Pratidin TV

Odisha's Digital News Platform

ପୁଣି କେବେ ଆରମ୍ଭ ହେବ ବାଲେଶ୍ଵରରେ ସିଟି ବସ ସେବା ?

ବାଲେଶ୍ଵର : ବାଲେଶ୍ଵରରେ ବନ୍ଦ ହୋଇଯାଇଛି ସିଟି ବସ ସେବା। ଦିନେ କି ୨ ଦିନ ନୁହ ଦୀର୍ଘ ୫ ବର୍ଷ ଧରି ସିଟି ବସ ସେବା ବନ୍ଦ ହୋଇଛି। ଯେଉଁ ବସ ଗୁଡିକ ଆସିଥିଲା ସେହି ବସ ଗୁଡିକ ସହରର ଗାନ୍ଧୀ ସ୍ମୃତି ଭବନରେ ଖତ ଖାଉଛି। ଅନ୍ୟପଟେ ପ୍ରାଇଭେଟ ଗାଡି ଉପରେ ନିର୍ଭର କରି ଅଧିକ ଖର୍ଚ୍ଚାନ୍ତ ହେଉଛନ୍ତି ଲୋକେ। ପୁଣି ଥରେ ବାଲେଶ୍ଵରରେ ସିଟି ବସ ସେବା କେବେ ଆରମ୍ଭ ହେବ ଏହାକୁ ନେଇ ଆଶା ଓ ଆଶଙ୍କାରେ ଜିଲ୍ଲାବାସୀ।

ବାଲେଶ୍ଵର ବାସୀଙ୍କର ଦୀର୍ଘ ଦିନର ଦାବି ପରେ ୨୦୧୭ ଅଗଷ୍ଟ ୧୫ରେ ଜିଲ୍ଲାରେ ସିଟି ବସ ସେବା ଆରମ୍ଭ ହୋଇଥିଲା। ବାଲେଶ୍ଵର ପୌର ପରିଷଦ ଓ ଭଦ୍ରକ ଅର୍ବାନ ଟ୍ରାନ୍ସପୋର୍ଟ ଟ୍ରଷ୍ଟର ମିଳିତ ସହଯୋଗରେ ତତକାଳୀନ ମନ୍ତ୍ରୀ ଶଶିଭୂଷଣ ବେହେରା ଏହାର ଶୁଭାରମ୍ଭ କରିଥିଲେ। ଖର୍ଚ୍ଚ ହୋଇଥିଲା ୬ କୋଟି ଟଙ୍କା।ସହରରୁ ବିଭିନ୍ନ ରୁଟରେ ବସ ଚାଲିଥିଲା। ମାତ୍ର ୩ ମାସ ପରେ ଏହି ସିଟି ବସ ସେବା ବନ୍ଦ ହୋଇଗଲା। ବାଲେଶ୍ଵର ସହର ଓ ଗ୍ରାମ ପଞ୍ଚାୟତ ରାସ୍ତା ଅଣ ଅସାରିଆ ଦର୍ଶାଇ ବସ ସେବା ବନ୍ଦ କରି ଦିଆଯାଇଥିଲା। ଆଉ ସେହି ବସ ଫେରାଇ ଛୋଟ ବସ ଆଣିବାକୁ କୁହାଯାଇଥିଲା। ହେଲେ ନା ବସ ଫେରାଇ ଛୋଟ ବସ ଆସିଲା ନା ଆଉ ସିଟି ବସ ଗଡିଲା।

ଲୋକଙ୍କ ସେବା ପାଇଁ ଆସିଥିବା ବସ ଗୁଡିକ ସହରର ଗାନ୍ଧୀ ସ୍ମୃତି ଭବନରେ ଖତ ଖାଉଛି। ବସରେ ଘାଷ ଉଠିଲାଣି। ଲଟା ମାଡି ଗଲାଣି। ଏକାଧିକ ଯନ୍ତ୍ରାଂଶ ଭାଙ୍ଗି ରୁଜି ଯାଇ ଥିବାବେଳେ ଟାୟାର ଗୁଡିକ ମଧ୍ୟ ନଷ୍ଟ ହେବାକୁ ବସିଲାଣି। କବାଡିଆଙ୍କୁ ବିକ୍ରି ହେବା ପରିସ୍ଥିତି ସୃଷ୍ଟି ହେଲାଣି। ଅନ୍ୟ ପଟେ ବସରେ ଅସାମାଜିକ ବ୍ୟକ୍ତି ମଦ ଓ ଡ୍ରଗସ୍ ମଧ୍ୟ ଖାଉଥିବା ଅଭିଯୋଗ ହୋଇଛି । ସିଟି ବସ ନ ଚାଲିବାରୁ ଲୋକଙ୍କୁ ପ୍ରାଇଭେଟ ଗାଡି ଉପରେ ନିର୍ଭର କରିବାକୁ ପଡୁଛି। ଏହାଦ୍ୱାରା ଲୋକମାନେ ଅଧିକ ଖର୍ଚ୍ଚାନ୍ତ ହେଉଛନ୍ତି। ତୁରନ୍ତ ବାଲେଶ୍ଵରରେ ସିଟି ବସ ସେବା ଚଳାଇବାକୁ ସହରବାସୀ ଦାବି କରିଛନ୍ତି।

ସାଧାରଣ ଲୋକଟିଏ ଟଙ୍କା ଟିଏ ପାଇଁ ପରିଶ୍ରମ କରୁଥିବାବେଳେ ବାଲେଶ୍ଵରରେ ଖତ ଖାଉଛି କୋଟି କୋଟି ଟଙ୍କାର ସିଟି ବସ। ପୁଣିଥରେ ବାଲେଶ୍ଵରରେ ସିଟି ବସ ସେବା କେବେ ଆରମ୍ଭ ହେବ ଏନେଇ ଆଶା ଓ ଆଶଙ୍କାରେ ରହିଛନ୍ତି ଜିଲ୍ଲାବାସୀ।

Leave a Reply

Your email address will not be published. Required fields are marked *