ବିଜୁ ବାବୁଙ୍କ ୧୦୮ ତମ ଜନ୍ମ ଜୟନ୍ତୀ , ଜାଣନ୍ତୁ ତାଙ୍କ ସ୍ୱର୍ଣ୍ଣିମ ଇତିହାସର କାହାଣୀ ଯାହା ଆଜି ବି ଜୀବନ୍ତ …
1 min readପ୍ରବାଦ ପୁରୁଷ , ଜନନାୟକ , କଳିଙ୍ଗପୁତ୍ର , ଝଡର ଇଗଲ , ସ୍ୱପ୍ନର ସୌଦାଗର , ନବ ଓଡିଶା ଗଠନର ମୁଖ୍ୟ ପୁରୋଧା ଏମିତି ତାଙ୍କର ଅନେକ ନାଁ । ବିଜୟାନନ୍ଦ ପଟ୍ଟନାୟକ , ବିଜୁ ପଟ୍ଟନାୟକ , କଲିଙ୍ଗ ବୀର , ଆଧୁନିକ ଖାରବେଳ , ଭୂମିପୁତ୍ର ହେଲେ ସବୁରି ମୁହଁରେ ସେ ଗୋଟିଏ ନାଁରେ ଥିଲେ ବେଶ୍ ପରିଚିତ , ବିଜୁ ବାବୁ । ବୀର ପ୍ରସବୀନି , ଉତ୍କଳମାଟିର ବରପୁତ୍ର , ଆଜୀବନ ଜନପ୍ରତିନିଧି , ଓଡିଶାର ଲୋକପ୍ରିୟ ରାଜନେତା , ପୂର୍ବତନ ମୁଖ୍ୟମନ୍ତ୍ରୀ ଓ ଆଧୁନିକ ଓଡିଶାର ସୂକ୍ଷ୍ମ କାରିଗର ବିଜୁ ପଟ୍ଟନାୟକ ଖାଲି ଓଡିଶାରେ ନୁହେଁ ଭାରତୀୟ ଜାତୀୟ ରାଜନୀତିର ଅପ୍ରତିଦ୍ୱନ୍ଦୀ ବ୍ୟକ୍ତିତ୍ୱ , ଯିଏ ଉନ୍ମତ୍ତଝଡ଼ର ବକ୍ଷ ଭେଦକରି ଅଦମ୍ୟ ସାହସ ଓ ପରାକ୍ରମୀ ଇଗଲ୍ ର ଆଖ୍ୟା ଲାଭ କରିଥିଲେ, ନିଜ ଜୀବନକୁ ଜଳାଞ୍ଜଳି ଦେଇ ଲୋକଙ୍କ ହିତରେ ସମର୍ପଣ ଓ ତ୍ୟାଗର ମୂର୍ତ୍ତିମନ୍ତ ପ୍ରତିମା ଆଙ୍କିଥିଲେ ସେହି ଓଡ଼ିଆ ଅସ୍ମିତାର ସମର୍ଥ ସାଧକ, କୋଟି ହୃଦୟର ପ୍ରଭାବୀ ଜନନାୟକ, ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟ । ଓଡିଶା ଥିଲା ବିଜୁ ବାବୁଙ୍କ ପ୍ରୟୋଗଶାଳା , ଆଉ ବିଜୁବାବୁ ଥିଲେ ଆର୍ନ୍ତଜାତୀୟ ପରିଚୟ ।
କଟକ ତୁଳସୀପୁର ସ୍ଥିତ ଆନନ୍ଦ ଭବନରେ ୧୯୧୬ ମସିହା ମାର୍ଚ୍ଚ ୫ ତାରିଖରେ ତାଙ୍କର ଜନ୍ମ । ବାପା ଲକ୍ଷ୍ମୀ ନାରାୟଣ ପଟ୍ଟନାୟକ , ଓ ମାଆ ଆଶା ଲତା ଦେବୀ । କଟକ ମିଶନ ସ୍କୁଲ ଓ ରେଭେନ୍ସା ସ୍କୁଲରେ ତାଙ୍କର ସ୍କୁଲ ଜୀବନ । ରେଭେନ୍ସା କଲେଜରେ ତାଙ୍କର ଉଚ୍ଚ ଶିକ୍ଷା ଆରମ୍ଭ । ୧୯୩୪ ମସିହାରେ ପାଠପଢା ଛାଡି ପାଇଲଟ୍ ଟ୍ରେନିଂ ରେ ଯୋଗଦାନ । ଆଉ ୧୯୩୬ ମସିହାରେ ଇଣ୍ଡିଆନ ଏୟାରଫୋର୍ସରେ ବିଦ୍ଧିବଦ୍ଧ ପାଇଲଟ ଚାକିରୀ । ୧୯୩୮ ମସିହାରେ ଜ୍ଞାନ ଦେବୀଙ୍କ ସହିତ ତାଙ୍କର ବିବାହ । ବିଜୁପଟ୍ଟନାୟକ ଜଣେ ଦୁଃସାହସି , ଉଦ୍ୟମୀ ଦୁରଦୃଷି ସମ୍ପନ୍ନ ଭିନ୍ନ ମଣିଷ ଏକଥା ପ୍ରଥମରୁ ହିଂ ବାରି ହୋଇ ପଡିଥିଲା । ବିଜୁ ପଟ୍ଟନାୟକ ଯେ ଭବିଷ୍ୟତରେ ଜଣେ ଦୁର୍ଦ୍ଧର୍ଷ ପାଇଲଟ୍ ହେବେ ସେ କଥା କଳନା କରାଯାଇ ନ ଥିଲା । ଅଳ୍ପଦିନ ଭିତରେ ତାଙ୍କର ଦୁଃସାହସିକତାର ପ୍ରମାଣ ମିଳିଥିଲା । ସେ ଜଣେ ଦକ୍ଷ ପାଇଲଟ୍ ଭାବରେ ଜଣାଶୁଣା ହୋଇଗଲେ । ଏକ ଘଡ଼ିସନ୍ଧି ମୁହୂର୍ତ୍ତରେ ସେ ନିଜେ ବିମାନ ଚଳାଇ ଇଣ୍ଡୋନେସିଆର ରାଷ୍ଟ୍ରପତି, ଉପରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ଆଦିଙ୍କୁ ଡଚମାନଙ୍କଠାରୁ ଉଦ୍ଧାର କରିଥିଲେ ।
ଏହି ଦୁଃସାହସିକ କାର୍ଯ୍ୟ ପାଇଁ ତାଙ୍କୁ ଇଣ୍ଡୋନେସିଆର ସର୍ବୋଚ୍ଚ ସମ୍ମାନ “ଭୂମିପୁତ୍ର” ସମ୍ମାନରେ ସମ୍ମାନୀତ କରାଯାଇଥିଲା ।ବିଜୟାନନ୍ଦ ପଟ୍ଟନାୟକ ବା ବିଜୁ ପଟ୍ଟନାୟକ ଭାରତ ବର୍ଷ ରେ କେବଳ ଜଣେ ରାଜନୈତିକ ନେତା ଭାବେ ପରିଚିତ ନୁହେଁ ବରଂ ସେ ଏକା ଧାରାରେ ଜଣେ ବୈମାନିକ, ଶିଳ୍ପପତି ଓ ବ୍ୟବସାୟୀ ମଧ୍ୟ । ରାଜନିତଜ୍ଞ ଭାବେ ସେ ଓଡିଶାର ଦୁଇ ଦୁଇ ଥର ମୁଖ୍ୟମନ୍ତ୍ରୀ ରହି ଆସିଛନ୍ତି । ଓଡିଶାରେ ଶିଳ୍ପର ବିକାଶ ନିମନ୍ତେ ତାଙ୍କର ଅବଦାନ ବେଶ ଗୁରୁତ୍ୱପୂର୍ଣ୍ଣ । କଳିଙ୍ଗ ଟାଇଲସ, କଳିଙ୍ଗ ଟ୍ୟୁବସ, କଳିଙ୍ଗ ଆଇରନ ୱାର୍କସ, କଳିଙ୍ଗ ଏୟାରଲାଇନସ ଓ କଳିଙ୍ଗ ରିଫ୍ରାକଟୋରିଜ ଆଦି ନିଜ ଉଦ୍ୟମରେ ସେ ପ୍ରତିଷ୍ଠା