Pratidin TV

Odisha's Digital News Platform

ସଂଘର୍ଷରୁ ସଫଳତା , ଅଟୋ ଚାଲକଙ୍କ ଝିଅ ହେଲେ ଭାରତୀୟ ନୌସେନାର ଅଗ୍ନିବୀର..

1 min read

ସମୟ ସହ ତାଳ ଦେଇ ଝିଅମାନେ ଆଜି ସବୁ କ୍ଷେତ୍ରରେ ନିଜର ପାରଦର୍ଶିତା ଦେଖେଇଲେଣି । ପୁରୁଷ ସହ କାନ୍ଧ ମିଶାଇ ସୀମାରେ ଶତ୍ରୁ ସହ ଯୁଦ୍ଧ କରୁଛନ୍ତି । କୁହାଯାଏ ଯେଉଁଠି ପୁରୁଷଟିଏ ହାରିଯାଏ, ନାରୀ ସେଠାରେ ବିଜୟୀ ହୋଇଥାଏ । ଏଣୁ ଝିଅ ବି କିଛି କମ୍ ନୁହଁନ୍ତି । ଏକଥାକୁ ନିଜର ଦୃଢ ଇଚ୍ଛାଶକ୍ତି ବଳରେ ପ୍ରମାଣିତ କରିଛନ୍ତି ଉତ୍ତରପ୍ରଦେଶର ଜାନଭୀ କୁଶୱା । ନିଜର ଅଭାବୀ ପରିବାରରେ ଖୁସିର ଟିକିଏ ଆଲୋକ ଭରିଦେବାରେ ସେ ସଫଳ ହୋଇଛନ୍ତି । ଆଜି ନିଜ ଉଦ୍ୟମରେ ନିଜର ପରିଚୟ ସୃଷ୍ଟିକରିପାରିଛନ୍ତି ସେ । ସେଥିପାଇଁ ତ ଗରିବ ଅଟୋ ଚାଳକଙ୍କ ଝିଅ ହୋଇ ବି ସେ ସାଜିଛନ୍ତି ଅନ୍ୟ ମାନଙ୍କ ପାଇଁ ଉଦାହରଣ । ପେଟ ଚାଖଣ୍ଡକୁ ପାଇଁ ସକାଳୁ ସଞ୍ଜ ଯାଏ ଅଟୋ ଚଳାଉଥିଲେ ବାପା, ହେଲେ ଝିଅର ପାଠ ପଢ଼ାରେ କେବେ ବି ଅବହେଳା କରିନଥିଲେ । ଛୋଟ ବେଳୁ ଝିଅକୁ ପାଠ ପଢ଼ିବା ପାଇଁ ପ୍ରେରଣା ଦେବା ସହ କଠିନ ପରିଶ୍ରମ କରୁଥିଲେ । ତେବେ ଆଜି ଗରିବ ବାପର ଟେକ ରଖିଛି ଉତ୍ତରପ୍ରଦେଶ ର ମେଧାବୀ ଝିଅ ଜାନଭୀ କୁଶୱା । ଝିଅର ଇଛାଶକ୍ତି ଏବଂଦୃଢ଼ ମନୋବଳ ଆଗରେ ହାର ମାନିଛି ପରିବାରର ଅଭାବ । ବାପା ଅଟୋ ଚଳେଇ ପରିବାର ଚଳାନ୍ତି ହେଲେ ଝିଅ ହେଇଛି ନୌସେନାର ଅଗ୍ନିବୀର । କଥାରେ ଅଛି ପ୍ରତିଭା ଯେଉଁଠି, ଯେପରି ପରିସ୍ଥିତିରେ ଥାଉ ନା କାହିଁକି, ଦୃଢ ଇଚ୍ଛାଶକ୍ତି ଏବଂ ଆନ୍ତରିକ ଉଦ୍ୟମ ଥିଲେ ତାହା ଫୁଟି ଉଠିବ । ତାର ବାସ୍ନା ସମସ୍ତଙ୍କୁ ବିମୋହିତ କରିବ । ଆଉ ଏକଥାକୁ ପ୍ରମାଣ କରିଦେଇଛନ୍ତି ଗରିବ ଅଟୋ ବାଲାର ଝିଅ ।

