ସୁପ୍ରିମକୋର୍ଟ ଦେଲେ ନିର୍ଦ୍ଦେଶ , X ଗଣିବ ମୋଟା ଅଙ୍କର ଜୋରିମାନା !
1 min readବ୍ରାଜିଲ ସୁପ୍ରିମକୋର୍ଟ ଶୁଣାଇଛି ନିଷ୍ପତ୍ତି । ଏଲନ୍ ମସ୍କଙ୍କ ସୋସିଆଲ ମିଡିଆ ପ୍ଲାଟଫର୍ମ ‘X’ ଉପରେ ଥିବା ପ୍ରତିବନ୍ଧକକୁ ହଟାଇବାକୁ ଅନୁମତି ଦେଇଛନ୍ତି । କିନ୍ତୁ ଏହାପୂର୍ବରୁ କମ୍ପାନୀକୁ 5 ମିଲିୟନ ଡଲାରରୁ ଅଧିକ ଜୋରିମାନା ଦେବାକୁ ପଡିବ ।
ଗତ ମାସେ ତଳେ ବ୍ରାଜିଲରେ ଏକ୍ସ ଉପରେ ବ୍ୟାନ ଲାଗିଥିଲା । ଏହି ବ୍ୟାନକୁ ହଟାଇବା ଲାଗି ଚଳିତ ସପ୍ତାହ ପ୍ରାରମ୍ଭରେ ବ୍ରାଜିଲ ସୁପ୍ରିମକୋର୍ଟକୁ ଏଲନ ମସ୍କ ଅନୁରୋଧ କରିଥିଲେ । ଭୁଲ ତଥ୍ୟ ପ୍ରସାରଣକୁ ରୋକିବା ଆଦେଶକୁ ଏକ୍ସ ପାଳନ କରିଛି ବୋଲି କମ୍ପାନୀ ପକ୍ଷରୁ କୋର୍ଟଙ୍କୁ କୁହାଯାଇଥିଲା । ଏଥିଲାଗି ଦେଶରେ ପୁଣି ଥରେ ଏକ୍ସ ସେବାକୁ ଲାଗୁ କରିବାକୁ ଅନୁରୋଧ କରାଯାଇଥିଲା । ବିଚାରପତି ଆଲେକ୍ସଜାଣ୍ଡ୍ରେ ଡି ମୋରିସ୍ ଶୁକ୍ରବାର ଦିନ କହିଛନ୍ତି ଯେ X ଏବଂ ତାଙ୍କ ବ୍ରାଜିଲର ଆଇନ ପ୍ରତିନିଧୀଙ୍କୁ 1.83 ମିଲିୟନ୍ ରିସ୍ (ପ୍ରାୟ 3.4 ମିଲିୟନ୍ ଡଲାର୍) ଜୋରିମାନା ଦେବାକୁ ପଡିବ । ଏହା ପରେ ହିଁ ଏହି ପ୍ଲାଟଫର୍ମ ବ୍ରାଜିଲରେ ଚାଲିବାରେ ସକ୍ଷମ ହେବ ।
ବ୍ରାଜିଲରେ X ପ୍ଲାଟଫର୍ମ ଉପରେ ପ୍ରତିବନ୍ଧକ ଲଗାଯିବା ସମୟରେ ଲାଗିଥିବା ଜୋରିମାନା ବ୍ୟତୀତ ସୁପ୍ରିମକୋର୍ଟ ମଧ୍ୟ X ଉପରେ ଏକ ନୂତନ ଜୋରିମାନା ଲଗାଇଛନ୍ତି । ନିଷେଧାଦେଶ ସତ୍ତ୍ବେ ବ୍ରାଜିଲର କିଛି ଉପଭୋକ୍ତାଙ୍କ ପାଇଁ X ଉପଲବ୍ଧ ରହିବା ପରେ ଗତ ସପ୍ତାହରେ ଜଷ୍ଟିସ ମୋରିସ୍ 10 ମିଲିୟନ ରିସ୍ (ପ୍ରାୟ 18 ଲକ୍ଷ ଟଙ୍କା) ଜୋରିମାନା ଲଗାଇଥିଲେ ।
ଅଗଷ୍ଟ ଶେଷରେ ବ୍ରାଜିଲରେ Xକୁ ଦେଶରେ ବ୍ୟାନ୍ କରିଥିଲା । ଏହି ରାୟ ପ୍ରଦାନ କରିବାବେଳେ ଜଷ୍ଟିସ ମୋରିସ୍ କହିଥିଲେ ଯେ ସୋସିଆଲ ମିଡିଆ ପ୍ଲାଟଫର୍ମ ଭୁଲ ଖବର ପ୍ରସାରଣ ସହିତ ସ୍ଥାନୀୟ ଆଇନ ପ୍ରତିନିଧୀ ନିଯୁକ୍ତ କରିବା ନିର୍ଦ୍ଦେଶ ପାଳନ କରିବାରେ ବିଫଳ ହୋଇଛି । Xର ମାଲିକ ଏଲନ୍ ମସ୍କ ପ୍ରଥମେ ଏହାକୁ “ସେନ୍ସରସିପ୍” ଏବଂ ମୋରିସ୍ଙ୍କୁ “ଏକଛତ୍ରବାଦୀ ଶାସକ” ବୋଲି କହିଥିଲେ, କିନ୍ତୁ ଗତ ସପ୍ତାହରେ ତାଙ୍କ ଆଭିମୁଖ୍ୟରେ ପରିବର୍ତ୍ତନ ଆସିଥିବା ଜଣାପଡିଛି ।