Pratidin TV

Odisha's Digital News Platform

ଆଜିଠୁ ବିଧାନସଭାରେ ବଜେଟ୍ ଅଧିବେଶନ , ପ୍ରଥମେ ଅଭିଭାଷଣ ରଖିଲେ ରାଜ୍ୟପାଳ ..

1 min read

ଆଜିଠୁ ଆରମ୍ଭ ବଜେଟ୍ ଅଧିବେଶନ । ରାଜ୍ୟପାଳ ଗୃହରେ ଅଭିଭାଷଣ ରଖି ଗୃହକାର୍ଯ୍ୟ ଆରମ୍ଭ କରିଛନ୍ତି । ରାଜ୍ୟରେ କିପରି ସରକାରଙ୍କ ନେତୃତ୍ୱରେ ସଫଳତା ପରେ ସଫଳତା ମିଳିଛି ତାହା ରାଜ୍ୟପାଳଙ୍କ ଅଭିଭାଷଣରେ ଦେଖିବାକୁ ମିଳିଥିଲା । ପ୍ରାରମ୍ଭରେ ରାଜ୍ୟପାଳ ଦିବଙ୍ଗତ ପୂର୍ବତନ ସଦସ୍ୟଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ, ପରେ ସହିଦ ଯବାନମାନଙ୍କୁ ମଧ୍ୟ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ନବୀନଙ୍କ ପଞ୍ଚମ ପାଳିର ଏହା ଶେଷ ବିଧାନସଭା ଅଧିବେଶନ । ସାଧାରଣ ନିର୍ବାଚନ ପୂର୍ବରୁ ଏହା ଶେଷ ଅଧିବେଶନ ହୋଇଥିବାରୁ ଗୃହ ବେଶ୍ ସରଗରମ ରହିପାରେ । ଏହି ଅଧିବେଶନ ଆଜିଠାରୁ ଆରମ୍ଭ ହୋଇ ୧୩ ତାରିଖ ପର୍ଯ୍ୟନ୍ତ ଚାଲିବ । ଏଥିରେ କାର୍ଯ୍ୟ ଦିବସ ମାତ୍ର ୭ଟି ଅଛି । ୮ ତାରିଖରୁ କାମଚଳା ବଜେଟ୍ ଆସିବ । ଏହି ଅଧିବେଶନ ପାଇଁ ରବିବାର ସଂନ୍ଧ୍ୟାରେ ବାଚସ୍ପତି ପ୍ରମିଳା ମଲ୍ଲିକ୍ ଏକ ସର୍ବଦଳୀୟ ବୈଠକ ଡାକିଥିଲେ । ପ୍ରାୟ ୨ ଲକ୍ଷ ୬୦ ହଜାର କୋଟିର ବଜେଟକୁ ଗୃହରେ ଆଗତ କରିବେ ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ । ରାଜ୍ୟପାଳଙ୍କ ଅଭିଭାଷଣରୁ ଆରମ୍ଭ ହେବ ଗୃହ କାର୍ଯ୍ୟ । ଏହା ପରେ ୮ ତାରିଖରେ ଅର୍ଥମନ୍ତ୍ରୀ କାମଚଳା ବଜେଟ୍ ଉପସ୍ଥାପନ କରିବେ ଓ ୯ ତାରିଖରେ ବ୍ୟୟମଞ୍ଜୁରୀ ବିଲ୍ ପାରିତ ହେବ ।

ସେପଟେ ଏହା ସ୍ୱଳ୍ପକାଳୀନ ଅଧିବେଶନ ହୋଇଥିଲେ ମଧ୍ୟ ସରକାରଙ୍କୁ ଘେରିବାକୁ ବିରୋଧି କରିଛନ୍ତି ରଣନୀତି । ନିଯୁକ୍ତି ଦୁର୍ନୀତି, ମଣ୍ଡି ସମସ୍ୟା, ଦାଦନ, ଜଳସେଚନ, ପକ୍କା ଘର ଭଳି ପ୍ରସଙ୍ଗରେ ସରକାରଙ୍କୁ ଘେରିବାକୁ ରଣନୀତି କରୁଛି ବିଜେପି । ସେହିପରି ଆଞ୍ଚଳିକ ବୈଷମ୍ୟ, ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ସହ ପରିକ୍ରମା ପ୍ରକଳ୍ପରେ ୪୨୦୦ କୋଟିର ହିସାବ ମାଗିବ କଂଗ୍ରେସ । ବିଧାନସଭା ବଜେଟ୍ ଅଧିବେଶନ ବେଳେ ଆନ୍ଦୋଳନ ଓ ବିକ୍ଷୋଭ ଆଦିକୁ ଦୃଷ୍ଟିରେ ରଖି କମିଶନରେଟ୍ ପୁଲିସ ପକ୍ଷରୁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ମଧ୍ୟ କରାଯାଇଛି । ୨ ପ୍ଲାଟୁନ ଫୋର୍ସ ମୁତୟନ ହେବାକୁ ଥିବା ବେଳେ, ଏସଓଜି, ଷ୍ଟ୍ରାଇକିଂ ଫୋର୍ସ, ବୋମା ନିଷ୍କ୍ରିୟକାରୀ ଟିମ୍‌, କ୍ୱିକ୍ ଆକ୍ସନ ଟିମ୍‌, ଡଗ୍ ସ୍କ୍ୱାଡ୍ ସହ ଅଗ୍ନିଶମ ବିଭାଗର ଟିମ୍ ଉପସ୍ଥିତ ରହିବେ । ବିଧାନସଭାରୁ ଆରମ୍ଭ କରି ଲୋୟର ପିଏମଜି, ରବୀନ୍ଦ୍ର ମଣ୍ଡପ ଛକ ଓ ତାର ନିକଟବର୍ତ୍ତୀ ରାସ୍ତାରେ ସିସିଟିଭି ଲଗାଯାଇଛି । ୫ଟି ସ୍ଥାନରେ ଅସ୍ଥାୟୀ ପୋଲିସ କଣ୍ଟ୍ରୋଲ ରୁମ୍ କରାଯାଇଛି । ଡିସିପି ପ୍ରତୀକ ସିଂଙ୍କ ନେତୃତ୍ୱରେ ୮ଜଣ ଅତିରିକ୍ତ ଡିସିପି, ୧୬ଜଣ ଏସିପିଙ୍କ ସହ ୧୦୦ରୁ ଅଧିକ ପୁଲିସ କର୍ମଚାରୀ ନିୟୋଜିତ ହୋଇଛନ୍ତି ।

Advertisement

Leave a Reply

Your email address will not be published. Required fields are marked *