Pratidin TV

Odisha's Digital News Platform

ରାତି ୧ଟାରେ ସୁନାବେଶରେ ଦର୍ଶନ ଦେବେ ବାବା ଆଖଣ୍ଡଳମଣି , ଭୋର ୫ଟାରେ ମନ୍ଦିର ଚୂଡାକୁ ଉଠିବ ମହାଦୀପ

1 min read

ଭଦ୍ରକ ; ଆଜି ପବିତ୍ର ମହାଶିବରାତ୍ରୀ(ଜାଗର) ଏଥିପାଇଁ ଉତ୍ସବମୁଖର ବାବା ଆଖଣ୍ଡଳମଣିଙ୍କ ପୀଠ। ଗୁରୁବାର ଏକବାର ନୀତି ନିମନ୍ତେ ସମସ୍ତ ନୀତିକାନ୍ତି ନିର୍ଦ୍ଧାରିତ ସମୟରେ ସରିବା ପରେ ମଧ୍ୟାହ୍ନ ନୀତି , ଯୋଗୀବେଶ, ବଡସିଂହାର ବେଶ ଅନୁଷ୍ଠିତ ହୋଇଥିଲା। ପରମ୍ପରା ଅନୁଯାୟୀ ମଣିବାବାଙ୍କ ପାଖରୁ ଆଜ୍ଞାମାଳ ଓ ନୂଆନେତ ଆସିବା ପରେ ସେବାୟତଙ୍କ ଦ୍ବାରା ମନ୍ଦିର ଚୂଡାରେ ଲାଗି କରାଯାଇଥିଲା। ତାହାସହ ନୂଆ ଚାନ୍ଦୁଆ ଗର୍ଭଗୃହରେ ଲାଗି କରାଯାଇଥିଲା।

ଆଜି ମହାଶିବରାତ୍ରୀ ନୀତି ନିମନ୍ତେ ଭୋର ୪ଟାରେ ପହଡ ଖୋଲିବା ପରେ ମଙ୍ଗଳ ଆଳତୀ,କନିକାରାଜାଙ୍କ ପକ୍ଷରୁ ପହିଲି ଘର୍ଷଣଲାଗି ସରିବା ପରେ ସକାଳ ୫ଟାରେ ବଡାଭାତ(ଖେଚୁଡି ଅନ୍ନ) ନୀତି ଭୋଗ ଲାଗି କରାଯିବ। ପରେ ସକାଳ ୫ଟାରୁ ରାତ୍ରା ୧୧ଟା ଯାଏଁ ଭକ୍ତଙ୍କ ଦର୍ଶନ ପାଇଁ ସାହଣମେଲା କରାଯିବ। ପରେ ସଂଧ୍ୟା ୬ରୁ ରାତ୍ର ୧୨ଟା ଯାଏଁ ୪ ପ୍ରହର ଘର୍ଷଣ ନୀତି ସମ୍ପନ୍ନ ହେବ। ପରେ ରାତ୍ର ୧ଟାରେ ସୁନାବେଶ ସମ୍ପନ୍ନ ହେବା ସହ ଭୋର ୫ଟାରେ ମନ୍ଦିର ଚୂଡାକୁ ମହାଦୀପ ଉଠିବ। ଏଥିପାଇଁ ସମସ୍ତ ପ୍ରସ୍ତୁତି ଉଭୟ ପ୍ରଶାସନ ଓ ସେବାୟତଙ୍କ ପକ୍ଷରୁ ସମ୍ପନ୍ନ ହୋଇଛି। ଭକ୍ତମାନଙ୍କ ଭିଡକୁ ଦୃଷ୍ଟିରେ ରଖି ପୁଲିସ ବିଭାଗ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି।

