Pratidin TV

Odisha's Digital News Platform

ପୁଅ ଶବ ଖୋଜୁଛି ବାପାର ପରିଚୟ !

ବାହାନଗା : ପାଣିରେ ପଡ଼ି ମୃତ୍ୟୁବରଣ କରିଥିବା ରାଧାନାଥ ଉଚ୍ଚ ବିଦ୍ୟାପୀଠର ନବମ ଶ୍ରେଣୀ ଛାତ୍ରର ମୃତ୍ୟୁକୁ ନେଇ ଥାନାରେ ଦେଖାଦେଇଛି ବିବାଦ । ବାଲେଶ୍ଵର ଜିଲା ସୋରରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା । ମୃତ ଛାତ୍ରର ଶବ ବ୍ୟବଚ୍ଛେଦ ବେଳେ ବାପାର ପରିଚୟକୁ ନେଇ ବିବାଦ ଉପୁଚିଛି । ମୃତ ଛାତ୍ରର ମା ଥାନାରେ ମୃତକର ବାପାର ପରିଚୟ ସଞ୍ଜୀବ ବିଶ୍ଵାଳ ଦେଇଥିବା ବେଳେ , ବିନ୍ଦୁସାଗର ଦାସ ନାମକ ଜଣେ ବ୍ୟକ୍ତି ଥାନାରେ ପହଞ୍ଚି ସେ ମୃତ ଛାତ୍ରର ବାପା ବୋଲି ଦାବି କରିଥିଲେ । ଯାହାକୁ ନେଇ ଥାନାରେ ଉପୁଜିଥିଲା ବିବାଦ ।

ସେପଟେ ଶବ ବ୍ୟବଚ୍ଛେଦ ଗୃହରେ ପୁଅର ଶବ ପ୍ରକୃତ ବାପାର ପରିଚୟ ଖୋଜୁଥିଲା । ୨୦୧୦ ମସିହାରେ ଧାମରା ଅଂଚଳର ବିନ୍ଦୁ ସାଗର ଦାସ ସେହି ଗାଁର ସାଗରିକା ନାମକ ଜଣେ ଯୁବତୀକୁ ପ୍ରେମ ଵିଵାହ କରିଥିଲା । ଉଭୟଙ୍କ ଔରସରୁ ଗୋଟିଏ ପୁଅ ଓ ଝିଅ ହୋଇଥଲା । କିନ୍ତୁ ଗତଚାରି ବର୍ଷ ତଳେ ସାଗରୀକା ସେହି ଅଞ୍ଚଳର ଜଣେ ଯୁବକ ସଞ୍ଜୀବ ବିଶ୍ଵାଳ ସହିତ ସମ୍ପର୍କ ସ୍ଥାପନ କରି ବିନ୍ଦୁସାଗର ଠାରୁ ଦୂରେଇଯାଇ ସୋରର ବାଲେଶ୍ବର ଗ୍ରାମରେ ଭଡା ନେଇ ରହୁଥିଲା ।

ଶନିବାର ଦିନ ରାଧାନାଥ ଉଚ୍ଚ ବିଦ୍ୟାପୀଠରେ ପଢୁଥିବା ସାଗାରୀକାର ପୁଅ ଟିଉସନରୁ ଫେରି ଗୋସାଇଁ ପୋଖରୀକୁ ଗାଧୋଇବାକୁ ଯାଇଥିଲେ। ଏହି ସମୟରେ ସେ ପୋଖରୀରେ ବୁଡିପ୍ରାଣ ହରାଇଥିଲେ। ସ୍ଥାନୀୟ ଲୋକେ ସୋର ଅଗ୍ନିଶମ ବିଭାଗକୁ ଖବର ଦେବା ସହିତ ପୋଖରୀରୁ ଉଦ୍ଧାର କରି ତାକୁ ସୋର ଡାକ୍ତରଖାନାକୁ ଆଣିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇଁ ସୋର ପୁଲିସ ଡାକ୍ତରଖନାରେ ପହଂଚି ଶବ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ଗୃହକୁ ପଠାଇଥିଲେ । ଏହି ସମୟରେ ପୁଲିସ ଆଗରେ ମୃତ ପୁଅର ମା ସାଗରିକା ମୃତକର ବାପା ନାଁ ସଞ୍ଜୀବ ବିଶ୍ବାଳ ଲେଖିଥିଲେ। ହେଲେ ସନ୍ଧ୍ୟା ସମୟରେ ଧାମରା ଅଂଚଳର ବିନ୍ଦୁ ସାଗର ଦାସ ହଠାତ ଥାନାରେ ପହଁଚି ମୃତ ପୁଅ ତାଙ୍କର ବୋଲି ଦାବି କରିଥିଲେ।

ଏହି ସମୟରେ କରଞ୍ଜିଆ ସରପଞ୍ଚଙ୍କ ପ୍ରତିନିଧି ଘଟଣାସ୍ଥଳରେ ପହଞ୍ଚି ସାଗରୀକା ବିନ୍ଦୁସାଗରଙ୍କ ପୂର୍ବ ପତ୍ନୀ ଓ ସେ ଦୁହିଁଙ୍କ ଔରସରୁ ମୃତ ଛାତ୍ର ଜନ୍ମିଥିବା ପ୍ରମାଣ ଦେଇଥିଲେ । ବିଭିନ୍ନ ଡକ୍ୟୁମେଣ୍ଟ ଯାଞ୍ଚ ପରେ ବିନ୍ଦୁସାଗରଙ୍କୁ ମୃତ ଛାତ୍ରର ଶବ ହସ୍ତାନ୍ତର କରିଥିଲା ପୋଲିସ ।ବିନ୍ଦୁସାଗର ପୁଅର ନାଁ ଦୀପଙ୍କର ରଖିଥିବା ବେଳେ ସାଗରୀକା ପୁଅର ନାଁ ବଦଳାଇ ସୌମ୍ୟରଞ୍ଜନ ବିଶ୍ବାଳ ରଖିଥିବା ଅଭିଯୋଗ କରିଛନ୍ତି ବିନ୍ଦୁସାଗର । ପୋଲିସ ଶବ ହସ୍ତାନ୍ତର କରିବା ପରେ ବିନ୍ଦୁସାଗର ନିଜ ଗାଁ ଧାମରାକୁ ଦୀପଙ୍କର ଶବ ନେଇଯାଇଥିଲେ । ଏଭଳି ଘଟଣାକୁ ନେଇ ସାଧାରଣରେ ଚର୍ଚ୍ଚା ଜୋର ଧରଛି ।

Leave a Reply

Your email address will not be published. Required fields are marked *