Pratidin TV

Odisha's Digital News Platform

ବାହାନଗା ଟ୍ରେନ୍ ଟ୍ରାଜେଡି : ଟଙ୍କା ଲାଳସାରେ ସ୍ୱାମୀର ମିଛ ମୃତ୍ୟୁ ରଚିଲା ସ୍ତ୍ରୀ …

ଭୁବନେଶ୍ୱର : ଶୁକ୍ରବାର ସନ୍ଧ୍ୟାର ସେଇ କାଳରାତ୍ରୀରେ ଉଜିଡି ଗଲା ଶହ ଶହ ପରିବାର । ବାହାନଗାର ସେଇ ରେଳ ଦୁର୍ଘଟଣା ଖବର ଚାରିଆଡେ ବ୍ୟାପିବା ପରେ । ଘରେ ଘରେ ଶୁଭିଥିଲା ବିକଳ ରଡି । କାହାର ସ୍ୱାମୀ ତ କାହାର ବାପା ପୁଣି କାହାର ଛୁଆ ଏଭଳି ନିଜ ନିଜ ପରିବାରର ସଦସ୍ୟଙ୍କ କଥା ଭାବି ଭୋ ଭୋ ହୋଇ ବିକଳ ରଡି ଛାଡୁଥିଲା ପରିବାର । ଶେଷରେ କାଳର କରାଳ ଗତି ମଧ୍ୟ ରଚିଥିଲା ତାଣ୍ଡବ । ୨୭୦ ଜଣଙ୍କ ଜୀବନ ନେଇଯାଇଥିଲା ବାହନଗା ରେଳ ଦୁର୍ଘଟଣା । ଏଭଳି ପରିସ୍ଥିତିରେ କିଏ ନିଜ ପୁଅ ପାଇଁ ଓପାଶ କରି ଚଉଁରା ମୂଳେ ଦ୍ୱୀପା ଲଗାଇ ବସିଲାଣି ତ କିଏ ପୁଣି ମନ୍ଦିର ଦ୍ୱାର ସାମ୍ନାରେ ମୁଣ୍ଡ ପିଟିଲାଣି । ଏସବୁ ଛାତିଥରା ଦୃଶ୍ୟ ପରେ ସାମ୍ନାକୁ ଆସିଛି ଏଭଳି କିଛି ଘଟଣା ଯାହା ଆପଣଙ୍କୁ ଏଭଳି ଶୋକାକୂଳ ପରିସ୍ଥିତିରେ ସ୍ତବ୍ଧ କରିଦେବ ।

ଏହି ଦୁର୍ଘଟଣା ପରେ ମୃତକଙ୍କ ପରିବାରକୁ ମିଳୁଥିବା ୧୦ ଲକ୍ଷ ଟଙ୍କାର ସହାୟତା ରାଶିକୁ ହଡପ୍ କରିବା ପାଇଁ ଠକ ମହିଳା ରଚିଥିଲେ ନିଜ ସ୍ୱାମୀର ମିଛ ମତ୍ୟୁର ଖେଳ । ଶବ ସଂରକ୍ଷିତ ଥିବା ଗୃହରେ ପହଞ୍ଚି ମୃତ ବ୍ୟକ୍ତିଙ୍କୁ ନିଜ ସ୍ୱାମୀ ବୋଲି ଦାବି କରି ସହାୟତା ରାଶି ହଡ଼ପ କରିବାକୁ ମିଛ ବାହାନା କରିଥିଲେ ଜଣେ ମହିଳା । ଧରାପଡ଼ିବା ପରେ ଘଟଣା ସ୍ଥଳରୁ ଚମ୍ପଟ ମାରିଛନ୍ତି । ରବିବାର ସକାଳେ ଶୋକାକୂଳ ପରିବେଶ ଭିତରେ ‘ନୋସି ବିଜିନେସ ପାର୍କ’ ପରିସରରେ ସାମ୍ନାକୁ ଆସିଥିଲା ଏଭଳି ଏକ ଚାଚଂଲ୍ୟକର ଖବର ।

ମିଳିଥିବା ସୂଚନା ଅନୁଯାୟୀ ଠକ ମହିଳା ଜଣକ କଟକ ବଡ଼ମ୍ବା ଥାନା ଅନ୍ତର୍ଗତ ମାଣିଆବନ୍ଧ ଅଂଚଳର ଗୀତାଂଜଳୀ ଦତ ବୋଲି ଜଣାପଡ଼ିଛି । ସେ ନିଜ ଜୀବନ୍ତ ସ୍ୱାମୀ ବିଜୟ ଦତଙ୍କୁ ମୃତ ଦର୍ଶାଇ ସରକାରଙ୍କ ସହାୟତା ରାଶିକୁ ଲୁଟିବାକୁ ଚେଷ୍ଟା କରିଥିଲେ । ମହିଳା ଜଣଙ୍କ କାନ୍ଦ ବୋବାଳି କରି ହେଲ୍ପ ଡେକ୍ସରେ ଥିବା ଏକ ମୃତ ବ୍ୟାକ୍ତିଙ୍କ ଫଟୋକୁ ନିଜ ସ୍ୱାମୀ ବୋଲି ପରିଚୟ ଦେଇଥିଲେ । ତା ସହ ଏକ ଜେରକ୍ସ ଆଧାର କାର୍ଡ ମଧ୍ୟ ଦେଇଥିଲେ । ହେଲେ ଠକ ମହିଳାଙ୍କ ଚାଲ୍ ଧରିପକାଇଥିଲେ ପୋଲିସ ବାବୁ । ଆଧାର କାର୍ଡରେ ଦର୍ଶାଯାଇଥିବା ବୟସ ସହ ମିଶିନଥିଲା ମୃତକଙ୍କ ବୟସ । ଏନେଇ ପୋଲିସ ଅଧିକାରୀ ବଡ଼ମ୍ବା ଥାନା ଅଧିକାରୀଙ୍କ ସହ ଯୋଗାଯୋଗ କରିଥିଲେ । ଏହାପରେ ବଡମ୍ବା ଥାନା ଅଧିକାରୀ ମହିଳାଙ୍କ ସ୍ୱାମୀ ଜୀବିତ ଥିବା ସୂଚନା ଦେବା ସହ ସମ୍ପୃକ୍ତ ବ୍ୟକ୍ତିଙ୍କ ମୋବାଇଲ ନମ୍ବର ଶେୟାର କରିଥିଲେ । ତେବେ ମହିଳାଙ୍କ ସବୁ ପ୍ଲାନ ଫେଲ ମାରିଥିବା ଜାଣିବାକୁ ପାଇଁ ମହିଳା ଜଣଙ୍କ ସେଠାରୁ ଚମ୍ପଟ ମାରିଥିଲେ ।

Leave a Reply

Your email address will not be published. Required fields are marked *