Pratidin TV

Odisha's Digital News Platform

ଆଜିବି ମନେପଡନ୍ତି ବାଜପେୟୀ,ସଦୈବ ଅଟଳ’ ସ୍ଥଳରେ ଶ୍ରଦ୍ଧାଞ୍ଜଳି ଦେଲେ ମୋଦି

1 min read

ନୂଆଦିଲ୍ଲୀ : ଆଜି ହେଉଛି ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଜନ୍ମ ଜୟନ୍ତୀ । ତାଙ୍କ ଅଭୁଲା ସ୍ମୃତିକୁ ଆଜି ମନେ ପକାଉଛି ସାରା ଦେଶ । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ସକାଳେ ତାଙ୍କ ସମାଧି ସ୍ଥଳରେ ପହଂଚିଥିଲେ । ଏଠାରେ ପ୍ରଧାନମନ୍ତ୍ରୀ ଭାଜପାର ମୂଳଦୁଆ ପକାଇଥିବା ଅଟଳଜୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଏହି ସମୟରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଏବଂ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ମଧ୍ୟ ତାଙ୍କ ସହ ଉପସ୍ଥିତ ଥିଲେ ।

narendra modi

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପ୍ରଥମେ ତାଙ୍କ ସମାଧି ସ୍ଥଳରେ ଅଟଳଜୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଏହା ପରେ ଉପରାଷ୍ଟ୍ରପତି ଜଗଦୀପ ଧନକର ତାଙ୍କୁ ଫୁଲ ଅର୍ପଣ କରିଥିଲେ । କେନ୍ଦ୍ର ମନ୍ତ୍ରୀ ଅମିତ ଶାହା, ନିର୍ମଳା ସୀତାରମଣ, ‘ବିଜେପି’ ମୁଖ୍ୟ ଜେ. ପି. ନଡ୍ଡା ପ୍ରମୁଖ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ବାଜପେୟୀ ୧୯୨୪ ମସିହା ଡିସେମ୍ବର ୨୫ ତାରିଖ ଗ୍ୱାଲିୟରର ଏକ ବ୍ରାହ୍ମଣ ପରିବାରରେ ଜନ୍ମ ଗ୍ରହଣ କରିଥିଲେ । ତାଙ୍କ ବାପା କୃଷ୍ଣବିହାରୀ ବାଜପେୟୀ ଓ ମା’ କୃଷ୍ଣା ଦେବୀ ।

୧୯୯୯ମସିହା ଅକ୍ଟୋବର ୧୩ ତାରିଖ ଦିନ ଜାତୀୟ ଗଣତାନ୍ତ୍ରିକ ସାମ୍ମୁଖ୍ୟ ନାମକ ଏକ ନୂତନ ମିଳିତ ସରକାରର ମୁଖ୍ୟ ଭାବେ ସେ କ୍ରମାଗତ ଭାବେ ଦ୍ୱିତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଦାୟିତ୍ୱ ଗ୍ରହଣ କରିଥିଲେ । ଏହା ପୂର୍ବରୁ ୧୯୯୬ ମସିହାରେ ସେ ଅଳ୍ପଦିନ ପାଇଁ ପ୍ରଧାନମନ୍ତ୍ରୀ ପଦ ସମ୍ଭାଳି ଥିଲେ । ସେ ଲୋକସଭାକୁ ୯ ଥର ନିର୍ବାଚିତ ହୋଇଥିବାବେଳେ, ରାଜ୍ୟସଭାକୁ ଦୁଇ ଥର ନିର୍ବାଚିତ ହୋଇଥିଲେ । ୨୦୧୮ ମସିହା ଅଗଷ୍ଟ ୧୬ ତାରିଖରେ ନୀରବି ଯାଇଥିଲେ ବାଜପେୟୀ ।

Leave a Reply

Your email address will not be published. Required fields are marked *