Pratidin TV

Odisha's Digital News Platform

ବିଜେପିକୁ ବିଜୁ ଜନତା ଦଳ ଦେଲା ପରିକ୍ରମା ପ୍ରକଳ୍ପର ହିସାବ , ୪୫୦୦ କୋଟି ନୁହେଁ ଖର୍ଚ୍ଚ ହୋଇଛି ୩୨୫ କୋଟି..

ବିରୋଧୀ ବିଜେପି ଦଳକୁ କଡା ଜବାବ ଦେଲା ବିଜୁ ଜନତା ଦଳ। ଶଙ୍ଖ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବିଜେଡିର ବରିଷ୍ଠ ନେତା ଭୃଗୁ ବକ୍ସିପାତ୍ର ଓ ବିଜେଡି ମୁଖପାତ୍ର ସ୍ୱୟଂପ୍ରକାଶ ମହାପାତ୍ର ସିଧାସଳଖ ବିରୋଧୀ ଦଳକୁ ଟାର୍ଗେଟ କରିଛନ୍ତି । ଭୃଗୁ ବକ୍ସିପାତ୍ର କହିଛନ୍ତି, ଅଭ୍ୟାସଗତ ଭାବେ ମିଛ କହୁଥିବା ବିଜେପି ନେତାମାନେ ଶ୍ରୀମନ୍ଦିରକୁ ନେଇ ହୀନ ରାଜନୀତି କରୁଛନ୍ତି। ଜଗନ୍ନାଥପ୍ରେମୀଙ୍କ ଭାବାବେଗ ସହ ଖେଳୁଛନ୍ତି। ପ୍ରତିଦିନ ନୂଆ ନୂଆ ଡ୍ରାମା କରୁଛନ୍ତି। ସୁପର ମିଛୁଆ ନେତା, ଫେକ୍‌ ନ୍ୟୁଜ କରାଖାନା ଖୋଲିଦେଇଛନ୍ତି। ଟୁରିଷ୍ଟ ନେତାଙ୍କୁ ଯାହା ଲେଖା ଧରାଇ ଦିଆଯାଉଛି, ସେମାନେ ଘୋଷା ଶୁଆ ଭଳି ଗାଉଛନ୍ତି। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପରେ ହୋଇଥିବା ଖର୍ଚ୍ଚକୁ ନେଇ ସୁପର ମିଛୁଆ ନେତା ଆଉ ତାଙ୍କ ଅନୁଗତ ମାନେ ଲଗାତର ଭାବେ ମିଛ କହି ଚାଲିଛନ୍ତି। କାରଣ ଆରମ୍ଭ ଦିନରୁ ସେମାନେ ଭକ୍ତଙ୍କ ସୁବିଧା ପାଇଁ ହେଉଥିବା ପ୍ରକଳ୍ପ ବିରୋଧୀ ଥିଲେ।

କେତେବେଳେ କହୁଥିଲେ ଟାଇଲ୍‌ସ ପକାହୋଇଛି, କେତେବେଳେ କହୁଥିଲେ ୪ଟି ପାଇଖାନା ନିର୍ମାଣ ହୋଇଛି ଆଉ କିଛି କାମ ହୋଇନାହିଁ। ଏଏସଆଇ, ଏନଏମଏ, ସୁପ୍ରିମକୋର୍ଟ ସବୁ ଜାଗାରେ ଚେଷ୍ଟା କରି ବିଫଳ ହେଲେ ବୋଲି ଶ୍ରୀ ଭୃଗୁ ବକ୍ସିପାତ୍ର କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ, ବିଜେପିର ନେତାଏଁ କହୁଛନ୍ତି, ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ସାଢେ ୪ ହଜାର କୋଟି ଖର୍ଚ୍ଚ ହୋଇଛି। ଅସଲ କଥା ହେଲା, ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ୩୨୫ କୋଟି ଟଙ୍କା ହିଁ ଖର୍ଚ୍ଚ ହୋଇଛି। ଅବଢା ଯୋଜନାରେ ଶ୍ରୀମନ୍ଦିର ଓ ଶ୍ରୀକ୍ଷେତ୍ରର ସାମଗ୍ରିକ ବିକାଶ ପାଇଁ ଏକାଧିକ ଉନ୍ନୟନ ପ୍ରକଳ୍ପ ବାବଦକୁ ବ୍ୟୟବରାଦ ରହିଛି ୪୨୦୦ କୋଟି ଟଙ୍କା। ଯାହାର କାର୍ଯ୍ୟ ଏବେ ମଧ୍ୟ ଜାରି ରହିଛି। ଏହାକୁ ସୁପର ମିଛୁଆଙ୍କ ଟିମ୍‌ ସଦସ୍ୟ ଭଲଭାବେ ବୁଝି ମଧ୍ୟ, ଜାଣିଶୁଣି ବିଭ୍ରାନ୍ତି କରୁଛନ୍ତି। ସେହିଭଳି ଟୁରିଷ୍ଟ ନେତା ଯେଉଁମାନଙ୍କର ଓଡିଶା ବାବଦରେ ସାମାନ୍ୟତମ ଧାରଣା ନାହିଁ, ସେମାନଙ୍କୁ ଓଡିଶା ବିଜେପି ନେତା ଯାହା ଲେଖିକି ଦେଲେ, ତାକୁ ଗାଇ ଯାଉଛନ୍ତି। ଓଡିଶାବାସୀଙ୍କୁ ଲଜ୍ଜିତ କରିବାକୁ ବି ପଛାଉନାହାନ୍ତି। ଯେମିତି ଶୀତ ଦିନେ ସାଇବେରିଆନ ପକ୍ଷୀ ଚିଲିକାକୁ ଆସନ୍ତି. ସେହିଭଳି ଟୁରିଷ୍ଟ ନେତା ନିର୍ବାଚନ ବେଳେ ଓଡିଶା ଆସନ୍ତି। ଆଉ ୧୫ ଦିନ ପରେ ଏମାନଙ୍କର ଦେଖା ମିଳିବନି, ପୁଣି ଯାଇ ୨୦୨୯ରେ ଏମାନେ ଆସିବେ। ଆଉ ସମାନ ଢଙ୍ଗରେ ଘୋଷା ଶୁଆ ଭଳି ଗାଇବେ। ବୋଲି ଶ୍ରୀ ଭୃଗୁ ବକ୍ସିପାତ୍ର କହିଛନ୍ତି।

Leave a Reply

Your email address will not be published. Required fields are marked *