Pratidin TV

Odisha's Digital News Platform

ସାଉଥରେ ଓଡ଼ିଆ ପୁଅ ଅଜୟଙ୍କ କମାଲ୍‌, ‘ଅନ୍ତର୍ଯାମୀ’ ରେ ସହ ନିର୍ଦ୍ଦେଶନା ଦେଇ ଏବେ ଚର୍ଚ୍ଚାରେ

1 min read

ଓଡ଼ିଶା ମାଟିରେ ଭରି ରହିଛନ୍ତି କଳାକାର । ଏଠାରୁ ଅନେକ କଳାକାର ବାହାରକୁ ଯାଇ ଖ୍ୟାତି ଅର୍ଜନ କରିବା ସହ ରାଜ୍ୟ ପାଇଁ ଗୌରବ ଆଣିଛନ୍ତି । ଏହିପରି କିଛି କଳାକାର ଅଛନ୍ତି, ଯେଉଁମାନେ ବଲିଉଡ, ଟଲିଉଡ ଏବଂ ହଲିଉଡ ଭଳି ଫିଲ୍ମ ଇଣ୍ଡଷ୍ଟ୍ରିରେ ନିଜର ଯାଦୁ ଦେଖାଇଛନ୍ତି । ବର୍ତ୍ତମାନ ସେହି ତାଲିକାରେ ଆଉ ଏକ ଓଡ଼ିଆ ପୁଅର ନାଁ ଯୋଡି ହୋଇଛି । ବାଲେଶ୍ୱର ରେମୁଣା ଅଞ୍ଚଳର ଯୁବ କଳାକାର ଅଜୟ ଦାସ । ଅଜୟଙ୍କ ବୟସ ୨୫ ବର୍ଷ । ଏତେ କମ୍ ବୟସରେ ମଧ୍ୟ ସେ ନିଜର ଦକ୍ଷତା ପ୍ରତିପାଦିତ କରିଛନ୍ତି । ତେଲୁଗୁ ସହ ୬ଟି ଭାଷାରେ ନିର୍ମାଣ ହେଉଥିବା ଶିବସତ୍ୟମ୍‌ଙ୍କ ‘ଅନ୍ତର୍ଯାମୀ’ ଚଳଚ୍ଚିତ୍ରରେ ଅଭିନୟ କରିବା ସହିତ ସହ-ନିର୍ଦ୍ଦେଶକର ଦାୟିତ୍ୱ ତୁଲାଇଛନ୍ତି । ଏହି ଚଳଚ୍ଚିତ୍ରର ମୁଖ୍ୟ ଭୂମିକାରେ ଓଲିଉଡ୍‌ର ଚକୋଲେଟ୍ ବୟ ବାବୁସାନ ମହାନ୍ତି ଥିବା ବେଳେ ଅଜୟଙ୍କୁ ଜଣେ ସାମ୍ବାଦିକ ଭୂମିକାରେ ଦେଖିବାକୁ ମିଳିବ । ଏଥିରେ ଶ୍ରୀତମ ଦାସ ମଧ୍ୟ ନଜର ଆସିଛନ୍ତି ।


ଗରିବ ମଧ୍ୟବିତ୍ତ ପରିବାରରେ ଜନ୍ମ ଗ୍ରହଣ କରିଥିଲେ ଅଜୟ । ବାପା ଜଣେ କୃଷକ ହେଲେବି ଅଜୟ ୨୦୧୩ ମସିହାରେ ମାଟ୍ରିକ ପାସ କରିବା ପରେ ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟରେ ପଢିଥିଲେ । ସେଠାରୁ ପାସ କରିବା ପରେ ଅଜୟ ବିଭିନ୍ନ ଅନୁଷ୍ଠାନ ଦ୍ୱାରା ଆୟୋଜିତ ପ୍ରାୟ ୨୫ରୁ ଊର୍ଦ୍ଧ୍ୱ ନାଟକରେ ଅଭିନୟ କରିଛନ୍ତି । ଏପରିକି ଗୋଟିଏ ନାଟକରେ ସେ ନିର୍ଦ୍ଦେଶନା ମଧ୍ୟ ଦେଇଛନ୍ତି । ଏହା ସହିତ ଅଜୟ ବହୁତ ଗୁଡିଏ କ୍ଷୁଦ୍ର ଚଳଚିତ୍ରରେ ନିର୍ଦ୍ଦେଶନା ସାଙ୍ଗକୁ ଅଭିନୟ ମଧ୍ୟ କରି ସାରିଛନ୍ତି । ‘ଅନ୍ତର୍ଯାମୀ’କୁ ଛାଡ଼ି ଅଜୟଙ୍କ ପାଇଁ ଆଉ ଏକ ସୁଯୋଗ ମଧ୍ୟ ରହିଛି । ସାଉଥ୍ ସୁର୍ପର୍ଷ୍ଟା ରାମଚରଣଙ୍କୁ ନେଇ ମାଇତ୍ରି ପ୍ରଡକ୍ସନ୍ ନିର୍ମାଣ କରୁଛି ତା’ର ୧୬ତମ ତେଲୁଗୁ ଚଳଚ୍ଚିତ୍ର । ଏହାର ଅଡିସନ୍‌ରେ ସଫଳ ହୋଇ ଅଜୟ ଅଭିନେତା ତାଲିକାରେ ରହିଛନ୍ତି । ଅଜୟ ଟଲିଉଡରେ ଅଭିନୟ ପାଇଁ ହାଇଦ୍ରାବାଦ ଯାଇଛନ୍ତି । ସେଠାରେ ସିନେଜଗତର ଅନେକ ଅଜଣା କଥା ଜାଣିବେ ଆଉ ଶିଖିବେ । ଏହା ସହିତ ଓଲିଉଡରେ ସୁଯୋଗ ମିଳିଲେ ନିଜର ଅଭିନେତା ଓ ଅଭିଜ୍ଞତାକୁ ଭରପୂର ଉପଯୋଗ କରିବେ ବୋଲି ଅଜୟ କହିଛନ୍ତି ।

Advertisement

Leave a Reply

Your email address will not be published. Required fields are marked *