ନାହିଁ ଛାତ,ପଲିଥିନ ତଳେ ବିତୁଛି ଜୀବନ; ଷ୍ଟ୍ରିଟ ଲାଇଟରେ ପାଠ ପଢି ଭବିଷ୍ୟତ ସ୍ବପ୍ନ ଦେଖୁଛନ୍ତି ସୋନାଲି ..
1 min readବାଲେଶ୍ୱର : ମୁଣ୍ଡ ଉପରେ ଛାତ ନାହିଁ। କି ଘରେ ବିଜୁଳି ସଂଯୋଗ ନାହିଁ। ଆହାର କେନ୍ଦ୍ରରେ ଖାଆନ୍ତି। ଆଉ ଷ୍ଟ୍ରିଟ ଲାଇଟ ତଳେ ପାଠ ପଢି ସୁନେଲି ଭବିଷ୍ୟତ ସ୍ବପ୍ନ ଦେଖୁଛନ୍ତି କୁନି ଛାତ୍ରୀ ସୋନାଲି । ମନରେ ଅନେକ ଆଶା ପାଠ ପଢି ବଡ ଚାକିରୀ କରିବେ ବାପା ମାଁଙ୍କ ଦୁଃଖ ଦୂର କରିବେ । ଜୀବନରେ ଅନେକ କଷ୍ଟ ଯନ୍ତ୍ରଣାକୁ ସହି ମଧ୍ୟ ହାର ମାନିନାହାନ୍ତି କୁନି ଝିଅ ସୋନାଲି ରାସ୍ତା କଡ ଆଲୁଅରେ ପାଠ ପଢି ବଡ ଚାକିରୀ କରି ରୋଗିଣା ବାପାଙ୍କୁ ଭଲ କରିବେ ଆଉ ଭିନ୍ନକ୍ଷମ ଭାଇର ଆଶା ବାଢି ପାଲଟିବେ ।
ସ୍ବାଧୀନତାର ୭୬ ବର୍ଷ ପରେ ଉପାନ୍ତରେ ଏଭଳି ଘଟଣା ସାମ୍ନାକୁ ଆସିବା ସମସ୍ତଙ୍କୁ ଚକିତ କରିଛି। ବାଲେଶ୍ୱର ଜିଲ୍ଲା ରେମୁଣା
ସୋନାଲି ପାଠକ। ବୟସ ମାତ୍ର ୧୪। ପାଠ ପଢନ୍ତି ଦଶମରେ। ବାପା ରାଜନ ପାଠକ ପୂର୍ବରୁ ଦିନ ମଜୁରିଆ ଭାବେ କାର୍ଯ୍ୟ କରୁଥିଲେ। ମାତ୍ର ଏବେ, ବାତ ରୋଗରେ ସେ ଆକ୍ରାନ୍ତ। ବହୁଥର ବାତ ପାଇଁ ମୁଣ୍ଡରେ ଆଘାତ ଲାଗିଛି। ସେ ଏବେ ମୁଣ୍ଡରେ ହେଲମେଟ ଲଗାଇ ବସି ରହୁଛନ୍ତି। ଔଷଧ କିଣିବା ପାଇଁ ଟଙ୍କା ନାହିଁ ତେଣୁ ଔଷଧ ଖାଇବା ଛାଡି ଦେଇଛନ୍ତି। ତାଙ୍କର ଦୁଇ ପୁଅ ମଧ୍ୟରୁ ବଡ ପୁଅ ଦିବ୍ୟାଙ୍ଗ। ସ୍ତ୍ରୀ ଗଙ୍ଗା ପର ଘରେ ମୂଲ ଲାଗିଲେ ଯାହା ରୋଜଗାର କରନ୍ତି ସେଥିରେ ତାଙ୍କର ପରିବାର ଚଳେ। ଅଧିକାଂଶ ଦିନ ଘରେ ଚୁଲି ଜଳେ ନାହିଁ। ଆହାର କେନ୍ଦ୍ରରେ ଖାଆନ୍ତି ନ ହେଲେ ଉପବାସରେ ରହନ୍ତି।ଘର କହିଲେ ପଲିଥିନରେ ତିଆରି କୁଡିଆ। ସେଥିରେ ମଧ୍ୟ ବିଦ୍ୟୁତ ସଂଯୋଗ ନାହିଁ। ଝିଅ ସୋନାଲି ଜଣେ ମେଧାବୀ ଛାତ୍ରୀ। ଘରେ ବିଦ୍ୟୁତ ସଂଯୋଗ ନଥିବାରୁ ନିକଟସ୍ଥ ରାସ୍ତା ପାର୍ଶ୍ବ ଷ୍ଟ୍ରିଟ ଲାଇଟ ତଳେ ବସି ପାଠ ପଢନ୍ତି। ଭବିଷ୍ୟତରେ ନର୍ସ ହେବାର ସ୍ବପ୍ନ ଦେଖୁଛନ୍ତି। ନର୍ସ ହେଲେ ନିଜ ପରିବାରର ସେବା କରିପାରିବେ ବୋଲି ସୋନାଲି କହିଛନ୍ତି।
ବାଲେଶ୍ଵର ସହରଠାରୁ ମାତ୍ର ୮ କିଲୋମିଟର ଦୂର ମଧ୍ୟରେ ଏଭଳି ଘଟଣା ସମସ୍ତଙ୍କୁ ଚକିତ କରିଛି। ଘର ଖଣ୍ଡେ ପାଇବା ପାଇଁ ବହୁଥର ଅଭିଯୋଗ କରିଛନ୍ତି ହେଲେ କିଛି ସୁଫଳ ମିଳିନି।ଏଠାରେ ପ୍ରଶ୍ନ ଉଠିଛି ସରକାରୀ ଯୋଜନା କାହାପାଇଁ? ସୋନାଲି ପାଠକର ପରିବାର କଣ ସରକାରୀ ସହାୟତା ପାଇବା ପାଇଁ ଯୋଗ୍ୟ ନୁହେଁ କି? ଯଦି ଯୋଗ୍ୟ ତେଵେ କାହିଁକି ଆଜି ପର୍ଯ୍ୟନ୍ତ ସୋନାଲିର ପରିବାରକୁ ସରକାରୀ ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇନାହିଁ? ଏହା ସ୍ଥାନୀୟ ଲୋକ ପ୍ରତିନିଧିଙ୍କ ଅପାରଗତା ନୁହେଁ କି? ଜିଲ୍ଲା ପ୍ରଶାସନ ଉକ୍ତ ପରିବାରକୁ ତୁରନ୍ତ ସରକାରୀ ସହାୟତା ଯୋଗାଇ ଦେବାକୁ ସାଧାରଣରେ ଦାବି କରାଯାଇଛି।