Pratidin TV

Odisha's Digital News Platform

ବିବାଦରେ ବାବା ଧବଳେଶ୍ୱରଙ୍କ ଦର୍ଶନ , ବାରମ୍ବାର ନିଷ୍ପତ୍ତି ବଦଳାଉଛି ପ୍ରଶାସନ

1 min read

କଟକ : କୁମ୍ଭକର୍ଣ୍ଣ ନିଦରୁ ଉଠି ହଠାତ୍ ତତ୍ପରତା ଦେଖାଇଛି ପ୍ରଶାସନ । ଗୁଜରାଟ ମୋର୍ବି ଦୁର୍ଘଟଣା ପରେ ଆଠଗଡ ଝୁଲାପୋଲକୁ ନେଇ ହଠାତ୍ ଚେଇଁ ଉଠିଲା ପ୍ରଶାସନ । ଏହାପରେ ତରବରତା ସହ ଝୁଲାପୋଲକୁ ହଠାତ୍ ବନ୍ଧ କରେଇଦେଇ , ମରାମତି କାମ ଆରମ୍ଭ କରିଦେଇଛି । ତେବେ କାର୍ତ୍ତିମାସର ପଞ୍ଚୁକରେ ଦୂରଦୂରାନ୍ତରୁ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ଧାର ଝୁଟିଥାଏ ବାବାଙ୍କ ପାଖକୁ ।

ଗୁଜରାଟ ଘଟଣା ପରେ ବାବା ଧବଳେଶ୍ୱର ପୀଠକୁ ଯିବା ପାଇଁ ମହାନଦୀ ଉପରେ ତିଆରି କରାଯାଇଥିଲା ଝୁଲା ପୋଲ ଦୁର୍ବଳ ଥିବା ଜଣାପଡ଼ିବାରୁ ପଞ୍ଚୁକ ପୂର୍ବରୁ ଆଗୁଆ ୧୪୪ ଧାରା ଜାରି କରିଥିଲା ପ୍ରଶାସନ। ଏମିତିକି ଝୁଲା ପୋଲରେ ଯାତ୍ରୀଙ୍କୁ ସମ୍ପୂର୍ଣ୍ଣ ବନ୍ଦ କରାଯାଇଥିଲା। ଡଙ୍ଗା କି ବୋଟ୍ରେ ଯିବା ପାଇଁ ମଧ୍ୟ ଭକ୍ତଙ୍କୁ ବାରଣ ଲଗାଯାଇଥିଲା। ପ୍ରଶାସନର ଏଭଳି କଠୋର ନିଷ୍ପତ୍ତିକୁ ନେଇ ଉଭୟ ଭକ୍ତ ଓ ପୂଜକଙ୍କ ଅସନ୍ତୋଷ ବଢୁଥିବାରୁ ନିଷ୍ପତ୍ତିରେ ପୁଣି ବଦଳି ଥିଲା।

Advertisement

କଟକ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ଅନୁସାରେ ଝୁଲାପୋଲର ପ୍ରବେଶ ଦ୍ୱରା ସମ୍ମୁଖରେ ଏକ ଏଲଇଡିର କନେକ୍ସନ କରାଯିବ । ଯାହାଦ୍ୱାରା ଭକ୍ତଗଣ ସୁରକ୍ଷିତ ପୋଲ ଏପଟରୁ ବାବାଙ୍କ ଲାଇବ୍ ଦର୍ଶନ କରିପାରିବେ । ଯଦି ଆବଶ୍ୟକ ପଡେ ଭକ୍ତଙ୍କ ଭିଡକୁ ନଜରରେ ରଖି ସେଠାରେ ଆଉ ଗୋଟିଏ ଏଲଇଡିର ମଧ୍ୟ ବ୍ୟବସ୍ଥା କରାଯିବ ବୋଲି କହିଥିଲା ପ୍ରଶାସନ । ଭକ୍ତମାନେ ଚାହିଁଲେ ସେଇଠୁ ପୂଜକଙ୍କ ମାଧ୍ୟମରେ ଭୋଗ ଠାକୁରଙ୍କ ପାଖକୁ ପଠାଇ ପାରିବେ। ଗଜଭୋଗ ନିଜସ୍ୱ ଉଦ୍ୟମରେ ସେବକଙ୍କ ଘରୁ ସଂଗ୍ରହ କରିବେ। ତେବେ ପ୍ରଶାସନର ଏଭଳି ନିଷ୍ପତ୍ତି ଅତି ବିଚିତ୍ର ବୋଲି ସେବକମାନେ କହିବା ସହ କରୋନାଠାରୁ ଏ କଟକଣା ଅଧିକ ଯନ୍ତ୍ରଣାଦାୟକ ବୋଲି ଆକ୍ଷେପ କରିଛନ୍ତି।

ଏହାପରେ ପୁଣି ବଦଳିଛି ନିଷ୍ପତ୍ତି । କୁହାଯାଉଛି ଯେ ଏଥର ଧବଳେଶ୍ୱରଙ୍କ ଯାତ୍ରାକୁ ବନ୍ଦ ରଖାଯିବା । ତାସହ ଝୁଲା ପୋଲ ଆରପଟେ ଧବଳେଶ୍ୱରଙ୍କ ଅସ୍ଥାୟୀ ପ୍ରତିମା ସ୍ଥାପନ କରାଯାଇ ପୂଜାର୍ଚ୍ଚନା କରାଯିବ । ଜିଲ୍ଲାପାଳଙ୍କ ଏପରି ମନ୍ତବ୍ୟକୁ ତୀବ୍ର ବିରୋଧ କରିଥିଲେ ସେବକ ଏବଂ ପ୍ରଶାସନ ମଧ୍ୟରେ ଦୀର୍ଘକାଳ ଧରି ଯୁକ୍ତିତର୍କ ଚାଲିଥିଲା । ତେବେ ପୂଜକମାନଙ୍କ ବିରୋଧରୁ ପୁଣି ବଦଳଛି ନିଷ୍ପତ୍ତି। ତେବେ ଆସନ୍ତାକାଲି ଅର୍ଥାତ୍ ଶୁକ୍ରବାରଠାରୁ ପଞ୍ଚକର ଆରମ୍ଭ ହୋଇଯାଉଥିବା ବେଳେ ଏଯାଏ ପ୍ରଶାସନ କୌଣସି ସଠିକ୍ ନିଷ୍ପତ୍ତି ଗ୍ରହଣ କରିପାରିନାହିଂ । ଯାହାକୁ ନେଇ ବର୍ତ୍ତମାନ ଭକ୍ତମାନେ ଚିନ୍ତାରେ ଥିବା ଜଣାପଡିଛି ।

Leave a Reply

Your email address will not be published. Required fields are marked *