Pratidin TV

Odisha's Digital News Platform

ବାର୍ଡ ଫ୍ଲୁ ପାଇଁ ପ୍ରଶାସନର କଟକଣା , ୩ ମାସ ଯାଏଁ ବନ୍ଦ ରହିବ କୁକୁଡ଼ା ଚାଷ ..

1 min read

ପୁରୀ  ବାର୍ଡ ଫ୍ଲୁ ସଂକ୍ରମଣ ସ୍ଥିତି ଉଦବେଗଜନକ ରହିଛି। ଏଥିପାଇଁ ବାର୍ଡ ଫ୍ଲୁ ସଂକ୍ରମିତ ଅଞ୍ଚଳରେ ୩ ମାସ କୁକୁଡ଼ା ଚାଷ ବନ୍ଦ ରଖିବା ପାଇଁ ପୁରୀ ପ୍ରଶାସନ କଟକଣା ଲଗାଇଛି । ପିପିଲି, ଡେଲାଙ୍ଗ, ନିମାପଡ଼ା ଓ ସତ୍ୟବାଦୀରେ଼ କୁକୁଡ଼ା ଚାଷ ବନ୍ଦ ରଖିବା ପାଇଁ କୁହାଯାଇଛି। ପିପିଲି ବ୍ଲକର ୮୬୧ଟି କୁକୁଡ଼ା ଫାର୍ମରୁ ୫୫ଟି ଫାର୍ମ ସିଲ ହୋଇଛି । ଡେଲାଙ୍ଗ ବ୍ଲକରେ ୩୪୪ଟି ଫାର୍ମ ରହିଛି। ବିଶୋଧନ କରି ୬୪ଟି ଫାର୍ମକୁ ସିଲ୍ କରାଯାଇଛି । ସେହିଭଳି ସତ୍ୟବାଦୀରେ ୨୨ଟି କୁକୁଡ଼ା ଫାର୍ମକୁ ବିଶୋଧନ କରି ସିଲ କରିଛି ପ୍ରାଣୀ ସମ୍ପଦ ବିଭାଗ । ଏହି ସବୁ ଫାର୍ମରେ କୁକୁଡ଼ା ଚିଆଁ ଛାଡି ପାରିବେନି ଚାଷୀ ।

ବାର୍ଡ-ଫ୍ଲୁ କ୍ଷୟକ୍ଷତି ପୂରଣରୁ ବଞ୍ଚିତ କୁକୁଡ଼ା ଚାଷୀ ଜିଲାପାଳଙ୍କୁ ଲିଖିତ ଅଭିଯୋଗ କରିଛନ୍ତି । ଆସନ୍ତା ସାତ ଦିନରେ ବିଭାଗ କ୍ଷତି ପୂରଣ କଥା ନବୁଝନ୍ତି ଚାଷୀ ସମୂହ ରାଜରାସ୍ତା ଅବରୋଧ କରି ଅଖଚକ ବନ୍ଦ କରିବେ ବୋଲି ଚେତାବନୀ ଦେଇଛନ୍ତି ।  ସଂକ୍ରମିତ ଅଞ୍ଚଳର ୧ କିମି ଭିତରେ କୁକୁଡ଼ା ଚାଷ ହେବନି ବୋଲି ପ୍ରଶାସନ ନିର୍ଦ୍ଦେଶ ଦେଇଛି। ସେହିପରି ୧୦ କିମି ବ୍ୟାସାର୍ଦ୍ଧରେ କୁକୁଡ଼ା ବାହାରକୁ ପଠା ନଯିବାକୁ ପ୍ରଶାସନ ପକ୍ଷରୁ କୁହାଯାଇଛି। କୁକୁଡା ଚାଷୀମାନେ ୧୫ ଦିନରେ ଥରେ କୁକୁଡ଼ା ନମୁନା ପରୀକ୍ଷା କରିବେ। ୩ ମାସ କୁକୁଡ଼ା ଚାଷ ବନ୍ଦ ରଖିବାକୁ ପ୍ରଶାସନ ନିର୍ଦ୍ଦେଶ ଦେଇଥିବାରୁ ଫାର୍ମ ମାଲିକମାନେ ଚିନ୍ତାରେ ପଡ଼ି ଯାଇଛନ୍ତି। କିଛି ଦିନ ତଳେ କେନ୍ଦ୍ରୀୟ ଟିମ୍ ପୁରୀ ଜିଲ୍ଲା ଗସ୍ତରେ ଯାଇ ସ୍ଥିତି ସମୀକ୍ଷା କରିଥିଲେ। ବାର୍ଡ ଫ୍ଲୁ ସଂକ୍ରମିତ ଅଞ୍ଚଳର ଏକ କିଲୋମିଟର ପରିଧି ଭିତରେ ଥିବା ବ୍ୟକ୍ତି ବିଶେଷମାନଙ୍କୁ କୁକୁଡା ମାଂସ ନଖାଇବାକୁ ପରାମର୍ଶ ଦେଇଥିଲେ ଟିମ୍‌ ସଦସ୍ୟ। ବାର୍ଡ ଫ୍ଲୁ ବ୍ୟାପିଥିବାରୁ ପୁରୀ ଜିଲ୍ଲାର ବିଭିନ୍ନ ସ୍ଥାନରେ ପ୍ରାୟ ୩୦ ହଜାରରୁ ଅଧିକ କୁକୁଡ଼ାଙ୍କ ମୃତ୍ୟୁ ହୋଇଛି।

Leave a Reply

Your email address will not be published. Required fields are marked *