ୍ୟନ୍ତ କାଳଖଣ୍ଡକୁ ସ୍ବର୍ଣ୍ଣାକ୍ଷରରେ ଲେଖାଯିବ।

ସୂଚନା ଅନୁଯାୟୀ, ୨୦୧୯ ଅଗଷ୍ଟ ୫ରେ କେନ୍ଦ୍ରର ମୋଦି ସରକାର ଅନୁଚ୍ଛେଦ ୩୭୦କୁ ହଟାଇ ଦେଇଥିଲେ। ଏହା ପୂର୍ବରୁ ୨୦୧୪ରେ ଜମ୍ମୁ-କଶ୍ମୀରରେ ଶେଷ ଥର ପାଇଁ ବିଧାନସଭା ଭୋଟ ହୋଇଥିଲା। ଦୀର୍ଘ ଦଶନ୍ଧି ପରେ କଶ୍ମୀରବାସୀ ନିଜ ରାଜନୈତିକ ମତାଧିକାର ସାବ୍ୟସ୍ତ କରି କେନ୍ଦ୍ରଶାସିତ ଅଞ୍ଚଳରେ ସରକାର ଗଢ଼ିବାକୁ ଯାଉଛନ୍ତି। ସେପ୍ଟେମ୍ବର ୧୮, ୨୫ ଓ ଅକ୍ଟୋବର ୧ରେ ଭୋଟ ଗ୍ରହଣ କରାଯିବ। ନ୍ୟାଶନାଲ କନ୍‌ଫରେନ୍ସ (ଏନ୍‌ସି) ଏବଂ କଂଗ୍ରେସ ମେଣ୍ଟ କରି ନିର୍ବାଚନ ଲଢ଼ୁଛନ୍ତି। ଏନ୍‌ସି ନିଜ ଘୋଷଣାପତ୍ରରେ ୩୭୦ ଫେରାଇ ଆଣିବାକୁ ପ୍ରତିଶ୍ରୁତି ଦେଇଛି। ତେବେ ଜମ୍ମୁ-କଶ୍ମୀରକୁ ସ୍ବତନ୍ତ୍ର ମାନ୍ୟତା ପ୍ରଦାନକାରୀ ସମ୍ବିଧାନର ଅନୁଚ୍ଛେଦ ୩୭୦ ଏବେ ଏକ ଇତିହାସ ପାଲଟିଯାଇଛି, ଯାହା ଆଉ କେବେ ଫେରିବ ନାହିଁ ବୋଲି ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହା ସ୍ପଷ୍ଟ କରିଛନ୍ତି।

Leave a Reply

Your email address will not be published. Required fields are marked *