ଦିଲ୍ଲୀ ପୁଲିସର ସ୍ପେସାଲ ସେଲ୍ଙ୍କ ବଡ ସଫଳତା; ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର ୭ ସୁଟର୍ ଗିରଫ
1 min readଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ବିରୋଧରେ ଦିଲ୍ଲୀ ପୁଲିସର ସ୍ପେସାଲ ସେଲ୍ ପଞ୍ଜାବ ସମେତ ବିଭିନ୍ନ ରାଜ୍ୟରେ ଚଢ଼ଉ ଜାରି ରଖିଥିବା ବେଳେ ଆଜି ଏକ ବଡ଼ ସଫଳତା ମିଳିଛି। ଲରେନ୍ସ ଗ୍ୟାଙ୍ଗର ୭ ଜଣ ସୁଟରଙ୍କୁ ଆଜି ଗିରଫ କରାଯାଇଛି। ପୁଲିସ ସେମାନଙ୍କଠାରୁ ଅସ୍ତ୍ରଶସ୍ତ୍ର ମଧ୍ୟ ଜବତ କରିଛି। ଏହା ପୂର୍ବରୁ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ଉପରେ ଜାତୀୟ ତଦନ୍ତକାରୀ ଏଜେନ୍ସି (ଏନଆଇଏ) ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା। ସନ୍ଦେହ କରାଯାଉଛି ମହାରାଷ୍ଟ୍ରର ଏନସିପି ନେତା ବାବା ସିଦ୍ଦିକି ଓ ସଲମାନ ଖାନଙ୍କ ଘର ଉପରକୁ ଗୁଳିମାଡ଼ରେ ଏମାନେ ସଂପୃକ୍ତ ଅଛନ୍ତି। ଅଭିଯୁକ୍ତମାନଙ୍କ ବିରୋଧରେ ଏକାଧିକ ହତ୍ୟା, ବଟି ଆଦାୟ, ଅସ୍ତ୍ରଶସ୍ତ୍ର ଚାଲାଣରେ ସଂପୃକ୍ତ ଥିବାର ଅଭିଯୋଗ ଅଛି।
ପଞ୍ଜାବ , ହରିୟାଣା, ରାଜସ୍ଥାନ ଓ ଦିଲ୍ଲୀର ବିଭିନ୍ନ ସ୍ଥାନରେ ରେଡ୍ କରି ଏମାନଙ୍କୁ ଗିରଫ କରାଯାଇଛି। ସେମାନଙ୍କଠାରୁ ୬ଟି ସେମି ଅଟୋମେଟିକ ପିସ୍ତଲ ବି ଜବତ କରାଯାଇଛି। ତାସହିତ ଜିପିଏସ୍ ଟ୍ରାକିଂ ଡିଭାଇସ୍ ମିଳିଛି। ବାବା ସିଦ୍ଦିକି ମର୍ଡର ନେଇ ସେମାନଙ୍କୁ ପଚରା ଉଚରା କରିଛି ଦିଲ୍ଲୀ ପୋଲିସ ।
ସୂଚନା ଅନୁସାରେ ଏମାନଙ୍କ ହିଟ୍ ଲିଷ୍ଟରେ ଅନେକ ହାଇପ୍ରୋଫାଇଲ ଲୋକ ଅଛନ୍ତି। ହରିୟାଣାର ଜଣେ ବଡ଼ ବ୍ୟକ୍ତି ଥିବାର ବି ସୂଚନା ମିଳିଛି। ସେହିପରି ରାଜସ୍ଥାନର ବି ଜଣେ ବଡ଼ ବ୍ୟକ୍ତିକୁ ଟାର୍ଗେଟ କରାଯାଇଥିଲା। ଏଥିପାଇଁ ଲରେନସ ବିଷ୍ଣୋଇର ଘନିଷ୍ଠ ସହଯୋଗୀ ଥିବା ଆରଜୁ ବିଷ୍ଣୋଇ ଅନୁମତି ଦେଇଥିବାର ଜଣାପଡ଼ିଛି।