Pratidin TV

Odisha's Digital News Platform

ମୋଦିଙ୍କ ଜନ୍ମଦିନରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ଅରବିନ୍ଦ କେଜ୍ରିଓ୍ୱାଲ

ଏପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି 74ତମ ଜନ୍ମଦିନ ପାଳନ କରୁଛନ୍ତି। ସେପଟେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ଆପ୍‌ ସୁପ୍ରିମୋ ଅରବିନ୍ଦ କେଜ୍ରିୱାଲ। ଆଜି ଅପରାହ୍ନରେ ସେ ଉପ ରାଜ୍ୟପାଳ ଭିକେ ସକ୍ସେନାଙ୍କୁ ଭେଟି ନିଜର ଇସ୍ତଫାପତ୍ର ପ୍ରଦାନ କରିଛନ୍ତି। ତେବେ ସେହି ସମୟରେ ଆତିଶୀ, ସୌରଭ ଭରଦ୍ୱାଜ ଓ ଗୋପାଳ ରାୟ ପ୍ରମୁଖ ଉପସ୍ଥିତ ରହିଥିଲେ। କେଜ୍ରିୱାଲ ଇସ୍ତଫା ଆପର ଅନ୍ୟତମ ବରିଷ୍ଠ ନେତା ଆତିଶୀ ମାର୍ଲେନା ଦିଲ୍ଲୀର ମୁଖ୍ୟମନ୍ତ୍ରୀ ହେବେ। ଆଜି ସେ ମଧ୍ୟ ଉପ ରାଜ୍ୟପାଳଙ୍କୁ ଭେଟି ସରକାର ଗଠନ ପାଇଁ ଦାବି ଜଣାଇଛନ୍ତି। ଅପରାହ୍ନରେ ଉପ ରାଜ୍ୟପାଳଙ୍କୁ ଇସ୍ତଫାପତ୍ର ଦେବା ପୂର୍ବରୁ ଆପ୍‌ର ବିଧାୟକ ଦଳ ବୈଠକ ଦିନ ୧୧ଟାରେ ବସିଥିଲା। ଏହି ସମୟରେ କେଜ୍ରିୱାଲ ତାଙ୍କ ଉତ୍ତରାଧିକାରୀ ଭାବେ ଆତିଶୀଙ୍କ ନାଁ ପ୍ରସ୍ତାବ ଦେଇଥିଲେ।

ଏହାକୁ ସର୍ବସମ୍ମତିକ୍ରମେ ଗ୍ରହଣ କରାଯାଇଥିଲା। ଏହାପରେ ଅପରାହ୍ନରେ ଆତିଶୀଙ୍କୁ ସାଙ୍ଗରେ ଧରି କେଜ୍ରିୱାଲ ଉପ ରାଜ୍ୟପାଳଙ୍କ ଘରେ ପହଞ୍ଚିଥିଲେ। ସେଠାରେ ସେ ନିଜର ଇସ୍ତଫାପତ୍ର ତାଙ୍କୁ ହସ୍ତାନ୍ତର କରିଥିଲେ।୫୬ ବର୍ଷୀୟ ଅରବିନ୍ଦ କେଜ୍ରିୱାଲ ପ୍ରଥମଥର ପାଇଁ ୨୦୧୩ ମସିହା ଡିସେମ୍ବର ୨୮ ତାରିଖରେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ହୋଇଥିଲେ। ତାଙ୍କ ଦଳ ମାତ୍ର ୨୮ଟି ଆସନ ଜିତିଥିଲେ ହେଁ କଂଗ୍ରେସର ୮ ଜଣ, ଜନତା ଦଳର ଏକମାତ୍ର ବିଧାୟକ ଓ ଜଣେ ସ୍ୱାଧୀନ ବିଧାୟକଙ୍କ ବାହ୍ୟ ସମର୍ଥନ ବଳରେ ସେ ଦିଲ୍ଲୀର ଦ୍ୱିତୀୟ ସର୍ବକନିଷ୍ଠ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ।କିନ୍ତୁ ସେ ମୁଖ୍ୟମନ୍ତ୍ରୀ ଭାବେ ଦିଲ୍ଲୀ ବିଧାନସଭାରେ ଜନ ଲୋକପାଳ ବିଲ ଉପସ୍ଥାପନ କରି ନପାରିବାରୁ ୨୦୧୪ ଫେବୃଆରୀ ୧୪ରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ। ଏହାପରେ ଦିଲ୍ଲୀରେ ରାଷ୍ଟ୍ରପତି ଶାସନ ଲାଗୁ ହୋଇଥିଲା। ୨୦୧୫ରେ ଅନୁଷ୍ଠିତ ବିଧାନସଭା ନିର୍ବାଚନରେ କେଜ୍ରିୱାଲଙ୍କ ଆପ୍‌ ୭୦ରୁ ୬୭ଟି ଆସନ ଜିତି ରେକର୍ଡ କରିଥିଲା। କେଜ୍ରିୱାଲ ୨୦୧୫ରୁ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ରହି ଆସିଛନ୍ତି। ହେଲେ ଆଜି ୯ ବର୍ଷ ପରେ ସେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି।

Leave a Reply

Your email address will not be published. Required fields are marked *