Pratidin TV

Odisha's Digital News Platform

ଆସାମରେ ପ୍ରଳୟଙ୍କରୀ ବନ୍ୟା କାଜିରଙ୍ଗା ଜାତୀୟ ଉଦ୍ୟାନରେ ମଲେଣି ୧୩୧ ବନ୍ୟଜନ୍ତୁ

ଆସାମରେ ପ୍ରଳୟଙ୍କରୀ ବନ୍ୟା। ଚଳିତବର୍ଷ ଶୀଘ୍ର ମୌସୁମୀ ପ୍ରବେଶ କରିବାରୁ ଆସାମରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ବ୍ରହ୍ମପୁତ୍ର, ବରାକ, କୋପିଲି ଭଳି ପ୍ରମୂଖ ନଦୀରେ ବନ୍ୟା ଜଳ ଉଛୁଳୁଥିବାରୁ ଉତ୍ତରପୂର୍ବ ରାଜ୍ୟର ପ୍ରାୟ ଅଧିକାଂଶ ଜିଲ୍ଲାରେ ଭୟଙ୍କର ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି।

ରାଜ୍ୟ‌ରେ ବନ୍ୟା ଯୋଗୁ ମଣିଷଙ୍କ ଭଳି ବନ୍ୟଜନ୍ତୁମାନେ ମଧ୍ୟ ଅତି ସାଂଘାତିକ ଭାବେ ପ୍ରଭାବିତ ହୋଇଛନ୍ତି। ବନ୍ୟାରେ ବର୍ତ୍ତମାନସୁଦ୍ଧା କାଜିରଙ୍ଗା ଜାତୀୟ ଉଦ୍ୟାନରେ ୧୩୧ ବନ୍ୟଜନ୍ତୁ ମରିଗଲେଣି। ମୃତ ବନ୍ୟଜନ୍ତୁଙ୍କ ମଧ୍ୟରେ ୬ ଗଣ୍ଡା ଏବଂ ୧୧୭ ହରିଣ ଅଛନ୍ତି। ୯୮ ବନ୍ୟଜନ୍ତୁ ପାଣିରେ ବୁଡ଼ି ମରିଥିବାବେଳେ ୨ ବନ୍ୟୁଜନ୍ତୁଙ୍କର ଗାଡ଼ି ଧକ୍କା ଏବଂ ୧୭ ବନ୍ୟଜନ୍ତୁଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି। ଏବେ ୨୫ ବନ୍ୟଜନ୍ତୁ ଚିକିତ୍ସାଧୀନ ଅଛନ୍ତି ଏବଂ ୫୨ ବନ୍ୟଜନ୍ତୁଙ୍କର ଚିକିତ୍ସା ଶେଷ ହୋଇଛି। ପାଖାପାଖି ୯୬ ବନ୍ୟଜନ୍ତୁଙ୍କୁ ବନ୍ୟାଜଳରୁ ଉଦ୍ଧାର କରାଯାଇଛି।

ସୂଚନା ଅନୁସାରେ, ୨୦୧୭ରେ ମଧ୍ୟ ଜାତୀୟ ଉଦ୍ୟାନରେ ବନ୍ୟାଜନିତ ସ୍ଥିତି ଅତ୍ୟନ୍ତ ଗମ୍ଭୀର ଥିଲା । କାଜିରଙ୍ଗାରେ ୩୫୦ ବନ୍ୟଜନ୍ତୁ ବନ୍ୟାଜଳରେ ବୁଡ଼ି ମରି ଯାଇଥିଲେ। ଏହାପରଠାରୁ କାଜିରଙ୍ଗାରେ ଏଭଳି ସ୍ଥିତି ଉପୁଜିନଥିଲା।

ସେହିପରି ବନ୍ୟା ଯୋଗୁ ୭୮ ଲୋକଙ୍କର ମୃତ୍ୟୁ ହେଲାଣି। ୨୯ଟି ଜିଲ୍ଲାରେ ପାଖାପାଖି ୨୩ ଲକ୍ଷ ଲୋକ ବନ୍ୟାରେ ପ୍ରଭାବିତ ହୋଇଛନ୍ତି। ରାଜ୍ୟରେ ମୋଟ୍‌ ୨୬୯ ରିଲିଫ୍‌ ଶିବିରରେ ୫୩,୬୮୯ ଲୋକ ଆଶ୍ରୟ ନେଉଛନ୍ତି।

ଅନ୍ୟପଟେ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବ ଶର୍ମା ଆଜି କହିଛନ୍ତି, ବନ୍ୟା ପାଇଁ ରାଜ୍ୟରେ ମଣିଷ ଏବଂ ପଶୁ ସମସ୍ତେ ପ୍ରଭାବିତ ହୋଇଛନ୍ତି। ସମସ୍ତଙ୍କୁ ସହାୟତା ପାଇଁ ଟିମ୍‌ ଆସାମ ୨୪ ଘଣ୍ଟା କାମ କରୁଛି ।

Leave a Reply

Your email address will not be published. Required fields are marked *