ବିଭାଗ ବଣ୍ଟନ ପରେ ଦାୟିତ୍ୱ ଗ୍ରହଣ କଲେ ଅଶ୍ୱିନୀ ବୈଷ୍ଣବ ଓ ଏସ୍. ଜୟଶଙ୍କର ।
1 min readଜୁନ୍ ୧୦ ସଂନ୍ଧ୍ୟାରେ ମୋଦି ୩.୦ ମନ୍ତ୍ରୀ ମଣ୍ଡଳରେ ବିଭାଗ ବଣ୍ଟନ ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର (ଜୁନ୍ ୯) ନୂତନ ଏନଡିଏ ମିଳିତ ସରକାରର ୭୧ ମନ୍ତ୍ରୀଙ୍କ ସହ ଶପଥ ଗ୍ରହଣ କରିଛନ୍ତି। ଏଥିମଧ୍ୟରୁ ତିରିଶ ଜଣ କ୍ୟାବିନେଟ ମନ୍ତ୍ରୀ, ପାଞ୍ଚଜଣଙ୍କ ସ୍ୱାଧୀନ ଦାୟିତ୍ୱ ଏବଂ ୩୬ ଜଣ ରାଜ୍ୟ ମନ୍ତ୍ରୀ ଅଟନ୍ତି।
ତେବେ ଗତକାଲି ମନ୍ତ୍ରୀମଣ୍ଡଳରେ ବିଭାଗ ବଣ୍ଟନ ପରେ ଆଜି ଦାୟିତ୍ୱ ଗ୍ରହଣ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଓ ଏସ୍. ଜୟଶଙ୍କର । ରେଳମନ୍ତ୍ରୀ ଭାବେ କାମ କରୁଥିବା ଅଶ୍ୱିନୀ ବୈଷବ ଏଥର ରେଳ ସହ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପାଇଛନ୍ତି। ସେହିଭଳି ଏସ୍ ଜୟଶଙ୍କରଙ୍କୁ ବୈଦେଶିକ ବ୍ୟାପାର ଦାୟିତ୍ୱ ମିଳିଛି । ଆଜି ହୁହେଁ ନିଜ ନିଜ ମନ୍ତ୍ରଣାଳୟରେ ପହଞ୍ଚି ଦାୟିତ୍ୱ ନେଇଛନ୍ତି । ରେଳ ମନ୍ତ୍ରାଳୟରେ ଅଶ୍ୱିନୀ ବୈଷ୍ଣବଙ୍କୁ ଫୁଲ ତୋଡା ଓ କରତାଳି ସହ ସ୍ୱାଗତ କରାଯାଇଛି । ଦାୟିତ୍ୱ ନେବା ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ରଖି କେନ୍ଦ୍ରମନ୍ତ୍ରୀ କହିଛନ୍ତି, ଦେଶବାସୀ ପୁଣିଥରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଉପରେ ଭରସା କରିଛନ୍ତି । ରେଳ ବିଭାଗ ଆଗରେ ଆଗକୁ ଅନେକ ଆହ୍ୱାନ ଅଛି । ଗତ ୧୦ ବର୍ଷରେ ମୋଦୀ ସରକାର ରେଳ ବିଭାଗକୁ ଅନେକ ଆଗକୁ ନେଇଛନ୍ତି । ଏହି ପ୍ରକ୍ରିୟା ଆଗାମୀ ଦିନରେ ବି ଜାରି ରହିବ ବୋଲି କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ।
ସେହିପରି କେନ୍ଦ୍ରମନ୍ତ୍ରୀ ଏସ୍. ଜୟଶଙ୍କର ମଧ୍ୟ ନିଜ ମନ୍ତ୍ରାଳୟରେ ପହଞ୍ଚି ଦାୟିତ୍ୱ ନେଇଛନ୍ତି । ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ଦାୟିତ୍ୱ ଦ୍ୱିତୀୟ ଥର ପାଇଁ ଗ୍ରହଣ କରିଛନ୍ତି ଜୟଶଙ୍କର । ଦାୟିତ୍ୱ ଗ୍ରହଣ କରିବା ପରେ ଜୟଶଙ୍କର କହିଛନ୍ତି, ପ୍ରଧାନମନ୍ତ୍ରୀ ମୋଦୀଙ୍କ ପ୍ରତିନିଧିତ୍ୱରେ ଭାରତର ବୈଦେଶିକ ନୀତି ଅନେକ ଆଗକୁ ଯାଇଛି । ତୃତୀୟ ଥର ପାଇଁ ଭାରତର ନେତୃତ୍ୱ ନେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ଆଗକୁ ଭାରତର ବୈଦେଶିକ ନୀତି ଆହୁରି ସଫଳ ହେବ ବୋଲି ଆଶା ରଖିଛନ୍ତି ଜୟଶଙ୍କର ।