ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଖୁଦୁରୁକୁଣୀ ଓଷାରେ ବୋମାମାଡ଼, ୩ ଗୁରୁତର ….
1 min readତିଗିରିଆ ; ଖୁଦୁରୁକୁଣୀ ଓଷାରେ ଅଘଟଣ । ଗାଁରେ ପୂଜା ଚାଲିଥିବା ବେଳେ ଫୁଟିଲା ବୋମା । ତିଗିରିଆ ଥାନା ଅନ୍ତର୍ଗତ ବିଷ୍ଣୁପୁର ଗ୍ରାମରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ରବିବାର ବିଳମ୍ବିତ ରାତିରେ ୨ ଗୋଷ୍ଠୀ ମଧ୍ୟରେ ବୋମାମାଡ଼ ହୋଇଛି। ବୋମାମାଡ ଯୋଗୁଁ ଗୋଟିଏ ପକ୍ଷର ୩ ଜଣ ଗୁରୁତର ହୋଇଛନ୍ତି । ସେମାନେ ହେଲେ ଶ୍ରୀନିବାସ ସାମଲ (୩୫), ସାଗର ଗୋଛି (୩୨), ଅନିଲ ରାଉତ (୨୮)। ଗୁରୁତର ଥିବା ୨ ଜଣ ଆହତ ବ୍ୟକ୍ତିଙ୍କୁ ତୁରନ୍ତ ଆଠଗଡ଼ ସରକାରୀ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିବା ବେଳେ ଅନ୍ୟଜଣେ ତିଗିରିଆ ସରକାରୀ ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି। ଖବର ପାଇ ଘଟଣା ସ୍ଥଳରେ ତିଗିରିଆ ଥାନା ପୁଲିସ ଡାକ୍ତରଖାନାରେ ପହଞ୍ଚି ଘଟଣାର ଅନୁସନ୍ଧାନ କରୁଥିବା ଜଣାପଡ଼ିଛି । ତେବେ ଏ ନେଇ ତିଗିରିଆ ଥାନାରେ କୌଣସି ଅଭିଯୋଗ ହୋଇନଥିବା ଜଣାପଡ଼ିଛି ।
ସୂଚନା ମୁତାବକ ଦୀର୍ଘଦିନ ଧରି ବିଷ୍ଣୁପୁର ଗ୍ରାମର ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ ଲାଗିରହିଥିଲା ଗତକାଲି ତାହା ଉଗ୍ରରୂପ ଧାରଣ କରିଥିଲା । ଖୁଦୁରୁକୁଣୀ ପୂଜା ଚାଲିଥିବା ବେଳେ ବାଣମରାକୁ ନେଇ ୨ଗୋଷ୍ଠୀ ମଧ୍ୟରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିଲା। ଉଭୟ ପକ୍ଷଙ୍କ ମଧ୍ୟରେ ଯୁକ୍ତିତର୍କ ଓ କଥା କଟାକଟି ହୋଇଥିଲା । ଏହାପରେ ଏହା ମାଡ୍ପିଟ୍ର ରୂପ ନେଇଥିଲା। ଉଭୟ ଗୋଷ୍ଠୀ ପରସ୍ପରକୁ ଆକ୍ରମଣ ଓ ପ୍ରତିଆକ୍ରମଣ କରିଥିଲେ। ଏଥିରେ ବୋମାମାଡ଼ରେ ଗୋଟିଏ ଗୋଷ୍ଠୀର ୩ଜଣ ଆହତ ହୋଇଥିଲେ । ଗୁରୁତର ଆହତ ଅବସ୍ଥାରେ ୩ ଆହତଙ୍କୁ ତିଗିରିଆ ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ।
ଶ୍ରୀନିବାସ ଏବଂ ସାଗରଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ଆଠଗଡ଼ ସରକାରୀ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ତେବେ ସେଠାରୁ ଶ୍ରୀନିବାସଙ୍କୁ କଟକ ସ୍ଥାନାନ୍ତର କରାଯାଇଥିବା ଜଣାପଡ଼ିଛି। ବିଷ୍ଣୁପୁର ଗ୍ରାମରେ ଚାପା ଉତ୍ତେଜନା ଲାଗି ରହିଛି।