କେଜ୍ରିୱାଲ ନିକଟକୁ ନିଜେ ଆମ୍ବୁଲାନ୍ସ ନେଇଗଲେ ବିଜେପି ନେତା ବିଜୟ ଗୋଏଲ
1 min readଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ ଆଦମୀ ପାର୍ଟି ନେତା ଅରବିନ୍ଦ କେଜ୍ରିୱାଲଙ୍କୁ ଡାକ୍ତରଖାନା ନେବା ପାଇଁ ଆମ୍ବୁଲାନ୍ସ ପଠାଇଛନ୍ତି ବିଜେପି ବରିଷ୍ଠ ନେତା ବିଜୟ ଗୋଏଲ | ଶନିବାର ଅର୍ଥାତ ଆଜି ବିଜେପି ନେତା ବିଜୟ ଗୋଏଲ ନିଜେ ଅମ୍ୱୁବଲନ୍ସ ନେଇ କେଜ୍ରିୱାଲଙ୍କ ବାସଭବନକୁ ଯାଇଥିଲେ | ହେଲେ ସେଠାରେ ତାଙ୍କୁ ଦିଲ୍ଲୀ ପୋଲିସ ଅଟକାଇ ଦେଇଥିଲା |
ଆମ ଆଦମୀ ପାର୍ଟି ନେତା କେଜ୍ରିୱାଲ ଦାବି କରିଛନ୍ତି ଯେ ସେ ଗୁରୁତର ରୋଗରେ ପୀଡିତ ଅଛନ୍ତି | ମେ ୨୬ ତାରିଖରେ ଡାକ୍ତରଖାନାରେ କିଛି ପରୀକ୍ଷା ପାଇଁ ୭ ଦିନର ଅନ୍ତରୀଣ ଜାମିନ ବଢାଇବାକୁ ନେଇ ସୁପ୍ରିମ କୋର୍ଟରେ କରିଥିଲେ ଆବେଦନ | କିନ୍ତୁ ସେଠାରେ ଆବେଦନ ଖାରଜ ହେବା ପରେ କେଜ୍ରିୱାଲ ପୁଣି ତଳ କୋର୍ଟରେ ଜାମିନ ଆବେଦନ କରିଛନ୍ତି | ସେ ଆବେଦନରେ କହିଥିଲେ, ଜେଲରେ ଥିବା ସମୟରେ ତାଙ୍କର ୭ କିଲୋ ଓଜନ କମିଯାଇଥିଲା | ଏହା ଗୁରୁତର ରୋଗର ସଙ୍କେତ ହୋଇପାରେ ବୋଲି ସେ କହିଛନ୍ତି |
ତେବେ ଶେଷ ପର୍ଯ୍ୟାୟ ନିର୍ବାଚନରେ ଗୋଟିଏ ଦିନ ପରେ କେଜ୍ରିୱାଲଙ୍କୁ ଜୁନ ୨ ତାରିଖ ଦିନ ଆତ୍ମସମର୍ପଣ କରିବା ନେଇ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି | ଗୋଏଲ ଏଥରେ ଅଭିଯୋଗ ଆଣିଛନ୍ତି ଯେ, ଲୋକଙ୍କ ସହାନୁଭୂତି ପାଇବା ପାଇଁ କେଜ୍ରିୱାଲ ତାଙ୍କ ସ୍ୱାସ୍ଥ୍ୟ ସମସ୍ୟା ଦର୍ଶାଇଛନ୍ତି | ସେ ଗଣମାଧ୍ୟମକୁ କହିଛନ୍ତି ଯେ ଏହି ଆମ୍ବୁଲାନ୍ସ କେଜ୍ରିୱାଲଙ୍କୁ ଯେକୌଣସି ଡାକ୍ତରଖାନାକୁ ନେବାକୁ ଥିଲା ଯେଉଁଠାରେ ତାଙ୍କର ସମସ୍ତ ପରୀକ୍ଷା ୨ ରୁ ୪ ଘଣ୍ଟା ମଧ୍ୟରେ କରାଯାଇପାରିବ।