ଆଜି ଭାରତ-ଶ୍ରୀଲଙ୍କାର ଫାଇନାଲ ଫାଇଟ୍, କିଏ ମାରିବ ବାଜି?
1 min readକଲମ୍ବୋ: ସୁପର ସଣ୍ଡେରେ ମହାମୁକାବିଲା । ଆଜି ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଦିନିକିଆ ଏସିଆ କପ୍ର ଫାଇନାଲ ଫାଇଟ୍ । ସ୍ଥାନୀୟ ରଣସିଂହ ପ୍ରେମଦାସା ଷ୍ଟାଡିୟମ୍ରେ ଭାରତୀୟ ସମୟ ମୁତାବକ ଅପରାହ୍ନ ୩ଟା ବେଳେ ମ୍ୟାଚ ଆରମ୍ଭ ହେବ । ଆଉ ମାତ୍ର କେଇ ଘଣ୍ଟାର ଅପେକ୍ଷା । କଲମ୍ବୋରେ ହେବ କ୍ରିକେଟର ଯୁଦ୍ଧ । ଦୀର୍ଘ ୧୮ ଦିନର ଲଢେଇ ପରେ ଆଜି ତାର ଫାଇନାଲ ଖେଳାଯିବ । ଗୋଟେ ପଟେ ୭ଥର ଟ୍ରଫି ହାସଲ କରିଥିବା ଭାରତ ଥିବା ବେଳେ ଅନ୍ୟପଟେ ଡିଫେଣ୍ଡିଂ ଚାମ୍ପିୟନ ଶ୍ରୀଲଙ୍କା ରହିଛି । ୨୦୧୮ର ଶେଷଥର ପାଇଁ ଭାରତ ଏହି ଟ୍ରଫି ହାସଲ କରିଥିବା ବେଳେ ଏହାରି ଭିତରେ ବିତିଗଲାଣା ୫ବର୍ଷ । ସେହପିରି ଘରୋଇ ମାଟିରେ ବାଜି ମାରିବାକୁ ଚାତକ ପରି ଚାହିଁ ବସିଛି ଶ୍ରୀଲଙ୍କା । ଉଭୟ ଦଳ ମଧ୍ୟ ଜୋରଦାର ପ୍ରସ୍ତୁତ କରିଛନ୍ତି । ତେବେ ଫାଇନାଲ ପୂର୍ବରୁ ଭାରତୀୟ ଅଲରାଉଣ୍ଡର ଅକ୍ଷର ପଟେଲଙ୍କ ହାତରେ ଆଘାତ ଲାଗିଥିବାରୁ ଏହି ଫାଇନାଲରେ ଖେଳରୁ ବାଦ ପଡିଛନ୍ତି । କିନ୍ତୁ ଏହାଠାରୁ ଅଧିକ ଧକ୍କା ଲାଗିଛି ଶ୍ରୀଲଙ୍କା ଦଳକୁ । ଘରୋଇ ଏବଂ ସ୍ପିନ୍କୁ ସହାୟତା ଦେଉଥିବା ପିଚ୍ରେ ଶ୍ରୀଲଙ୍କା ପକ୍ଷରୁ ପାଳି ଆରମ୍ଭ କରୁଥିବା ସ୍ପିନର ମାହୀଶା ଥିକ୍ସାନା ମାଂସପେଶୀରେ ଆଘାତ ଲାଗିଥିବାରୁ ଫାଇନାଲ ମ୍ୟାଚ୍ରୁ ବାଦ୍ ପଡ଼ିଛନ୍ତି । ଫଳରେ ଶ୍ରୀଲଙ୍କା ନିଶ୍ଚିତଭାବେ ଥିକ୍ସାନାଙ୍କ ଅନୁପସ୍ଥିତି ଉପଲବ୍ଧି କରିବ । ଏଥିରୁ ଫାଇଦା ଉଠାଇ ଭାରତ ଏସିଆକପ୍କୁ ଆଉ ଥରେ ଜିତିବାକୁ ଚେଷ୍ଟା କରିବ ବୋଲି ଆଶା କରିବା ସ୍ୱାଭାବିକ୍ । ଏହି ବିଜୟ କେବଳ ଭାରତ ଟାଇଟଲର ଶୂନ୍ୟସ୍ଥାନ ପୂରଣ କରିବ ନାହିଁ, ବିଶ୍ୱକପ୍ ପୂର୍ବରୁ ଦଳର ମନୋବଳ ବଢ଼ାଇବାରେ ସମର୍ଥ ହୋଇପାରିବ ।
ଦୁବାଇରେ ୨୦୧୮ରେ ଅନୁଷ୍ଠିତ ଏସିଆ କପ୍ରେ ରୋହିତ ଶର୍ମାଙ୍କ ନେତୃତ୍ୱରେ ଭାରତ ଶେଷଥର ଚାମ୍ପିଅନ ହୋଇଥିଲା । ଏହା ଥିଲା ଭାରତର ଶେଷ ଟାଇଟଲ । ଏଥିରେ ଦଳ ବାଂଲାଦେଶକୁ ୩ ୱିକେଟରେ ହରାଇ ଟାଇଟଲ ଜିତିଥିଲା । ଏହା ପରଠାରୁ ଭାରତ କୌଣସି ଫର୍ମାଟରେ କିଛି ଟାଇଟଲ ଜିତିପାରି ନାହିଁ । ଏହି ସମୟରେ ଭାରତ ୨୦୧୯ ଦିନିକିଆ ବିଶ୍ୱକପ୍ ସେମିଫାଇନାଲରେ ପ୍ରବେଶ କରିଥିଲା । ୨୦୨୨ ଟି-୨୦ ବିଶ୍ୱକପ୍ ସେମିଫାଇନାଲରେ ମଧ୍ୟ ପ୍ରବେଶ କରିଥିଲା । କିନ୍ତୁ ଉଭୟ ପ୍ରତିଯୋଗିତାରେ ଦଳ ସେମିଫାଇନାଲରୁ ବିଦାୟ ନେଇଥିଲା । ଏବେ କୋଚ୍ ରାହୁଲ ଦ୍ରାବିଡ୍ ଓ ଅଧିନାୟକ ରୋହିତ ଶର୍ମାଙ୍କଠାରୁ ଟାଇଟଲ ଆଶା କରାଯାଉଛି ।
ସେହିପରି ସୁପର-୪’ ମ୍ୟାଚ୍ରେ ଭାରତକୁ ଶ୍ରୀଲଙ୍କା ନାକେଦମ କରିଥିଲା । ଏହି ଦଳ ମଧ୍ୟ କ୍ରମାଗତ ୧୩ଟି ମ୍ୟାଚ୍ ଜିତିବା ପରେ ପରାଜିତ ହୋଇଥିଲା । ଏହା ପରେ ପାକିସ୍ତାନ ଭଳି ଶକ୍ତିଶାଳୀ ପାକିସ୍ତାନକୁ ହରାଇ ପୁଣିଥରେ ମୈଦାନକୁ ଫେରିଛି । ଏଣୁ ଶ୍ରୀଲଙ୍କା ମଧ୍ୟ ଭାରତ ଲାଗି ଟାଇଟଲ ଜିତିବାରେ ବଡ଼ ପ୍ରତିବନ୍ଧକ ହୋଇ ଛିଡ଼ା ହୋଇଛି ।