Pratidin TV

Odisha's Digital News Platform

୫ବର୍ଷ ପରେ ରାଜସ୍ଥାନକୁ ଫେରିଛି ବିଜେପି, ଆଜି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଭଜନଲାଲ ଶର୍ମା..

1 min read

ଆଜି ରାଜସ୍ଥାନ ରେ ବିଜେପି ଗଢିବ ନୂଆ ସରକାର । ପୂର୍ବଥର ରାଜସ୍ଥାନରେ ଚାଲିଥିଲା କଂଗ୍ରେସର ରାଜ୍ । କିନ୍ତୁ ଚଳିତ ନିର୍ବାଚନରେ କଂଗ୍ରେସକୁ ମାତ ଦେଇ ଆଗରେ ରହିଛି ବିଜେପି । ରାଜସ୍ଥାନରେ ୫ ବର୍ଷର ବ୍ୟବଧାନ ପରେ ପୁଣି ସତ୍ତାକୁ ଫେରିଛି ବିଜେପି । ତେବେ ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଭାବେ ୨ଦିନ ତଳେ ଭଜନଲାଲ ଶର୍ମାଙ୍କ ନାଁ ଘୋଷଣା କରିଥିଲା । ତେବେ ଆଜି ତାଙ୍କର ହେବ ଶପଥ ଗ୍ରହଣ । ସାଙ୍ଗନୌର ବିଧାୟକ ଭଜନଲାଲ ଶର୍ମା ଆଜି ରାଜସ୍ଥାନର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ । ସେହିପରି ଉପମୁଖ୍ୟମନ୍ତ୍ରୀ ପାଇଁ ମଧ୍ୟ ରାଜସ୍ଥାନରେ ଲାଗୁ ହୋଇଛି ଛତିଶଗଡ଼ ଓ ମଧ୍ୟପ୍ରଦେଶ ଫର୍ମୁଲା । ଅର୍ଥାତ୍ ଦୁଇ ଜଣ ହେବେ ଉପମୁଖ୍ୟମନ୍ତ୍ରୀ । ସେମାନେ ହେଲେ ଦୀୟା ସିଂହ ଓ ପ୍ରେମଚାନ୍ଦ ବୈରୱା ।

ତାଙ୍କ ବ୍ୟତୀତ ବାସୁଦେବ ଦେବନାନୀ ହେବେ ରାଜସ୍ଥାନ ବିଧାନସଭାର ବାଚସ୍ପତି ।ରାଜସ୍ଥାନ ରାଜଧାନୀ ଜୟପୁର ସ୍ଥିତ ଆଲବର୍ଟ ହଲ୍ ପରିସରରେ ଶପଥ ଗ୍ରହଣ ଉତ୍ସବର ଆୟୋଜନ କରାଯାଇଛି । ପୂର୍ବାହ୍ନ ୧୧ଟା ୩୦ମିନିଟରେ ଶପଥ ଗ୍ରହଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ।

ରାଜସ୍ଥାନ ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ଶାହା, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ସମେତ ଅନ୍ୟ ବରିଷ୍ଠ କେନ୍ଦ୍ରୀୟ ନେତୃବୃନ୍ଦ ମଧ୍ୟ ସାମିଲ ହେବେ । ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ପାଇଁ ଜୟପୁର ସମେତ ରାଜସ୍ଥାନର ବିଭିନ୍ନ ସ୍ଥାନରେ ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ କଡାକଡି କରାଯାଇଛି ।ମୁଖ୍ୟମନ୍ତ୍ରୀ ଭଜନଲାଲ ଶର୍ମା ବ୍ରାହ୍ମଣ ସଂପ୍ରଦାୟରୁ ପ୍ରତିନିଧିତ୍ୱ କରୁଛନ୍ତି । ବିଧାୟକ ଦଳ ନେତା ନିର୍ବାଚିତ ହେବା ପରେ, ଭଜନଲାଲ ଶର୍ମା ରାଜ୍ୟପାଳଙ୍କୁ ଭେଟି ସରକାର ଗଠନ ଲାଗି ଦାବି ଜଣାଇଥିଲେ ।

୫୬ ବର୍ଷୀୟ ଭଜନଲାଲ ରାଜସ୍ଥାନର ସାଙ୍ଗନେର ବିଧାନସଭା ଆସନରୁ ନିର୍ବାଚନ ଜିତିଛନ୍ତି । ସେ ଜୟପୁର ସ୍ଥିତ ରାଜସ୍ଥାନ ବିଶ୍ୱବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଥିଲେ । ବିଧାନସଭା ନିର୍ବାଚନରେ ୧୧୬ ସିଟରେ ବିଜୟ ହାସଲ କରି ପୂର୍ଣ୍ଣ ବହୁମତରେ ସରକାର ଗଢ଼ିବା ପାଇଁ ଯାଉଛି ବିଜେପି । ରାଜସ୍ଥାନ ନିର୍ବାଚନରେ ବିଜେପି ବିନା ମୁଖ୍ୟମନ୍ତ୍ରୀ ଚେହେରାରେ ନିର୍ବାଚନ ଲଢ଼ିଥିଲା ।

ପୂର୍ବରୁ ଭଜନଲାଲ ରାଜ୍ୟର ସାଧାରଣ ସମ୍ପାଦକଭାବେ ଦଳର ଗୁରୁ ଦାୟିତ୍ୱ ତୁଲାଉଥିଲେ । ଜୟପୁରରେ ତାଙ୍କ ବାସ ଭବନ ରହିଥିବା ବେଳେ ସେ ଭରତପୁରର ମୂଳ ବାସିନ୍ଦା । ବିଜେପିର ରାଜ୍ୟ ସାଧାରଣ ସମ୍ପାଦକଭାବେ କାର୍ଯ୍ୟ ତୁଲାଉଥିବାବେଳେ ସାଙ୍ଗାନୋର ଆସନରେ ପ୍ରଥମଥର ପାଇଁ ଟିକେଟ ଦିଆଯାଇଥିଲା । ଏହି ଆସନ ବିଜେପିର ଗଡ଼ଭାବେ ପରିଚିତ ଥିଲା । ବରିଷ୍ଠ ନେତାଙ୍କ ଟିକେଟ କାଟି ଭଜନଲାଲଙ୍କୁ ଏଠାରେ ଦାୟିତ୍ୱ ଦିଆ ଯାଇଥିଲା । ଯାହାକୁ ସେ ଭଲ ଭାବେ ତୁଲାଇ ଥିଲେ ।

Leave a Reply

Your email address will not be published. Required fields are marked *