ଘୋର କଳିଯୁଗ , ପିଶାଚ ଭାଇ : ସାମାନ୍ୟ ମାଛ ପାଇଁ ଭାଇର ଜୀବନ ନେଇଗଲା
1 min readକୋରାପୁଟ୍ : ଘୋର କଳିଯୁଗ । ଭାଇର ଜୀବନ ନେଲା ଭାଇ । ଏଭଳି ଅଭାବନୀୟ ଘଟଣା ଘଟିଛି କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଲକ ଡୁମ୍ବାଗୁଡ଼ା ପଞ୍ଚାୟତ ସ୍ଥିତ ବଡ଼ବାଗ୍ରୀ ଗ୍ରାମରେ । ମୃତ ବ୍ୟକ୍ତି ଜଣକ ବେରେଙ୍ଗା ମୁଦୁଲି(୬୬) ବୋଲି ଜଣାପଡିଛି। ପରିବାର ଲୋକଙ୍କ ସୂଚନା ଅନୁଯାଇ ଗତକାଲି ଗ୍ରାମର ନିଶଡ଼ାଟେଡ଼ା ରେ ଥିବା ମାଛ ବନ୍ଧକୁ ଗାଁ ଲୋକଙ୍କ ସହ ମୃତ ବେରେଙ୍ଗା ଓ ଅଭିଯୁକ୍ତ ଭାଇ ଧନେଶ୍ୱର ମୁଦୁଲି ମାଛ ଧରିବାକୁ ଯାଇଥିଲେ । ଏବଂ ମାଛ ଆଣି ଉଭୟ ଭାଗ କରି ଏକାଠି ରେଷେଇ କରି ଖାଇବାକୁ ସ୍ଥିର କଲେ । କିନ୍ତୁ ଏହା ପୂର୍ବରୁ ସାହି ପାଖ କରଞ୍ଜି ଗଛ ତଳେ ବନ୍ଧର ସବୁ ମାଛକୁ କିଲୋ ହିସାବରେ ଭ।ଗବାଣ୍ଟା କୁ ନେଇ ଦୁଇ ଭାଇଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇ ଧସ୍ତାଧସ୍ତି ହୋଇଥିଲେ ଏବଂ ସେଠାରେ ହିଁ ଅଭିଯୁକ୍ତ ଏକ ଚାପୁଡ଼ା ମାରିବାରୁ ବେରେଙ୍ଗା ତଳେ ପଡିଯିବାରୁ ତାଙ୍କର ମୃତ୍ୟୁ ହୋଇଥିବା ଝିଅ ଏବଂ ନାତି କହିଛନ୍ତି ।
ତେବେ ପୂର୍ବରୁ କୌଣସି ଶତ୍ରୁତା ନଥିବା ମଧ୍ୟ ସେମାନେ କହିଛନ୍ତି । ଏ ନେଇ ମୃତକଙ୍କ ଝିଅ ଜ୍ୱାଇଁ ଏବଂ ଗ୍ରାମର ଭଦ୍ରବ୍ୟକ୍ତି ଦଶମନ୍ତପୁର ଥାନାରେ ଏତଲା ଦେବାପରେ ଅଭିଯୋଗକୁ ଭିତ୍ତି କରି ଦଶମନ୍ତପୁର ଆଇଆଇସି ଚନ୍ଦ୍ରଭାନୁ ମହାନ୍ତି,ଲିଙ୍ଗରାଜ ହଲୱା,ସୁଶୀଲ ଖରା,ପବନ ଭତ୍ରା,ହେମନ୍ତ ଖୋସ୍ଲାଙ୍କ ସହ ନବରଙ୍ଗପୁରରୁ ଏକ ସାଇଣ୍ଟିଫିକ ଟିମ ଏବଂ ଡାକ୍ତର ରଥ ଘଟଣା ସ୍ଥଳରେ ପହଂଚି ତଦନ୍ତ କରିବା ସହ ଶବବ୍ୟବଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲେ । ଘଟଣା ଘଟାଇ ଥିବା ଅଭିଯୁକ୍ତ ଧନେଶ୍ୱର କୁ ପୋଲିସ ଦଶମନ୍ତପୁର ଥାନାରେ ଅଟକ ରଖି ଅଧିକ ତଦନ୍ତ ଜାରି ରଖିଥିବା ସୂଚନା ମିଳିଛି ।