ଉତ୍ତରପ୍ରଦେଶର କନ୍ନୌଜର ଗରିବା ପରିବାରରେ ସେ ଜନ୍ମଗ୍ରହଣ କରିଥିଲେ । କଠିନ ପରିଶ୍ରମ କରି ଆଜି ସଫଳତାର ଶୀର୍ଷରେ ପହଂଚିଛନ୍ତି । ଅଗ୍ନିବୀର ଯୋଜନାରେ ଏବେ ସେ ଭାରତୀୟ ନୌସେନାରେ ଭର୍ତ୍ତି ହେବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି । ଗରିବ ପରିବାରରେ ଜନ୍ମହୋଇ ସ୍ୱପ୍ନକୁ ସାକାର କରିଥିବା ସେହି ବୀର ଝିଅକୁ ବୁଧବାର ସ୍ୱାଗତ କରିଛନ୍ତି ସମାଜସେବୀ ତଥା ଯୋଗୀ ସେନା ଅଧ୍ୟକ୍ଷ ପୱନ ପାଣ୍ଡେ । ଅଗ୍ନିବୀରରେ ମନୋନୀତ ହୋଇଥିବା ଏହି ଝିଅଙ୍କ ବାପା ଜଣେ ଅଟୋ ଚାଳକ । ଅଟୋ ଚଳାଇ ସେ ପରିବାର ପ୍ରତିପୋଷଣ କରିବା ସହ ଝିଅକୁ ପାଠ ପଢାଇ ଏତେବାଟ ନେଇଛନ୍ତି ।

Advertisement

ଅଗ୍ନିବୀର ଯୋଜନା ଅଧୀନରେ ନୌସେନାରେ ଭର୍ତ୍ତି ହେବାକୁ ଯାଉଥିବା ଏହି ଗରିବ ଝିଅ ହେଲେ କନ୍ନୌଜର ଅରାବରୀ ଅଞ୍ଚଳର ଜାନଭୀ କୁଶୱା । ଏନସିସି ଛାତ୍ରୀ ଜାନଭୀ ୨୦୨୩ରେ ଅଗ୍ନିବୀରରେ ସାମିଲ ହେବାକୁ ପରୀକ୍ଷା ଦେଇଥିଲେ । ଏଥିରେ ସେ କୃତକାର୍ଯ୍ୟ ହେବାରୁ ନୌସେନାରେ ଭର୍ତ୍ତି ହେବା ପାଇଁ ଯୋଗ୍ୟ ବିବେଚିତ ହେବା ଖବର ଜାଣିବା ପରେ ପୁରା ପରିବାରେ ଖୁସିର ଲହରି ଖେଳିଯାଇଛି । ସମସ୍ତ ତାଲିମ ପ୍ରାପ୍ତ କରିବା ପରେ ଜାନଭୀ ବୁଧବାର ନିଜ ସହରକୁ ଫେରିଥିବାରୁ ତାଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା । ନୌସେନାରେ ସିନିୟର ସେକେଣ୍ଡାରୀ ଅଫିସର ଭାବେ ନିଯୁକ୍ତି ପାଇଥିବା ଜାନଭୀ କହିଛନ୍ତି ଯେ ମାତା-ପିତାଙ୍କ ଆଶୀର୍ବାଦ ଓ ସହଯୋଗ ରହିଥିବାରୁ ଆଜି ସେ ଭାରତୀୟ ନୌସେନାରେ ସାମିଲ ହୋଇଛନ୍ତି । ସମାଜସେବୀ ପୱନ ପାଣ୍ଡେ କହିଛନ୍ତି ଯେ ଜାନଭୀ ଆଜି ବାବା ସାହେବଙ୍କ ସ୍ୱପ୍ନକୁ ପୂରଣ କରିଛନ୍ତି । ଏବଂ ଏପରି କରି ସେ ନୂଆପୀଢିଙ୍କ ଲାଗି ପ୍ରେରଣା ସାଜିଛନ୍ତି ।

କୁହାଯାଏ, ଯଦି ଜଣେ ନାରୀ ଚାହିଁବ, ସେ କିଛି ବି କରିପାରେ । ଆଜି ତା’ର ପ୍ରକୃଷ୍ଟ ଉଦାହରଣ ସାଜିଛନ୍ତି ଜାନଭୀ କୁଶୱା । କେବଳ ଜାନଭୀ କାହିଁକି ଏ ଦୁନିଆରେ ସବୁ ଝିଅଙ୍କ ପାଖରେ ଏଭଳି ସାହାସ ଏବଂ ଦୃଢ ମନୋବଳ ରହିବା ଉଚିତ । ଝିଅ ବା ନାରୀ ଚାହିଁଲେ କିଛି ବି କରିପାରନ୍ତି । ସେମାନଙ୍କୁ କେବଳ ଦରକାର ଟିକେ ସହଯୋଗର ହାତ । ସେ ଅନନ୍ୟା, ସେ ବିଜୟିନୀ, ସେ ପ୍ରେରଣାର ଉତ୍ସ । ସମାଜକୁ ଏକଜୁଟ କରି ରଖିବାରେ ତା’ର ଭୂମିକା ଅନନ୍ୟ ।

Leave a Reply

Your email address will not be published. Required fields are marked *