Advertisement

ଜାଗରଯାତ୍ରାରେ ଦୂରଦୂରାନ୍ତତରୁ ଆଗନ୍ତୁକ ଲକ୍ଷାଧିକ ଭକ୍ତ ଯେପରି ଭାବେ ମଣିବାବାଙ୍କୁ ଶୃଙ୍ଖଳିତ ଦର୍ଶନ କରିବେ ଉଜାଗର ରହି ଜାଗରଦୀପ ଜାଳିବା ସହିତ ମହାଦୀପ ଦର୍ଶନ କରିବେ ସେଥିପାଇଁ ଭଦ୍ରକ ଜିଲାପାଳ ସିଦ୍ଧେଶ୍ବର ବଳିରାମ ବନ୍ଦୋର, ଉପଜିଲାପାଳ ତଥା ମନ୍ଦିର ଟ୍ରଷ୍ଟି ମନୋଜ ପାତ୍ର, ଚାନ୍ଦବାଲି ତହସିଲିଦାର ଅଶ୍ବନି ଭୂୟାଁ, ବିଡିଓ ଅଶିତ ମହାନ୍ତି, ପୂର୍ତ୍ତ ବିଭାଗର ଉଚ୍ଚ ପ୍ରଦାଧିକାରୀ ଦୀପକ ପାଣିଗ୍ରାହୀ, ଅମ୍ବିକା ସ୍ବାଇଁ, ଜଳପରିମଳ ବିଭାଗର ନିର୍ବାହୀ ଓ କନିଷ୍ଠଯନ୍ତ୍ରୀ ପ୍ରମୁଖଙ୍କ ସହ ଜିଲାର ବିଭିନ୍ନ ବିଭାଗର ଅଧିକାରୀ ପୀଠରେ ସମସ୍ତ କାର୍ଯ୍ଯର ତଦାରଖ କରୁଛନ୍ତି।

ବିଶେଷକରି ଭକ୍ତମାନେ ଯେପରି ଶୃଙ୍ଖଳିତ ଦର୍ଶନ କରିବେ ସେଥିପାଇଁ ବ୍ୟାରିକେଡ ବ୍ୟବସ୍ଥା ସହ ଅସ୍ଥାୟୀ କ୍ୟାମ୍ପ, ପରିମଳ, ପାନୀୟଜଳ, ସ୍ବାସ୍ଥ୍ୟ ଆଦି ଯେପରି ୨୪ଘଣ୍ଟିଆ ବ୍ୟବସ୍ଥା କରାଯିବ ସେଥିପାଇଁ ସମସ୍ତ ବିଭାଗର ଅଧିକାରୀ ରହି ତଦାରଖ କରୁଛନ୍ତି। ଏପଟେ ସେବାୟତଙ୍କ ପକ୍ଷରୁ ଏକବାର ନୀତି ସମ୍ପନ୍ନ କରାଯାଇ ଜାଗର ନୀତିକାନ୍ତି ନିମନ୍ତେ ଭୋର ୪ଟାରେ ପହଡ ଖୋଲିବା ପରେ ସ୍ବତନ୍ତ୍ର ନୀତିକାନ୍ତିରେ ମଙ୍ଗଳ ଆଳତୀ, ପରମ୍ପରା ଅନୁଯାୟୀ କନିକା ରାଜାଙ୍କର ପହିଲି ଘର୍ଷଣ ଲାଗି ସହ ଜଳାଭିଷେକ କରାଯାଇଛି। ପରେ ସକାଳ ୫ଟାରେ ବଢା ଅନ୍ନନୀତି ଭୋଗ ପାଳିଆ ସେବାୟତଙ୍କ ପକ୍ଷରୁ ଲାଗି ହେବା ପରେ ସାହଣମେଲା ଦର୍ଶନ ଆରମ୍ଭ ହୋଇଛି।। ଚଳିତବର୍ଷ ଜାଗରଯାତ୍ରା ମହୋତ୍ସବ ୩ଦିନ ଧରି ପାଳନ ହେବ।

Leave a Reply

Your email address will not be published. Required fields are marked *