ରାଜସ୍ଥାନରେ ନିର୍ବାଚନକୁ ନେଇ ସରଗରମ ଥିବା ବେଳେ ୧୫ ଲକ୍ଷ ଟଙ୍କା ଲାଞ୍ଚ ନେଇ ଫସିଲେ ଇଡିର ୨ ଅଧିକାରୀ
1 min readରାଜସ୍ଥାନରେ ଏସିବି ଏକ ବଡ ପଦକ୍ଷେପ ନେଇଛି । ଏସିବି ଅର୍ଥାତ ଆଣ୍ଟି କରପର୍ସନ ବ୍ୟୁରୋ । ଯେଉଁମାନେ ପ୍ରାୟତଃ ରାଜନେତା, ବଡ ଅଧିକାରୀ ଏବଂ ବ୍ୟବସାୟୀଙ୍କ ଘରେ ରେଡ୍ କରିଥାନ୍ତି, ଆଜି ସେହି ବିଭାଗର ଜଣେ ଅଧିକାରୀଙ୍କ କାର୍ଯ୍ୟାଳୟରେ ଏସିବି ଚଢାଉ କରିଥିଲା । ଆଜ୍ଞା ହଁ ଆଜି ଇଡିର ୨ ଅଧିକାରୀଙ୍କୁ ଗିରଫ କରିଛି ରାଜସ୍ଥାନର ଏସିବି ।ଲାଞ୍ଚ ନେଉଥିବା ବେଳେ ମାଡିବସିଲା ଏସିବି । ସୂଚନା ମୁତାବକ, ମଣିପୁରରେ ଏକ ଚିଟ୍ ଫଣ୍ଡ୍ କମ୍ପାନୀ ମାମଲାରେ ତଥା ଅନ୍ୟାନ୍ୟ ସୁବିଧା ନାମରେ ପୀଡିତାଙ୍କ ଠାରୁ ୧୭ ଲକ୍ଷ ଟଙ୍କା ମାଗିଥିଲେ ।
କିନ୍ତୁ ସେ ୧୫ ଲକ୍ଷ ଟଙ୍କା ନେଉଥିବା ବେଳେ ଧରାପଡିଥିଲେ । ତାଙ୍କ ପାଇଁ କାମ କରୁଥିବା ସହଯୋଗୀଙ୍କୁ ମଧ୍ୟ ଗିରଫ କରାଯାଇଛି । ସେମାନଙ୍କୁ ସିଧା ସଳଖ ଧରିବା ପାଇଁ ଅଲୱାରରେ ଏହି ଜାଲ ବିଛାଯାଇଥିଲା । ଏହା ଏକ ବଡ ଘଟଣା ହୋଇଥିବାରୁ ଏସିବି ଅଧିକାରୀମାନେ ମଧ୍ୟ ଅଲୱାରକୁ ବାହାରିଥିଲେ । ଗିରଫ ଇଡି ଅଧିକାରୀଙ୍କ ନାଁ ନବଲକିଶୋର ମୀନା ଏବଂ ତାଙ୍କର ସହଯୋଗୀ ବାବୁଲାଲା ମୀନା । ନବଲକିଶୋର ମୀନା ମଣିପୁର ଇଡିରେ କାର୍ଯ୍ୟରତ । ସେହିପରି ବାବୁଲାଲ ମଧ୍ୟସ୍ଥି ଭାବରେ କାମ କରୁଥିଲେ । ସେ ବର୍ତ୍ତମାନ ଅଲବରର ଖୈରସ୍ଥରରେ କନିଷ୍ଠ ସହାୟକ କାର୍ଯ୍ୟାଳୟରେ ନିୟୋଜିତ ଅଛନ୍ତି । ତେବେ ବର୍ତ୍ତମାନ ଏସବି ଉଭୟଙ୍କୁ ପଚାରଉଚରା କରୁଛି । ବର୍ତ୍ତମାନ ଏସିବି ଇଡିର ଏହି ଇନ୍ସପେକ୍ଟରର ଅନେକ ଠିକଣାରେ ରେଡ୍ କରୁଛି ।
ତେବେ ଏସିବି ଅଧିକାରୀ କହିଛନ୍ତି ଯେ ନିକଟରେ ମଣିପୁରର କିଛି ଲୋକଙ୍କ ବିରୋଧରେ ଠକେଇ ଏବଂ ଏକ ଚିଟ୍ ଫଣ୍ଡ କମ୍ପାନୀ ଚଳାଇବା ମାମଲା ପଞ୍ଜିକୃତ ହୋଇଥିଲା । ଏହି ମାମଲାରେ ପୀଡିତାଙ୍କଠାରୁ ଇଡିର ଅଧିକାରୀ କିଛି ଟଙ୍କା ମାଗିଥିଲେ । ପୀଡିତା ପୋଲିସ ଏସିବି ଅଧିକାରୀଙ୍କୁ କହିଛନ୍ତି ଯେ ଇଡି ଅଧିକାରୀ ନବଲକିଶୋର ମୀନା ଏବଂ ତାଙ୍କ ସହକାରୀ ବାବୁଲାଲ ତାଙ୍କଠାରୁ ଟଙ୍କା ମାଗୁଛନ୍ତି । ଚିଟ୍ ଫଣ୍ଡ କମ୍ପାନୀ ମାମଲାରେ ସେମାନଙ୍କ ସମ୍ପତ୍ତି ସଂଲଗ୍ନ ନକରିବା ବଦଳରେ ଏହି ଟଙ୍କା ଦାବି କରାଯାଉଥିଲା । ଏହି ମାମଲାରେ ବାବୁଲାଲ ମଧ୍ୟସ୍ଥି ଭାବରେ କାର୍ଯ୍ୟ କରୁଥିଲେ ।