କରିଥିଲେ । ରାଜନୀତି କ୍ଷେତ୍ରରେ ବିଜୁ ପଟ୍ଟନାୟକ ତାଙ୍କ ରାଜନୈତିକ ଜୀବନ ୧୯୪୬ରେ ଆରମ୍ଭକରି ଓଡ଼ିଶା ବିଧାନ ସଭାକୁ ଉତ୍ତର କଟକ ମଣ୍ଡଳୀରୁ ନିର୍ବାଚିତ ହୋଇଥିଲେ । ୧୯୬୧ରେ ସେ ରାଜ୍ୟ କଂଗ୍ରେସର ସଭାପତିତ୍ୱ ଗ୍ରହଣ କରିଥିଲେ । ଚୌଦ୍ୱାରରୁ ନିର୍ବାଚିତ ବିଜୁ ପଟ୍ଟନାୟକ ପ୍ରଥମଥର ନିମନ୍ତେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଦାୟିତ୍ୱ ଗ୍ରହଣ କରି ୨ ଅକ୍ଟୋବର ୧୯୬୩ ଯାଏଁ ପଦବୀରେ ରହିଥିଲେ ।
ଇନ୍ଦିରା ଗାନ୍ଧୀଙ୍କ ସହ ରାଜ୍ୟସଭା ଟିକେଟ ବଣ୍ଟନ ପାଇଁ ମନମାଳିନ ହେତୁ ସେ କଂଗ୍ରେସ ପାର୍ଟି ଛାଡ଼ି ଉତ୍କଳ କଂଗ୍ରେସ ନାମରେ ଏକ ନୂତନ ଦଳ କରିଥିଲେ । ୧୯୯୦ ରାଜ୍ୟ ବିଧାନ ସଭା ନିର୍ବାଚନରେ ସେ ଜନତା ଦଳରୁ ଜିତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ୧୯୯୫ ପର୍ଯ୍ୟନ୍ତ କାର୍ଯ୍ୟନିର୍ବାହ କରିଥଲେ । ୧୭ ଏପ୍ରିଲ ୧୯୯୭ ମସିହାରେ ୮୧ବର୍ଷ ବୟସରେ ସେ ଇହଧାମ ତ୍ୟାଗ କରିଥିଲେ । ବିଶ୍ୱବାସୀଙ୍କ ପାଇଁ ତାଙ୍କର ଅଲିଭାଦାଗ ଛାଡି ସବୁଦିନ ପାଇଁ ଅମର ହୋଇ ଯାଇଛନ୍ତି । ସେ ପୃଥିବୀର ଏକ ଅନନ୍ୟ ମଣିଷ । ପୁରୀ ସ୍ୱର୍ଗ ଦ୍ୱାରଠାରେ ତାଙ୍କର ଅନ୍ତେଷ୍ଟି କ୍ରିୟାରେ ଶବ ଶୋଭା ଯାତ୍ରାରେ ବହୁ ଜନସମାବେସ ହୋଇଥିଲା । ତାହା ତାଙ୍କର ଲୋକ ପ୍ରିୟତାକୁ ପ୍ରମାଣିତ କରିଥିଲା । ଆଜି ବିଜୁ ପଟ୍ଟନାୟକଙ୍କର ୧୦୮ତମ ଜନ୍ମ ଜୟନ୍ତୀ । ଆଜିର ଦିନକୁ ଓଡ଼ିଶାରେ ପଞ୍ଚାୟତିରାଜ ଦିବସ ଭାବେ ପ୍ରତିବର୍ଷ ପାଳନ କରାଯାଏ । ଆଜି ସେହି ମୁକୁଟ ବିହୀନ ସମ୍ରାଟଙ୍କୁ ମନେ ପକାଉଛି ସାରା ଓଡିଶା ବାସୀ । ଏବଂ ସେହି ପ୍ରବାଦ ପୁରଷଙ୍କୁ ଜଣାଉଛନ୍ତି ଭକ୍ତିପୂତ ଶ୍ରଦ୍ଧାଞ୍ଜଳୀ ।