ସୁନା ବେପାରୀଙ୍କୁ ନିର୍ମମ ହତ୍ୟା ଘଟଣା ; ଦୀର୍ଘ ୩ ବର୍ଷ ପରେ ଧରାପଡିଲା ଅଭିଯୁକ୍ତ…
1 min readବଲାଙ୍ଗୀର : ଦୀର୍ଘ ତିନି ବର୍ଷ ପରେ ବହୁଚର୍ଚ୍ଚିତ ବଲାଙ୍ଗୀର ଜିଲ୍ଲାର ଦେଓଗାଁ ବଙ୍ଗଳା ଛକର ସୁନା ବେପାରୀ ଗଜାନନ ମେହେରଙ୍କ ବହୁ ଚର୍ଚ୍ଚିତ ହତ୍ୟାକାଣ୍ଡର ଅଭିଯୁକ୍ତ ଶିର ରଣାଙ୍କୁ ଗିରଫ୍ କରି ଆଜି ସିନ୍ ରିକ୍ରିଏସନ୍ କରିଛି ଦେଓଗାଁ ପୋଲିସ । ଏ ସମ୍ପର୍କରେ ସୂଚନା ଦେଇଛନ୍ତି ଏସ୍ଡ଼ିିପିଓ ତୋଫାନ ବାଗ ।
ସୂଚନା ଅନୁସାରେ ଗତ ୨୦୨୦ ନଭେମ୍ବର ୧୯ ତାରିଖ ଦିନ ସୁନା ବେପାରୀ ଗଜାନନ ମେହେର ନିଖୋଜ ହୋଇଥିବା ଦେଓଗାଁ ଥାନାରେ ରିପୋର୍ଟ ହୋଇଥିବା ବେଳେ ୨୦୨୦ ନଭେମ୍ବର ୨୩ ତାରିଖ ଦିନ ପାଟଣାଗଡ଼ ଦେଓଗାଁ ବ୍ଲକ ସୀମାରେ ଥିବା ଏକ ଜଂଗଲ ଭିତରୁ ନିଖୋଜ ଗଜାନନଙ୍କ ମୃତଦେହ ମିଳିଥିଲା । ସେତେ ବେଳେ ଏହା ଏକ ହତ୍ୟା ଘଟଣା ବୋଲି ସଂଦେହ କରାଯାଇ ଦେଓଗାଁ ନିକଟସ୍ଥ ସାରସବାହାଲର ଶିର ରଣାଙ୍କୁ ପୋଲିସ ସଂଦେହ କରିଥିଲା । କିନ୍ତୁ ଶିର ରଣା ଫେରାର୍ ଥିବାରୁ ପୋଲିସ ତାଙ୍କୁ କାବୁ କରିବାରେ ବିଫଳ ହୋଇଥିଲା ।
ତେବେ ବଲାଙ୍ଗୀର ଏସ୍ପି କ୍ରାଇମ ରିଭ୍ୟୁ ସମୟରେ ଏହି ଘଟଣା ଉପରେ ଗୁରୁତ୍ୱ ଦେଇ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ ପାଇଁ ଦେଓଗାଁ ପୋଲିସକୁ ନିର୍ଦ୍ଦେଶ ଦେଇଥିଲେ । ଏହାପରେ ଦେଓଗାଁ ପୋଲିସ ଅଭିଯୁକ୍ତ ଶିର ରଣାଙ୍କୁ ଗିରଫ ପାଇଁ ଯୋଜନା କରିଥିଲା । ଦୁଇ ତିନି ଥର ବିଫଳ ହେବା ପରେ ଗତକାଲି ଦେଓଗାଁ ଥାନା ଆଇଆଇସି ତାରାବତୀ ପ୍ରଧାନ ଓ ତାଙ୍କ ଟିମ୍ ଅଭିଯୁକ୍ତ ଶିର ରଣାଙ୍କୁ ଗିରଫ୍ କରିଥିଲେ । ତେବେ ଅଭିଯୁକ୍ତ ଶିର ଗଜାନନ ମେହେରଙ୍କୁ ହତ୍ୟା କରିଥିବା ପୋଲିସ ଆଗରେ ସ୍ୱୀକାର କରିଥିବା ବେଳେ କେମିତି ଓ କାହିଁକି ସେ ଗଜାନନଙ୍କୁ ହତ୍ୟା କରିଥିଲେ, ସିନ୍ ରିକ୍ରିଏସନ୍ ସମୟରେ ସବୁ ବଖାଣିଛି ଅଭିଯୁକ୍ତ ।